ଦେଶ ବିଦେଶ

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ଚାଙ୍ଗ’ଇ-୫ ନମୁନାରୁ ଚନ୍ଦ୍ର ମାଟିରେ ମିଳିଲା ଜଳ

ଚନ୍ଦ୍ରରୁ ମାଟି ନମୁନା ସହିତ ୨୦୨୦ ମସିହାରେ ପୃଥିବୀକୁ ଫେରିଥିଲା ଚୀନ୍ର ଚାଙ୍ଗ୍’ଇ-୫ ମିଶନ । ମାଟି ନମୁନାର ଅଧ୍ୟୟନରୁ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି । ସେମାନେ ଚନ୍ଦ୍ର ମାଟିରେ ଜଳ କଣିକା ପାଇଛନ୍ତି । ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହା ସ୍ପଷ୍ଟ କରିଛି । ବେଜିଂ ନ୍ୟାସ୍ନାଲ ଲାବୋରେଟୋରୀ ଫର୍ କନ୍ଡେନ୍ସଡ ମ୍ୟାଟର ଫିଜିକ୍ସ ଓ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ଗବେଷକମାନେ ମିଳିତ ଭାବେ ଏହି ନମୁନାକୁ ଅଧ୍ୟୟନ କରିଥିଲେ ।

ଏହାର ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି ।

ଚାଙ୍ଗ୍’ଇ-୫ ମିଶନ ଜରିଆରେ ଆସିଥିବା ମାଟି ନମୁନା ଆଧାରରେ ଚୀନ୍ର ବୈଜ୍ଞାନିକମାନେ ଜଳ କଣିକା-ସମୃଦ୍ଧ ଏକ ହାଇଡ୍ରେଟେଡ୍ ଖଣିଜ ଚିହ୍ନଟ କରିଛନ୍ତି । ୨୦୦୯ ମସିହାରେ ଭାରତର ଚନ୍ଦ୍ରଯାନ-୧ ଚନ୍ଦ୍ରର ଆଲୋକିତ ଅଞ୍ଚଳରେ ଅମ୍ଳଜାନ ଓ ଉଦ୍ଯାନ ରୂପରେ ଜଳଯୁକ୍ତ ଖଣିଜର ସଙ୍କେତ ଚିହ୍ନଟ କରିଥିଲା । ଚନ୍ଦ୍ରଯାନ-୧ରେ ସଂଲଗ୍ନ ନାସାର ମୁନ୍ ମିନେରାଲୋଜି ମ୍ୟାପର୍ ନାମକ ଇମେଜିଂ ସ୍ପେକ୍ଟ୍ରୋମିଟର ଚନ୍ଦ୍ରରେ ଖଣିଜରେ ଲୁକ୍କାୟିତ ଜଳ ଆବିଷ୍କାରକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରିଥିଲା । ୨୦୨୦ ମସିହାରେ ନାସା ମଧ୍ୟ ଚନ୍ଦ୍ରର ସୂର୍ଯ୍ୟାଲୋକ କ୍ଷେତ୍ରରେ ଜଳ ଆବିଷ୍କାର ବିଷୟରେ ଘୋଷଣା କରିଥିଲା । ଷ୍ଟ୍ରାଟୋସ୍ପିୟରିକ୍ ଅବ୍ଜର୍ଭେଟୋରୀ ଫର ଇନ୍ଫ୍ରାରେଡ୍ ଆଷ୍ଟ୍ରୋନୋମିର ତଥ୍ୟ ଆଧାରରେ ଏହା ଚନ୍ଦ୍ରର କ୍ଲାଭିୟସ୍ କ୍ରାଟର୍ରେ ଜଳ କଣିକା ଚିହ୍ନଟ କରିଥିଲା । ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଏହି କ୍ରାଟର ପୃଥିବୀରୁ ଦୃଶ୍ୟମାନ ହେଉଥିବା ଅନ୍ୟତମ ସର୍ବବୃହତ ଗର୍ତ୍ତ ।

Related Articles

Leave a Reply

Your email address will not be published. Required fields are marked *

Back to top button