ଧରଣୀଧର ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ
କେନ୍ଦୁଝରଗଡ଼଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ପକ୍ଷରୁ ସୋମବାର ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ନିରାଧର ଦେ ଆଭାସୀ ଯୋଗେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି, ଶିକ୍ଷାରେ ପ୍ରଜୁକ୍ତିବିଦ୍ୟା, ଶିକ୍ଷାର ଗୁଣବତ୍ତା ଓ ମୌଲାନା ଆବୁଲ କଲାମ ଆଜାଦଙ୍କ ଶିକ୍ଷାକ୍ଷେତ୍ରରେ ଅବଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।
ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ଡ. ଜଗନ୍ନାଥ କୁଅଁର ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଦିନେଶ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ସହକାରୀ ପ୍ରାଧ୍ୟାପକ ପର୍ଶୁରାମ ସାହୁ ଶିକ୍ଷା ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଛାତ୍ର ଜ୍ଞାନରଞ୍ଜନ ବାରିକ, ଛାତ୍ରୀ ସୁଦୀପ୍ତା ବାରିକ, ଭାଗ୍ୟଶ୍ରୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ଶିକ୍ଷା ଦିବସର ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଛାତ୍ର ବିକାଶ ନାହାକ, ବଟକୃଷ୍ଣ ନାଏକ, ଧବଳେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ଆଧାରିତ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ଶେଷରେ ଡ. ସ୍ମୀତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।