ହତ୍ୟାକାରୀକୁ ଧରାଇଲା ମାଛି, ପ୍ରମାଣ ଅଭାବରୁ କ୍ଲିନ୍ଚିଟ୍ ପାଇଥିଲା ଦୋଷୀ
ମଧ୍ୟପ୍ରଦେଶ ୦୬/୧୧: ମଧ୍ୟପ୍ରଦେଶରେ ଜଣେ ୨୬ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଛନ୍ଦି ହୋଇଥିବା ପୁଲିସକୁ ସାହାଯ୍ୟ କରିଛନ୍ତି ମାଛି । ମାଛିଙ୍କ ପାଇଁ ୧୯ ବର୍ଷୀୟ ଜଣେ ଯୁବକ ନିଜର ଅପରାଧ ସ୍ୱୀକାର କଲା । ତେବେ, ପ୍ରମାଣ ଅଭାବରୁ ପ୍ରଥମେ ପୁଲିସ ତାକୁ କ୍ଲିନ୍ଚିଟ୍ ଦେଇଥିଲା । ଗତ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ମନୋଜ ଠାକୁର ନିଜ ପୁତୁରା ଧରମ ସିଂହ ସହ ମଦ୍ୟପାନ ଲାଗି ବାହାରକୁ ଯାଇଥିଲେ ।
ସ୍ଥାନୀୟ ଏକ ମଦ ଦୋକାନରୁ ସେମାନେ ପ୍ରଥମେ ମଦ କିଣିଲେ । ତା’ପରେ ଖାଦ୍ୟ କିଣିଲେ । ଧରମ ରାତିରେ ଘରକୁ ଫେରିଲା କିନ୍ତୁ ମନୋଜ ଫେରିଲେ ନାହିଁ । ତାଙ୍କ ପରିବାର ଜବଲପୁର ଥାନାରେ ଏ ନେଇ ରିପୋର୍ଟ କଲେ ।
ପର ଦିନ, ସହର ବାହାରେ ଏକ ମୃତ ଶରୀର ପଡ଼ିଥିବା ପୁଲିସକୁ ସୂଚନା ମିଳିଲା । ତାହା ମନୋଜଙ୍କର ଥିଲା । ରାତିରେ ମନୋଜଙ୍କ ସାଙ୍ଗରେ ଧରମ ବାହାରକୁ ଯାଇଥିବାରୁ ପୁଲିସ ଧରମକୁ ପଚରାଉଚରା କଲା । କିନ୍ତୁ ମନୋଜଙ୍କ ହତ୍ୟା ମାମଲାରେ ତା’ର ସମ୍ପୃକ୍ତି ବିଷୟରେ ପ୍ରତ୍ୟକ୍ଷ ପ୍ରମାଣ ନ ମିଳିବାରୁ ପୁଲିସ ଧରମକୁ ଛାଡ଼ିଦେଲା । ଅତିରିକ୍ତ ଏସ୍ପି ସୋନାଲି ଦୁବେ କହିଛନ୍ତି, ମନୋଜ ହତ୍ୟାରେ ତା’ ପୁତୁରା ଧରମ ମୁଖ୍ୟ ଅଭିଯୁକ୍ତ ଥିଲା । କିନ୍ତୁ ପଚରାଉଚରା ସମୟରେ ନିର୍ଦ୍ଦୋଷ ଭଳି ଆଚରଣ କରିବାରେ ସଫଳ ହୋଇଥିଲା । ମାମଲା ସମାଧାନର ବାଟ ପାଉନଥିବା ପୁଲିସ ଧରମକୁ ପଚରାଉଚରା ପାଇଁ ପୁଣି ଥରେ ସମନ କଲା । ଏଥର ଏକ ଅଜବ ଘଟଣା ଘଟିଲା, ଯାହା ପୁଲିସର ଧ୍ୟାନ ଆକର୍ଷଣ କଲା ।
ଧରମ ଚତୁଃପାଶ୍ୱର୍ରେ ମାଛି ଉଡୁଥିଲେ । ଯେତେ ଉଡ଼ାଇଲେ ମଧ୍ୟ ମାଛି ତାକୁ ଛାଡୁନଥିଲେ । ସେଠାରେ ଉପସ୍ଥିତ ଅନ୍ୟ କାହା ପାଖକୁ ମାଛି ଯାଉନଥିଲେ । କେବଳ ଧରମ ଚାରିପଟେ ଉଡୁଥିଲେ, ଯାହା ଦେଖି ଥାନାଧିକାରୀଙ୍କ ସନ୍ଦେହ ବଢ଼ିଲା । ପରୀକ୍ଷା ପାଇଁ ସେ ଧରମକୁ ସାର୍ଟ ଦେବାକୁ କହିଲେ । ପରୀକ୍ଷା ପାଇଁ ସାର୍ଟକୁ ଫରେନ୍ସିକ ଲ୍ୟାବ୍କୁ ପଠାଗଲା । ଏଥିରେ ମଣିଷ ରକ୍ତ ଛିଟା ଆବିଷ୍କାର କରାଗଲା, ଯାହା ଖାଲି ଆଖିକୁ ଦେଖାଯାଉନଥିଲା । ପୁଣି ଥରେ ପଚରାଉଚରା ପରେ ଧରମ ଅପରାଧ ସ୍ୱୀକାର କଲା । ଝଗଡ଼ା ପରେ ଦାଦାକୁ ହତ୍ୟା କରିଥିବା ସେ ମାନିଲା । ତା’ର କହିବା ଅନୁସାରେ, ଦୁହେଁ ମଦ ପଉଥିବାବେଳେ ଖାଦ୍ୟ ଓ ମଦ ଲାଗି ଅଧିକ ଟଙ୍କା ଦେବାକୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା । ମନୋଜ ପ୍ରଥମେ ତାକୁ ମାରିଲେ । ଏହା ପରେ କାଠ ଫାଳିଆରେ ଧରମ ତାଙ୍କୁ ପିଟିଦେଲା, ଫଳରେ ତାଙ୍କର ମୃତ୍ୟୁ ହେଲା । ଘଟଣାସ୍ଥଳରୁ ପୁଲିସ କାଠ ଫାଳିଆ ଜବତ କଲା ଏବଂ ମନୋଜଙ୍କ ହତ୍ୟାକାରୀ ଧରମକୁ ଗିରଫ କଲା ।