ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ରିପୋର୍ଟ: ଭାରତର ଖାଦ୍ୟ ଥାଳି ବିଶ୍ବରେ ଶ୍ରେଷ୍ଠ, ଖିଆପିଆରେ ଆଗରେ ଭାରତୀୟ
ନୂଆଦିଲ୍ଲୀ: ପରିବର୍ତ୍ତିତ ଜଳବାୟୁ ଦୃଷ୍ଟିରୁ ଆମ ଦେଶର ଖାଦ୍ୟ ପୃଥିବୀରେ ସର୍ବୋତ୍ତମ। ଭାରତୀୟମାନେ ଯାହା ଖାଇଥାନ୍ତି ତାହା ପୃଥିବୀ ପାଇଁ ମଧ୍ୟ ଲାଭଦାୟକ। ଏହା କହିଛି ସ୍ୱିଜରଲ୍ୟାଣ୍ଡ ଆଧାରିତ ୱାର୍ଲ୍ଡ ୱାଇଡ୍ ଫଣ୍ଡ୍ ଫର ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ୍)। ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ପକ୍ଷରୁ ପ୍ରକାଶିତ ଏହାର ସର୍ବଶେଷ ‘ଲିଭିଂ ପ୍ଲାନେଟ୍ ରିପୋର୍ଟ ୨୦୨୪ରେ କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଭାରତୀୟଙ୍କ ଖାଦ୍ୟପେୟ ପଦ୍ଧତି ଦୁନିଆରେ ସର୍ବୋତ୍ତମ। ଯଦି ସମସ୍ତେ ଏହା କରନ୍ତି ତେବେ ବିଶ୍ବ ତାପନ ହ୍ରାସ ପାଇବ। ଆମେରିକା ଭାରତୀୟଙ୍କଠାରୁ ଶିଖିବା ଆବଶ୍ୟକ। ଏହି ରିପୋର୍ଟରେ ଭାରତର ମିଲେଟ ମିଶନକୁ ମଧ୍ୟ ପ୍ରଶଂସା କରାଯାଇଛି।
ରିପୋର୍ଟରେ ଭାରତର ଖାଦ୍ୟ ଶୈଳୀକୁ ବେଶ ପ୍ରଶଂସା କରାଯାଇଛି। ଭାରତୀୟଙ୍କ ଖାଇବା ପଦ୍ଧତି ଦୁନିଆରେ ନିଆରା। ଯଦି ଭାରତୀୟଙ୍କ ଖାଇବା ଅଭ୍ୟାସକୁ ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡିକ ଆପଣାନ୍ତି, ତେବେ ସବୁଜ ଗୃହ ଅଙ୍ଗାରକାମ୍ଳ ନିର୍ଗମନ କମିଯିବ।
ଏଠାରେ ସୂଚନାଯୋଗ୍ୟ ଯେ, ଖାଦ୍ୟ ପାଇଁ ସବୁଜ ଗୃହ ଗ୍ୟାସ୍ ନିର୍ଗମନ ମାନକ ହେଉଛି ୧.୫ ଡିଗ୍ରୀ ସେଲସିୟସ୍। ଏଭଳିସ୍ଥଳେ ଯଦି ସମସ୍ତ ଦେଶରେ ଜି -୨୦ ଦେଶର ଖାଇବା ପଦ୍ଧତି ଅନୁସରଣ କରାଯାଏ, ତେବେ ଏହା ୨୬୩ ପ୍ରତିଶତ ଅଧିକ ବିଶ୍ୱ ତାପନ ସୃଷ୍ଟି କରିବ। ଯଦି ବିଶ୍ବର ସମସ୍ତ ରାଷ୍ଟ୍ର ଭାରତର ଖାଦ୍ୟ ପଦ୍ଧତି ଗ୍ରହଣ କରନ୍ତି, ତେବେ ୨୦୫୦ ସୁଦ୍ଧା ଆମ ପୃଥିବୀରେ ରହିଥିବା ୮୪ ପ୍ରତିଶତ ସମ୍ବଳ ଆମର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ହେବ। ଏହାର ଅର୍ଥ ହେଉଛି ୧୬ ପ୍ରତିଶତ ସମ୍ବଳ ଆଦୌ ବ୍ୟବହାର ହେବ ନାହିଁ। ଏହା ବିଶ୍ବ ତାପନକୁ ମଧ୍ୟ ହ୍ରାସ କରିବ ଏବଂ ପରିବେଶର ସନ୍ତୁଳନକୁ ସୁଦୃଢ଼ କରିବ। ଆହୁରି ମଧ୍ୟ ପରିବେଶର କ୍ଷତି ବହୁତ ହ୍ରାସ ପାଇବ। ଭାରତୀୟ ଖାଦ୍ୟ ଅଭ୍ୟାସକୁ ଜି-୨୦ ଦେଶ ମଧ୍ୟରେ ସବୁଠାରୁ ଉତ୍ତମ ବୋଲି ବର୍ଣ୍ଣନା କରାଯାଇଛି। ରିପୋର୍ଟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଏବଂ ଆମେରିକୀୟଙ୍କ ଖାଦ୍ୟ ଶୈଳୀ ସବୁଠାରୁ ଖରାପ ବୋଲି ଦର୍ଶାଯାଇଛି। ଯଦି ବିଶ୍ବର ପ୍ରତ୍ୟେକ ଦେଶ ୨୦୫୦ ସୁଦ୍ଧା ଜି -୨୦ ରାଷ୍ଟ୍ରଗୁଡିକର ଖାଦ୍ୟପେୟ ପଦ୍ଧତି ଅନୁସରଣ କରନ୍ତି, ତେବେ ଆମର ଆବଶ୍ୟକତା ପୂରଣ ପାଇଁ ୭ଟି ପୃଥିବୀର ଆବଶ୍ୟକତା ପଡିବ। ଏହବାଦ୍ ଯଦି ବିଶ୍ବ ଆର୍ଜେଣ୍ଟିନା ଲୋକମାନଙ୍କର ଉପଯୋଗିତା ପଦ୍ଧତିକୁ ଗ୍ରହଣ କରେ ତେବେ ଏହା ସର୍ବାଧିକ ୭.୪ ପୃଥିବୀ ଆବଶ୍ୟକ ପଡିବ। ଆର୍ଜେଣ୍ଟିନା ଲୋକଙ୍କ ଖାଦ୍ୟପେୟ ପଦ୍ଧତି ବିଶ୍ବରେ ସବୁଠାରୁ ଖରାପ। ଏହା ପଛକୁ ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ, ଫ୍ରାନ୍ସ, ଇଟାଲୀ, କାନାଡା ଏବଂ ବ୍ରିଟେନ ରହିଛି।
ଗୁରୁତ୍ବପୂର୍ଣ୍ଣ କଥା, ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର ରିପୋର୍ଟରେ ଭାରତର ମିଲେଟ ମିଶନକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଜାତୀୟ ମିଲେଟ ଅଭିଯାନ କ୍ଷେତ୍ରରେ ଭାରତର ଉଦ୍ୟମକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି। ମିଲେଟ୍ ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ରିପୋର୍ଟରେ କୁହାଯାଇଛି ଯେ ଅଧିକ ସ୍ଥାୟୀ ଖାଦ୍ୟ ଖାଇବା ଦ୍ବାରା ଖାଦ୍ୟ ଉତ୍ପାଦନ ପାଇଁ ଜମିର ଆବଶ୍ୟକତା ହ୍ରାସ ପାଇବ। ଏହାଦ୍ବାରା ପଡିଆ ଜମିର ଆକାର ବୃଦ୍ଧି ପାଇବ ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ମୁକାବିଲା କରିବାରେ ଏହା ସାହାଯ୍ୟ କରିବ।