ଶୁକ୍ରବାର ପୁଣି ୨୭ ବିମାନକୁ ବୋମା ଧମକ: ଏୟାର ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ ଏବଂ ସ୍ପାଇସ୍ ଜେଟ୍ ଯାତ୍ରୀ ପ୍ରଭାବିତ
ନୂଆଦିଲ୍ଲୀ: ଭାରତୀୟ ବିମାନଗୁଡ଼ିକୁ ମିଳୁଛି ବୋମା ଧମକ । ଏହି ଧାରା ଏବେ ବି ଜାରି ରହିଛି । ଶୁକ୍ରବାର ୨୭ଟି ବିମାନକୁ ଧମକ ମିଳିଥିବା ଜଣାପଡ଼ିଛି । ସ୍ପାଇସ୍ ଜେଟ୍, ଭିସ୍ତାର ଏବଂ ଇଣ୍ଡିଗୋର ୭ଟି ଲେଖାଏଁ ବିମାନକୁ ଧମକ ମିଳିଥିବା ବେଳେ ଏୟାର ଇଣ୍ଡିଆର ୬ଟି ବିମାନକୁ ବୋମାରେ ଉଡ଼ାଇ ଦେବେ ବୋଲି ଧମକ ଦେଇଛନ୍ତି ଦୁର୍ବୃତ୍ତ ।
ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, କୋଝିକୋଡ-ଦମମ ବିମାନକୁ ଧମକ ମିଳିଥିଲା । ଅନ୍ୟ ଇଣ୍ଡିଗୋ ବିମାନଗୁଡ଼ିକ ତାଲିକାରେ, 6E 2099(ଉଦୟପୁର-ଦିଲ୍ଲୀ), 6E 11(ଦିଲ୍ଲୀ-ଇସ୍ତାନବୁଲ), 6E 58(ଜେଦ୍ଦା-ମୁମ୍ବାଇ), 6E 17(ମୁମ୍ବାଇ-ଇସ୍ତାନବୁଲ), 6E 108(ହାଇଦ୍ରାବାଦରୁ ଚଣ୍ଡୀଗଡ଼), 6E 133 (ପୁନେ-ଯୋଧପୁର) ସାମିଲ ।
ପ୍ରଥମେ 6E 2099(ଉଦୟପୁର-ଦିଲ୍ଲୀ) ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଏହା ପରେ ବିମାନକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାତ୍ରୀଙ୍କୁ ଓହ୍ଲାଇ ଯିବାକୁ କୁହାଯାଇଥିଲା । ଏହା ପରେ ଆଇନ ଅନୁଯାୟୀ ବିମାନକୁ ଯାଞ୍ଚ କରାଯାଇଥିଲା । ତେବେ ଦୁଇ ଦିନରେ ୮୦ରୁ ଅଧିକ ବିମାନକୁ ବୋମା ଧମକ ମିଳିସାରିଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଏବଂ ଆକାଶା ଏୟାରର ବିମାନକୁ ଏହି ଧମକ ମିଳିଛି ।
ସେହିଭଳି ଗତ ୧୧ ଦିନରେ ଭାରତୀୟ ଏୟାର ଲାଇନ୍ସ ଦ୍ବାରା ପରିଚାଳିତ ପ୍ରାୟ ୨୫୦ ବିମାନକୁ ଧମକ ମିଳିବା ପରେ ଦେଶରେ ଭୟ ବୃଦ୍ଧି ପାଇଛି । ଏସବୁ ଭିତରେ ଭାରତ ସରକାର ମିଥ୍ୟା କଲ୍ କରୁଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ମେଟା ଏବଂ ଏକ୍ସ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ତଦନ୍ତରେ ସହାୟତା କରିବାକୁ କୁହାଯାଇଛି । ଏହା ବ୍ୟତୀତ ସରକାର ବଡ଼ ବଡ଼ ଟେକ୍ କମ୍ପାନିଙ୍କ ସହାୟତା ମଧ୍ୟ ଲୋଡ଼ିଛନ୍ତି । ସେପଟେ ଏୟାର ଲାଇନ୍ସକୁ ମିଳୁଥିବା ବୋମା ଧମକ ବିରୋଧରେ ସରକାର କଠୋର ଆଇନ୍ ଆଣିବାକୁ ଯୋଜନା କରୁଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ।