‘ୟାହ୍ୟା ସିନୱାରଙ୍କ ପାଇଁ କବର ପ୍ରସ୍ତୁତ’; ହମାସ ମୁଖ୍ୟଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଶପଥ ନେଲା ଆଇଡିଏଫ
ନୂଆଦିଲ୍ଲୀ: ଇସ୍ମାଇଲ୍ ହାନିୟେଙ୍କ ମୃତ୍ୟୁ ପରେ ହମାସ ୟାହ୍ୟା ସିନୱାରଙ୍କୁ ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦେଇଛି । ହମାସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି । ଏହା ପୂର୍ବରୁ ସିନୱାର କେବଳ ଗାଜାରେ ହମାସ୍ର କମାଣ୍ଡ ସମ୍ଭାଳୁଥିଲେ । ହମାସ୍ର ପୂର୍ବତନ ମୁଖ୍ୟ ହାନିୟେ କାତାରରେ ରହି ଏହି ଆତଙ୍କୀ ସଙ୍ଗଠନର ପରିଚାଳନା କରୁଥିଲେ ।
ମାତ୍ର ୟାହ୍ୟା ସିନୱାର ହମାସ୍ ମୁଖ୍ୟ ହେବା ପରେ ହତ୍ୟା ଧମକ ଦେଇଛି ଇସ୍ରାଏଲ । ଆଇଡିଏଫ ହମାସ୍ ପ୍ରମୁଖ ୟାହ୍ୟାଙ୍କୁ ମୃତ୍ୟୁ ଦଣ୍ଡ ଦେବ ବୋଲି ଶପଥ ନେଇଛି ।
ଇସ୍ମାଇଲ ହାନିୟେଙ୍କୁ ଇରାନ ରାଜଧାନୀ ତେହରାନରେ ହତ୍ୟା ପରେ ବୁଧବାର ସିନଓ୍ବାରଙ୍କୁ ହମାସର ପଲିଟିକାଲ୍ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି । ୨୦୨୩ ଅକ୍ଟୋବର ୭ ତାରିଖରେ ୟାହ୍ୟା ସିନୱାର ଇସ୍ରାଏଲ ଉପରେ ହମଲା ପାଇଁ ଯୋଜନା କରିଥିଲେ । ୟାହ୍ୟାଙ୍କ ନିଯୁକ୍ତି ଏପରେ ସମୟରେ ହୋଇଛି, ଯେଉଁ ସମୟରେ ହାନିୟେ ହତ୍ୟାର ପ୍ରତିଶୋଧ ନିଆଁରେ ଜଳୁଛି ଇରାନ । ଏହାର ବଦ୍ଲା ନିଶ୍ଚିତ ଭାବେ ନିଆଯିବ ବୋଲି ଇରାନର ସୁପ୍ରିମ ଲିଡର ଧମକ ଦେଇଛନ୍ତି । ଇସ୍ରାଏଲ ଉପରେ ଜୋରଦାର ହମଲା ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଇସ୍ରାଏଲ ନିଜର ରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ।
ୟାହ୍ୟା ସିନୱାର ହମାସର ନେତା ଘୋଷିତ ହେବା ପରେ ଆଇଡିଏଫ୍ ମୁଖପାତ୍ର ରିୟର ଏଡମିରର ଡେନିୟର ହଗାରୀ ଏକ ପ୍ରେସ୍ ବିବୃତ୍ତି ପ୍ରଦାନ କରିଛନ୍ତି । ସେ କହିଛନ୍ତି, ୟାହ୍ୟା ସିନୱାର ତାଙ୍କ ପାଇଁ ଆତଙ୍କବାଦୀ । ଇସ୍ରାଏଲ ଇତିହାସରେ ସବୁଠୁ ନିର୍ମମ ହମଲାର ଯୋଜନା ସେ କରିଥିଲେ । ତେଣୁ ତାଙ୍କୁ ନିଶ୍ଚିତ ଭାବେ ମୃତ୍ୟୁ ଦଣ୍ଡ ମିଳିବ । ଆତଙ୍କବାଦୀଙ୍କୁ କବର ନିକଟରେ ତାଙ୍କର କବର ଖୋଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ଆଇଡିଏଫ ମୁଖପାତ୍ର କହିଛନ୍ତି ।…