ହରିୟାଣା ନିର୍ବାଚନ ମାମଲା: ଇସିକୁ ଆଇନଗତ କାର୍ଯ୍ୟପନ୍ଥା ପାଇଁ କଂଗ୍ରେସର ଚେତାବନୀ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରିଥିଲା ଇସି ( ନିର୍ବାଚନ କମିସନ) ତାହାକୁ ଖଣ୍ଡନ କରିବା ସହ କଂଗ୍ରେସର ‘ଭିତ୍ତିହୀନ ଅଭିଯୋଗ’ ନେଇ ବର୍ଷିଥିଲେ। କଂଗ୍ରେସ ଆଜି ଇସିକୁ ଏହାର ଜବାବ ଦେଇଛି। ନିର୍ଦ୍ଦିଷ୍ଟ ଭାବେ ଇସି ବ୍ୟବହାର କରିଥିବା ଭାଷାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି।
ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ନିକଟକୁ ଏକ ଚିଠି ଲେଖି କଂଗ୍ରେସ କହିଛି, ହରିୟାଣା ନିର୍ବାଚନ ସଂକ୍ରାନ୍ତରେ କଂଗ୍ରେସ ଦଳର ଅଭିଯୋଗ ଉପରେ ଇସି ଯେଉଁ ଜବାବ ଦେଇଛନ୍ତି ତାହା କିଛି ନୂଆ କଥା ନୁହେଁ। ଇସି ଚିରାଚରିତ ଢଙ୍ଗରେ ଜବାବ ଦେଇଛନ୍ତି।
କଂଗ୍ରେସ କହିଛି ହରିୟାଣାରେ ଆମ ଅଭିଯୋଗ ନିର୍ଦ୍ଦିଷ୍ଟ, କିନ୍ତୁ ଇସିର ଜବାବ ହେଉଛି ଚିରାଚରିତ ଏବଂ ଅଭିଯୋଗକାରୀ ତଥା ଆବେଦନକାରୀଙ୍କୁ ଛୋଟ ଦେଖାଇବା ହିଁ ଏହାର ଲକ୍ଷ୍ୟ। ଜବାବରେ ଇସି ନିଜକୁ ଯେଉଁଭଳି ଭାବେ ସବୁଠାରୁ ଜ୍ଞାନୀ ଭାବେ ଦର୍ଶାଇବାକୁ ଚେଷ୍ଟା କରିଛି ସେନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ କହିଛି, ନିଷ୍ପତ୍ତି ଲେଖୁଥିବା ବିଚାରପତି ମଧ୍ୟ କୌଣସି ପକ୍ଷକୁ ଆକ୍ରମଣ କରନ୍ତିନି କି ନ୍ୟୁନ କରି ଦେଖାନ୍ତିନି। କିନ୍ତୁ ଯଦି ଇସି ଲଗାତାର ଭାବେ ଏଭଳି କରନ୍ତି ତେବେ ଇସିଙ୍କ ଟିପ୍ପଣୀକୁ ଉଚ୍ଛେଦ କରିବା ପାଇଁ ଆମେ ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରିବୁ। କଂଗ୍ରେସ କହିଛି, ଇସି ଯେଉଁଭଳି କଟୁ ଭାଷାର ବ୍ୟବହାର କରିଛି ତାକୁ ଆମେ ଆଦୌ ସହଜରେ ଗ୍ରହଣ କରିପାରିବୁ ନାହିଁ । ଇସିଠାରୁ ମିଳୁଥିବା ପ୍ରତିଟି ଜବାବ କୌଣସି ନିର୍ଦ୍ଦିଷ୍ଟ ନେତା କିମ୍ବା ଦଳ ଉପରେ ଏକ ଆକ୍ରମଣ ଭଳି ଲାଗୁଛି ବୋଲି କଂଗ୍ରେସ କହିଛି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅଭିଯୋଗର ଜବାବ ଦେଇ ଇସି କଂଗ୍ରେସକୁ କଡ଼ା ସମାଲୋଚନା କରିବା ଇଭିଏମ୍ରେ କୌଣସି ତ୍ରୁଟି ନଥିବା କହିଥିଲେ। କଂଗ୍ରେସର ଅଭିଯୋଗକୁ ଇସି ଭିତ୍ତିହୀନ କହିବା ସହ କୌଣସି ଭିତ୍ତିହୀନ ଏବଂ ଦାୟିତ୍ବହୀନ ଅଭିଯୋଗ ନ କରିବାପାଇଁ ସତର୍କ କରିଥିଲା।