କଟକ : ସୁସ୍ଥ ମଣିଷ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ଶରୀର ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଲୋକଙ୍କ ଭିତରେ ସଚେତନତାର ଘୋର ଅଭାବ ରହିଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣରୁ ଜଣାପଡିଛି ଯେ ସାରା ବିଶ୍ବରେ ପ୍ରାୟ ୪୫ କୋଟି ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ଵାରା ଆକ୍ରାନ୍ତ। ଭାରତ ବର୍ଷରେ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢି ଚାଲିଛି। ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ମୁତାବକ, ଦେଶର ପ୍ରାୟ ୧୦.୬ ପ୍ରତିଶତ ଲୋକ ବିଭିନ୍ନ ମାନସିକ ସମସ୍ୟା ଦ୍ବାରା ଆକ୍ରାନ୍ତ। କାରୋନା ମହାମାରୀ ଯୋଗୁଁ ମାନସିକ ସମସ୍ୟାରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି। ସବୁ ବର୍ଗ ଓ ସବୁ ବୟସର ଲୋକମାନଙ୍କର ମାନସିକ ଅବସ୍ଥା ଉପରେ ଏହି ମହାମାରୀ ତାର କୁପ୍ରଭାବ ପକାଇଛି। ଛୋଟ ପିଲା ଓ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତି ବିଗିଡିଛି। ବିଭିନ୍ନ ମାନସିକ ରୋଗ, ଯେମିତିକି ଅବସାଦ ବା ଡିପ୍ରେସନ୍, ଏଙ୍ଗଜାଇଟି, ମାନସିକ ଛାନିଆ ରୋଗ ବା ପ୍ୟାନିକ୍ ରୋଗ ଓ ଅନିଦ୍ରା ଆଦି ବୃଦ୍ଧି ପାଇବାରେ ଲାଗିଛି। ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦିର ବ୍ୟବହାର ବଢିଛି। ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଛୋଟ ପିଲାଙ୍କ ଠାରେ ବିଭିନ୍ନ ବ୍ୟବହାରିକ ସମସ୍ୟା ଓ ସ୍ମାର୍ଟ ଫୋନ ଆଡିକସନ୍ ବହୁଳ ମାତ୍ରାରେ ବୃଦ୍ଧି ପାଇଛି।
ମାନସିକ ସ୍ୱାସ୍ଥ୍ୟ, ମାନସିକ ସମସ୍ୟା ଓ ତାହାର ଚିକିତ୍ସା ସମ୍ବନ୍ଧରେ ଆମ ଦେଶରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି। ମାନସିକ ସମସ୍ୟା ଦ୍ବାରା ଆକ୍ରାନ୍ତ ୭୫ରୁ ୮୦ ପ୍ରତିଶତ ଲୋକ ଆବଶ୍ୟକ ଚିକିତ୍ସ୍ୟା ପାଉନାହାନ୍ତି। ଦେଶରେ ମାନସିକ ରୋଗ ବିଶେଷଜ୍ଞଙ୍କର ମଧ୍ୟ ଅଭାବ ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୩ ଜଣ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଛନ୍ତି।
ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ବ ମାନସିକ ସଂଘର ମିଳିତ ଆନୁକୂଲ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ୧୦ ତାରିଖରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ। ଏହାର ପ୍ରମୁଖ ଲକ୍ଷ୍ୟ ହେଲା ବିଭିନ୍ନ ମାନସିକ ରୋଗର କାରଣ, ଲକ୍ଷଣ ଓ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା।
ମାନସିକ ରୋଗ ଚିକିତ୍ସା ସମ୍ଭବ ନୁହେଁ ବୋଲି କେତେକ ଭାବୁଥିବା ବେଳେ ଅନ୍ୟ କେତେକ ଲୋକ ଭାବନ୍ତି ମାନସିକ ରୋଗ ଔଷଧ ସେବନ କଲେ ଏହାକୁ ସାରା ଜୀବନ ଖାଇବାକୁ ପଡେ। ହେଲେ, ଏହା ଭୁଲ୍। ସମସ୍ତ ମାନସିକ ରୋଗର ଚିକିତ୍ସା ସମ୍ପୂର୍ଣ ସମ୍ଭବ। ମାନସିକ ରୋଗର ଲକ୍ଷଣ ଦେଖା ଦେଲେ ବିନା ସଙ୍କୋଚରେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଓ ଉଚିତ ଚିକିତ୍ସା ଗ୍ରହଣ କରନ୍ତୁ ବୋଲି ଏସ୍ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡାକ୍ତର ସତ୍ୟକାମ ମହାପାତ୍ର ପରାମର୍ଶ ଦେଇଛନ୍ତି।