ଦେଶ ବିଦେଶ

ଜେଏସ୍‌ଡବ୍ଲୁ-ପୋସ୍କୋ ଇସ୍ପାତ ପ୍ରକଳ୍ପ: ୬୫ ହଜାର କୋଟି ନିବେଶ ହେବ

ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଏକ ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ପୋସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ଦୁଇ କମ୍ପାନି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିଛି।

ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କା ନିବେଶ କରାଯିବ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରଥମେ ୫ ନିୟୁତ ଟନ୍ ରହିବ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ। ତିନି ବର୍ଷ ମଧ୍ୟରେ ମୋଟ ନିବେଶ ରାଶି ପରିମାଣ ୬୫ ହଜାର କୋଟି ଟଙ୍କାରେ ପହଞ୍ଚିବ। କମ୍ପାନି ପର୍ଯ୍ୟାୟକ୍ରମେ ଏହି କାରଖାନାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୧୮ ନିୟୁତ ଟନ୍କୁ ବୃଦ୍ଧି କରିବ। ଜେଏସ୍ଡବ୍ଲୁ-ପୋସ୍କୋର କେନ୍ଦୁଝର ଇସ୍ପାତ ପ୍ରକଳ୍ପରେ ହଟ୍-ରୋଲ୍ଡ, କୋଲ୍ଡ-ରୋଲ୍ଡ ଓ ଗାଲ୍ଭାନାଇଜଡ୍ ଇସ୍ପାତ ଉତ୍ପାଦନ କରାଯିବ। ସେଗୁଡ଼ିକ ବିଭିନ୍ନ ପ୍ରକାର ଭିତ୍ତିଭୂମି ଓ ବିନିର୍ମାଣ କାର୍ଯ୍ୟରେ ବିପୁଳ ଭାବେ ବ୍ୟବହାର ହେଉଛି। ଯେହେତୁ ଆଗାମୀ ଦିନରେ ଭାରତରେ ବହୁ ସଂଖ୍ୟାରେ ବିମାନବନ୍ଦର, ସଡ଼କ, ନୂତନ କାରଖାନା ଓ ଗୋଦାମ ଘର ସ୍ଥାପନ ହେବାକୁ ଯାଉଛି, ସେଥିପାଇଁ ଇସ୍ପାତର ଯେଉଁ ଚାହିଦା ଦେଖାଦେବ ସେଥିରୁ କମ୍ପାନି ଉପକୃତ ହେବାକୁ ଲକ୍ଷ୍ୟ ରଖିଛି।

ଆସନ୍ତା ବର୍ଷ ସୁଦ୍ଧା କାମ ଆରମ୍ଭ
କ୍ଷମତା ୧୮ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ିବ

ବିଶ୍ବବ୍ୟାପୀ ଅର୍ଥନୀତି ପୁଣି ଥରେ ଦୌଡ଼ିବାକୁ ଆରମ୍ଭ କରିଥିବା ବେଳେ ଭିତ୍ତିଭୂମିରେ ନିବେଶ ବୃଦ୍ଧି ପାଇଛି। ସେଥିପାଇଁ ଇସ୍ପାତର ଆବଶ୍ୟକତା ପୂର୍ବାପେକ୍ଷା ବଢ଼ିଛି। ତେଣୁ ବିଶ୍ବସ୍ତରୀୟ କମ୍ପାନିଗୁଡ଼ିକ ଭାରତୀୟ ଇସ୍ପାତ ପ୍ରକଳ୍ପରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ ଇସ୍ପାତ ଚାହିଦା ସାତ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ତେଣୁ ପୋସ୍କୋ ଭଳି ବିଶ୍ବର ବହୁ ବଡ଼ ବଡ଼ କମ୍ପାନି ସେମାନଙ୍କ ଯୋଗାଣ ଶୃଙ୍ଖଳକୁ ଭାରତରେ ସମ୍ପ୍ରସାରଣ କରିବାକୁ ଚାହୁଛନ୍ତି। ଓଡ଼ିଶାର ଇସ୍ପାତ ଶିଳ୍ପକୁ ନେଇ ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲୁ ଷ୍ଟିଲ୍ର ବଡ଼ ଯୋଜନା ରହିଛି। ଏହା ଜଗତସିଂହପୁରରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ଏଥି ସହିତ ଦକ୍ଷିଣ କୋରିଆର କମ୍ପାନି ପୋସ୍କୋ ହାତ ଧରି ଏହା କେନ୍ଦୁଝରରେ ନୂଆ କାରଖାନା ସ୍ଥାପନ କରିବାକୁ ଯାଉଛି। ଦୀର୍ଘ ୧୯ ବର୍ଷ ପୂର୍ବେ ଓଡ଼ିଶାରେ ୫୨ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରି ଏକ ବୃହତ୍ ଇସ୍ପାତ କାରଖାନା ସ୍ଥାପନ କରିବାକୁ ପୋସ୍କୋ ସ୍ବପ୍ନ ଦେଖିଥିଲା। ସେଥିପାଇଁ ୨୦୦୫ରେ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷର କରିଥିଲା। କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକ ପ୍ରବଳ ବିରୋଧ କରିବା କାରଣରୁ କମ୍ପାନି ଉକ୍ତ ପ୍ରକଳ୍ପ ସ୍ଥାପନ କରିପାରିନଥିଲା। ୨୦୧୭ ମାର୍ଚ୍ଚରେ ତାହା ଏହି ପ୍ରକଳ୍ପରୁ ଓହରିଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button