ଆପଣ ମଧ୍ୟ କଣ ଗ୍ୟାଷ୍ଟିକ ସମସ୍ୟା ରେ ପୀଡ଼ିତ କି? ଘରେ ବସି ସହଜରେ କରନ୍ତୁ ଉପଶମ ଉପାୟ
ଆଜିକାଲି ଗ୍ୟାସ (ଗ୍ୟାଷ୍ଟିକ) ସମସ୍ୟା ଏକ ସାଧାରଣ ରୋଗ ପାଲଟିଗଲାଣି । ସାମାନ୍ୟ ଅସାବଧାନତା ଏପରି ସମସ୍ୟାକୁ ଡାକି ଆଣିଥାଏ । ସାନ ଠାରୁ ବଡ ପର୍ୟ୍ୟନ୍ତ ସମସ୍ତ ଏହି ସମସ୍ୟାରେ ପଡିଥାନ୍ତି । ଟିକେ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳିପାରିବ ।
ଗ୍ୟାଷ୍ଟିକ କ’ଣ :- ଗ୍ୟାଷ୍ଟିକ୍ ହେଉଛି ଏକ ବାୟୁ ଜନିତ ସମସ୍ୟା । ଏହା ପାକସ୍ଥଳୀରେ ଦେଖାଦେଇଥାଏ । ପାକସ୍ଥଳୀରେ ଆବଶ୍ୟକତା ଠାରୁ ଅଧିକ ଏସିଡ୍ (ଅମ୍ଲ) କ୍ଷରିତ ହେଲେ ଗ୍ୟାଷ୍ଟିକ ଦେଖାଦେଇଥାଏ । ଗ୍ୟାଷ୍ଟିକ ଦୁଇ ପ୍ରକାର ଆକ୍ୟୁଟ୍ ଏବଂ କ୍ରୋନିକ୍ । ଆକ୍ୟୁଟ ଜନିତ ସମସ୍ୟା ଦେଖା ଦେଲେ କମ୍ ସମୟ ମଧ୍ୟରେ ରୋଗୀ ଯନ୍ତ୍ରଣାରୁ ଉପଶମ ହୋଇଯାଇଥାଏ । ମାତ୍ର କ୍ରନିକ୍ ଗ୍ୟାଷ୍ଟିକ ସମସ୍ୟା ହେଲେ ଏହା ପାକସ୍ଥଳୀରେ ‘ଘା’ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଗ୍ୟାଷ୍ଟିକ ର କାରଣ :- କେତେକ ଖାଦ୍ୟ ରହିଛି ଯାହା ପେଟରେ ଅଧିକ ଏସିଡ୍ ସୃଷ୍ଟି କରିଥାଏ । ଏହାବ୍ୟତୀତ ଅଧିକାଂଶ ସମୟ ଚାପଗ୍ରସ୍ତ କିମ୍ୱା ଅବସାଦଗ୍ରସ୍ତ ରହିଲେ ଏଭଳି ସମସ୍ୟା ଦେଖାଯିବା ଆଶଙ୍କା ଅଧିକ ରହିଛି । ଡ୍ରଗ୍ସ, ଧୂମପାନ, ମଦ୍ୟପାନ କରିଥବା ଲୋକେ ଅଧିକ ଏପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।
ଗ୍ୟାଷ୍ଟିକ ର ମୁକାବିଲା :- ଗ୍ୟାଷ୍ଟିକରୁ ରକ୍ଷା କରିବା ପାଇଁ କେତୋଟି ବିଷୟ ପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବା ଜରୁରୀ । ମସଲା ଜାତୀୟ ଖାଦ୍ୟ, ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଯେତେ କମ୍ ଖାଇବେ ସେତେ ଭଲ । କେତେକ ଲୋକ ଲୋଭରେ ଆବଶ୍ୟକଠାରୁ ଅଧିକ ପରିମାଣରେ ଖାଇଥାଆନ୍ତି । ଏହା ଗ୍ୟାଷ୍ଟିକ ସୃଷ୍ଟି କରିଥାଏ । ତେଣୁ ସବୁ ସମୟରେ ଖାଇବା ଉପରେ ସବୁବେଳେ ନିୟନ୍ତ୍ରଣ ରଖନ୍ତୁ ।
ରାତିରେ ଶୋଇବା ପୂର୍ବରୁ ଅଧିକ ଖାଆନ୍ତୁ ନାହିଁ । ନିଶା ଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ । ଫ୍ୟାଟ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ପ୍ରତିଦିନ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ । ଯଦି ଏହି ସମସ୍ୟା ଅଧିକ ହେଲା ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ । ଏହାସହ ଦିନକୁ 8 ରୁ 10 ଗ୍ଲାସ ପାଣି ପିଇବାକୁ ଭୁଲନ୍ତୁ ନାହିଁ । ପ୍ରତିଦିନ ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ । ସନ୍ଧ୍ୟାରେ ଭ୍ରମଣ କରିବାକୁ ଯାଆନ୍ତ । ଏହାସହିତ କିଛି ହାଲକା ପେଟ ପାଇଁ ବ୍ୟାୟାମ କରନ୍ତୁ । ପ୍ରାଣାୟାମ କରିବା ଦ୍ୱାରା ପେଟ ସମ୍ୱନ୍ଧୀୟ ଗ୍ୟାସ ଦୂର ହୋଇଥାଏ ।