ସ୍ୱାସ୍ଥ୍ୟ

ଚିନ୍ତା ବଢ଼ାଉଛି ଶିଶୁ ମଧୁମେହ

ବୟସ୍କଙ୍କୁ ମଧୁମେହ ହେବା ସାଧାରଣ ହୋଇଥିବା ବେଳେ ଶିଶୁମାନଙ୍କୁ ଅତି କମ୍ ବୟସରୁ ମଧୁମେହ ହେବା ଏବେ ଚିନ୍ତାର କାରଣ ସାଜିଛି। ଏହାକୁ ଜୁଭେନାଇଲ୍ ଡାଇବେଟିସ୍ ବା ଟାଇପ୍-୧ ମଧୁମେହ କୁହାଯାଉଛି। ୪ ବର୍ଷର ଶିଶୁ ବି ଏବେ ଡାଇବେଟିସ୍ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଟାଇପ୍-୧ ମଧୁମେହକୁ ଇନ୍ସୁଲିନ୍ ଉପରେ ନିର୍ଭରଶୀଳ ମଧୁମେହ ରୋଗ ବି କୁହାଯାଇଥାଏ।

ଏହା ଏକ ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟା ହୋଇଥିବା ହେତୁ ଏହି ଅବସ୍ଥାରେ ରୋଗୀର ଅଗ୍ନାଶୟ ଖୁବ କମ୍ ମାତ୍ରାରେ ବା କିଛି ବି ଇନ୍ସୁଲିନ୍ କ୍ଷରଣ କରି ନଥାଏ। ଏଠାରେ କହିବା ବାହୁଲ୍ୟ, ଇନ୍ସୁଲିନ୍ ହେଉଛି ସେଇ ହର୍ମୋନ୍, ଯାହାକୁ ବ୍ୟବହାର କରି ଶରୀର ଶକ୍ତି ଉତ୍ପନ୍ନ କରିଥାଏ। ବଂଶଗତ କାରଣରୁ ବା ଭୂତାଣୁ ସଂସ୍ପର୍ଶରେ ଅାସିବା ଫଳରେ ଏହି ରୋଗ ହୋଇଥାଏ। ଏହି ମଧୁମେହ ରୋଗ ସାଧାରଣତଃ ଶୈଶବେର ଦେଖାଯାଉଥିବା ବେଳେ କିଛି କ୍ଷେତ୍ରରେ ଏହା ବୟସ୍କଙ୍କ ମଧ୍ୟରେ ବି ହୋଇଥାଏ।

ପରାମର୍ଶ ଅନୁଯାୟୀ ଇନ୍ସୁଲିନ୍ ଡୋଜ୍ ନେଲେ ସବୁ ଠିକ୍ ହୋଇଯାଏ
ଟାଇପ୍-୧ ମଧୁମେହ ରୋଗ ସାଧାରଣତଃ ଅଧିକ ଦେଖାଯାଏ ନାହିଁ। ଆର୍ଥିକ ଅନଗ୍ରସର ଅଞ୍ଚଳର ଶିଶୁମାନଙ୍କ ଭିତରେ କିମ୍ବା କୌଣସି ଭୂତାଣୁ ସଂକ୍ରମଣରେ ପୀଡ଼ିତ ଶିଶୁମାନଙ୍କଠାରେ ଏହି ମଧୁମେହ ରୋଗ ଦେଖାଯାଇଥାଏ। କିନ୍ତୁ ଟାଇପ୍-୧ ମଧୁମେହ ହେଲେ କିଛି ବ୍ୟସ୍ତ ହେବାର ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ବ୍ୟବଧାନରେ ଇନ୍ସୁଲିନ୍ ଡୋଜ୍ ନେବା ସହ ସୁଷମ ଖାଦ୍ୟ ଓ ଉପଯୁକ୍ତ ନିଦ୍ରା ଦ୍ବାରା ଏହାକୁ ଅାମେ ନିୟନ୍ତ୍ରିତ କରିପାରିବା। ଯେହେତୁ ଏହି ମଧୁମେହ ରୋଗରେ ଇନ୍ସୁଲିନ୍ କ୍ଷରଣ ବ୍ୟାଘାତ ହୋଇଥାଏ, ଡାକ୍ତରଙ୍କ ପରାମର୍ଶ କ୍ରମେ ଏଥିରେ ପ୍ରତିଦିନ ନିର୍ଦ୍ଧାରିତ ଡୋଜ୍ ଅନୁଯାୟୀ ଇନ୍ସୁଲିନ୍ ନେବାକୁ ପଡ଼ିଥାଏ।
– ଡାକ୍ତର ଅଙ୍କିତା ତିୱାରୀ,
ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଆଣ୍ଡ୍ ଡାଇବେଟୋଲୋଜିଷ୍ଟ୍, ମଣିପାଳ ହସ୍ପିଟାଲ୍

ଅଧିକ ଶୋଷ ହେବା, ବାରମ୍ବାର ପରିସ୍ରା ଲାଗିବା, ଶିଶୁମାନେ ଶେଯରେ ପରିସ୍ରା କରିଦେବା, ପ୍ରବଳ ଭୋକ ହେବା, ହଠାତ୍ ଓଜନରେ ହ୍ରାସ ଘଟିବା, ଚିଡ଼ିଚିଡ଼ା ଲାଗିବା, ବାରମ୍ବାର ମିଜାଜ ବଦଳିବା, କ୍ଳାନ୍ତ ବା ଦୁର୍ବଳ ଅନୁଭବ ହେବା, ଝିଲିଝିଲି ଦେଖାଯିବା ଆଦି ହେଉଛି ଟାଇପ-୧ ମଧୁମେହର ଲକ୍ଷଣ। ସମୟ ସହ ଟାଇପ୍-୧ ମଧୁମେହ ରୋଗରେ ସମସ୍ୟା ବି ବଢ଼ିବଢ଼ି ଚାଲେ। ଏହା ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଧୀରେଧୀରେ ଅଚଳ କରିଦିଏ। ଏଥିରେ ହୃତ୍ପିଣ୍ଡ, ରକ୍ତବାହିକା, ସ୍ନାୟୁ, ଆଖି ଓ ବୃକ୍କ ଆଦି ଅଙ୍ଗ ଖରାପ ହୋଇଯିବାର ଆଶଙ୍କା ରହିଥାଏ। ଏପରିକି ମଣିଷ ପଙ୍ଗୁ ହୋଇଯାଇପାରେ। ରକ୍ତ ଶର୍କରା ସ୍ତର ଶରୀରରେ ଠିକ୍ ରହିଲେ, ଏସବୁର ଭୟ ରହେ ନାହିଁ। ତେବେ ଟାଇପ୍-୧ ମଧୁମେହର ସଫଳ ପ୍ରତିକାର ଏଯାଏ ବାହାରିନାହିଁ। କିନ୍ତୁ ଜଣେ ଟାଇପ୍-୧ ମଧୁମେହ ରୋଗୀ ଏକ ସୁସ୍ଥ ଜୀବନଶୈଳୀ ବଞ୍ଚି ଏହାକୁ ନିୟନ୍ତ୍ରଣକୁ ଆଣିପାରିବ। ଦିନକୁ ୭ ଘଣ୍ଟା ସୁଖନିଦ୍ରାେର ଶୋଇବା, ଚାପମୁକ୍ତ ଜୀବନ ବଞ୍ଚିବା, ଧୂମପାନ ସମ୍ପୂର୍ଣ୍ଣ ପରିହାର କରିବା, ଶାରୀରିକ ସକ୍ରିୟତା ବଜାୟ ରଖିବା ତଥା ଘର ତିଆରି ସୁଷମ ଖାଦ୍ୟ ଖାଇବା ଦ୍ବାରା ଟାଇପ୍-୧ ମଧୁମେହକୁ ଆମେ ନିୟନ୍ତ୍ରଣକୁ ଆଣିପାରିବା।ଚିନ୍ତା ବଢ଼ାଉଛି ଶିଶୁ ମଧୁମେହ

Related Articles

Leave a Reply

Your email address will not be published. Required fields are marked *

Back to top button