ଟାୟାର ଫାଟି ଜଳିଗଲା ସ୍କୁଲ ବସ୍, ୨୫ ମୃତ, ୫ ଶିକ୍ଷକଙ୍କ ସମେତ ଥିଲେ ୪୪ ଜଣ
ବ୍ୟାଙ୍କକ୍ ୦୨/୧୦: ଥାଇଲାଣ୍ଡରେ ମଙ୍ଗଳବାର ଏକ ଲୋମହର୍ଷଣକାରୀ ଅଘଟଣ ଘଟିଛି । ଏକ ସ୍କୁଲ ବସ୍ରେ ନିଆଁ ଲାଗିଯିବାରୁ ୨୫ ଛାତ୍ରଛାତୀଙ୍କ ମୃତ୍ୟୁ ଘଟିଛି । ୧୬ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ରେ ୫ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ୪୪ ଜଣ ଥିଲେ । ଟାୟାର ଫାଟିବା ଯୋଗୁ ଏହି ଅଘଟଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ତେବେ ପ୍ରକୃତ କାରଣ ଜାଣିବା ଲାଗି ପୁଲିସ ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂଚନା ମୁତାବକ, ବସ୍ରେ ୩ରୁ ୧୫ ବର୍ଷ ବୟସର ୩୯ ଛାତ୍ରଛାତ୍ରୀ ଥିଲେ । ସବୁଦିନ ଭଳି ସେମାନେ ବସ୍ରେ ସ୍କୁଲକୁ ଯାଇ ଫେରୁଥିଲେ । ତେବେ ଅଧା ବାଟରେ ହୋଇଥିବା ବେଳେ ବସ୍ରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଥିଲା ଯେ ବାହାରକୁ ବାହାରିବା ସମୟ ମିଳିଲା ନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ବସ୍ଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ପିଲାମାନେ ଚିତ୍କାର କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ‘ଫାୟାର ଟାଇଗର୍ସ’ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ନିଆଁରେ ବସ୍ଟି ଏତେ ତାତିଯାଇଥିଲା ଯେ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡ଼ିଥିଲା । ବସ୍ ଭିତରକୁ ଯିବା ଅସମ୍ଭବ ହୋଇପଡ଼ିଥିଲା । ଫଳରେ ଅଘଟଣର ଅନେକ ସମୟ ପରେ ବି ବସ୍ ମଧ୍ୟରେ ଶବଗୁଡ଼ିକ ପଡ଼ିରହିଥିଲା । ଶେଷରେ କପଡ଼ା ଧରି ଉଦ୍ଧାରକାରୀ ଦଳ ଭିତରେ ପଶିଥିଲେ । ଶବଗୁଡ଼ିକ ବି ଗରମ ଥିବାରୁ ଖାଲି ହାତରେ ଧରିବା ମୁସ୍କିଲ ହୋଇପଡ଼ିଥିଲା । ଶବଗୁଡ଼ିକ ଅଧିକ ଜଳିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ପରିଚୟ ମିଳିବା କଷ୍ଟକର ହୋଇପଡ଼ିଛି ।