ଓଡିଶା

ନିଖୋଜ ଥିଲା ମୁକ ବଧିର ଝିଅ, ଦୀର୍ଘ ୮ ବର୍ଷ ପରେ ଫେରିପାଇଲେ ଲାଞ୍ଜିଆ ସଉରା ପରିବାର

ଙ୍ଗୁଠିର ଛାପ ପାଇଁ ମିଳିଲା ଝିଅ । ଝିଅ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲା ଯେ ଝିଅକୁ ଖୋଜି ଖୋଜି ପରିବାର ଲୋକେ ହାର ମାନି ଯାଇଥିଲେ । କିନ୍ତୁ ଦୀର୍ଘ ୮ ବର୍ଷ ପରେ ଝିଅ ଏବେ ଗାଁକୁ ଫେରି ଆସିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ପୁରା ଗାଁ । ଫୁଲ ମାଳ ପିନ୍ଧାଇ ଝିଅକୁ ସଭିଏଁ ସ୍ବାଗତ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଝିଅ ଆଙ୍ଗୁଠିର ଛାପ ପାଇଁ ନିଜ ଗାଁକୁ ଫେରି ପାରିଛି ।

 

ଦୁର୍ଗମ ଲାଞ୍ଜିଆ ସଉରା ଅଞ୍ଚଳର ଜଣେ ମୁକ ଓ ବଧିର ଝିଅ । ଦୀର୍ଘ ବର୍ଷ ଧରି ନିଖୋଜ ଥିଲେ । କିନ୍ତୁ ୮ ବର୍ଷ ବ୍ୟବଧାନ ପରେ ଲାଞ୍ଜିଆ ସଉରା ଜନଜାତି ପରିବାର ନିଜ ଝିଅକୁ ଫେରିପାଇଛନ୍ତି । ମୁକ ଓ ବଧିର ଥିବା ନିଖୋଜ ଝିଅକୁ ଫେରି ପାଇବେ ବୋଲି ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ । କିନ୍ତୁ ଆଙ୍ଗୁଠିର ଛାପ ହିଁ ଝିଅକୁ ଗାଁକୁ ଫେରାଇ ଆଣିଛି । ଆଉ ଝିଅକୁ ଫେରି ପାଇବା ପରେ ଭାବବିହ୍ବଳ ହୋଇଯାଇଥିଲେ ପରିବାର । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଟଲଣା ପଞ୍ଚୟତର ବଡମାସିଂ ଗାଁକୁ ଫେରିଛି ଝିଅ ଲାଣ୍ଡମି ଶବର ।

ପିଲା ବେଳରୁ ଝିଅ ମୁକ ବଧିର ଥିଲା । ତେଣୁ ବାପା ଓ ମା ବାଲେଶ୍ବରର ମୁକ ବଧିର ବିଦ୍ୟାଳୟରେ ଶିକ୍ଷା ପାଇଁ ଝିଅକୁ ଛାଡିଥିଲେ । କିନ୍ତୁ ଛୋଟ ବେଳରୁ ହିଁ ଝିଅ ନିଖୋଜ ହୋଇ ଯାଇଥିଲା । ବାଲେଶ୍ବରର ଅନୁଷ୍ଠାନ ଝିଅ ନିଖୋଜ ହୋଇଥିବା ନେଇ ପରିବାରକୁ ଜଣାଇଲେ । ତେବେ ୨୦୧୬ ମସିହାରେ ଝିଅର ବାପା ମା ପୁଟାସିଂ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଓ ଗ୍ରାମବାସୀ ତଥା ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ସବୁ ପରେ ବି ଝିଅର ସନ୍ଧାନ ମିଳିପାରି ନଥିଲା ।

ଏହାରି ଭିତରେ ଝିଅକୁ ଉଦ୍ଧାର କରି କିଛି ସ୍ଥାନୀୟ ଲୋକେ ଓ ପୋଲିସ୍ ଭୁବନେଶ୍ବରର ଆଉ ଏକ ମୁକ ବଧିର ବିଦ୍ୟାଳୟରେ ଝିଅକୁ ପହଞ୍ଚାଇଥିଲେ । ଝିଅ ସେଠାରେ ରହିଲା । ଆଉ ସମୟ ବିତି ଚାଲିଲା । ତେବେ ୮ ବର୍ଷ ପରେ ଝିଅ ଭତା ପଇସା ଉଠାଇବା ପାଇଁ ଜନସେବା କେନ୍ଦ୍ରକୁ ଯାଇଥିଲା । ଆଉ ଏତିତି ବେଳେ ହିଁ ସବୁ ଘଟଣା ପଦାକୁ ଆସିଥିଲା । ଫିଙ୍ଗର ପ୍ରିଣ୍ଟ ସ୍କାନ୍ କରିବା କ୍ଷଣି ହିଁ ଝିଅର ପରିଚୟ ଜଣା ପଡ଼ିଥିଲା । ତେବେ ଝିଅ ବାଲେଶ୍ବର ମୁକ ବଧିର ଶିକ୍ଷା ଅନୁଷ୍ଠାନର ଛାତ୍ରୀ ବୋଲି ଜଣା ପଡ଼ିଥିଲା । ବାଲେଶ୍ବର ଶିକ୍ଷା ଅନୁଷ୍ଠାନର ଛାତ୍ରୀ ଜଣା ପଡ଼ିବା ପରେ ବାଲେଶ୍ବର ବିଦ୍ୟାଳୟ କତ୍ତପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେଠାରୁ ଝିଅର ପରିବାର ଓ ସ୍ଥାନୀୟ ସରପଞ୍ଚଙ୍କ ଯୋଗାଯୋଗ କରାଯାଇଥିଲା । ଝିଅ କଥା ଶୁଣି ସଙ୍ଗେ ସଙ୍ଗେ ଭୂବନେଶ୍ବର ବାହାରିଥିଲେ ପରିବାର ଲୋକେ, ସାଙ୍ଗରେ ଥିଲେ ସରପଞ୍ଚ । ସେଠାରେ ପହଞ୍ଚି ଝିଅକୁ ଗାଁକୁ ଫେରାଇ ଆଣିଥିଲେ ପରିବାର ।

ଝିଅ ଗାଁକୁ ଫେରିବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ପରିବାର ଲୋକେ ଭାବବିହ୍ବଳ ହୋଇପଡିଛନ୍ତି । ଗ୍ରାମବାସୀ ଝିଅ ବେକରେ ଫୁଲମାଳ ପକାଇ ସ୍ବାଗତ କରିବା ସହ ଟଲଣା ସରପଞ୍ଚ ସନ୍ତୋଷିନୀ ଶବରଙ୍କୁ ବେଶ ପ୍ରସଂସା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button