ଦେଶ ବିଦେଶ

ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା

ମୁମ୍ବାଇ : ଡଲାର ତୁଳନାରେ ଟଙ୍କା ଦିନକୁ ଦିନ ଅଧିକ ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାରଦିନ ଗୋଟିଏ ଡଲାର ମୂଲ୍ୟ ୮୧.୫୦ ଟଙ୍କା ଛୁଇଁଛି । ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବଢାଇବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହେଉଛି । କାରଣ ନିବେଶକମାନେ ଡଲାରରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଉଛନ୍ତି । ଫେଡେରାଲ ରିଜର୍ଭ ଆଗକୁ ବି ସୁଧହାର ବଢାଇବାର ସମ୍ଭାବନା ଥିବାରୁ ଟଙ୍କା ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ଦୁର୍ବଳ ଟଙ୍କା ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ସେପ୍ଟେମ୍ବର ୨୮-୩୦ ମୁଦ୍ରାନୀତି ସମୀକ୍ଷା ବୈଠକରେ ଟଙ୍କାର ଅବମୂଲ୍ୟାଙ୍କନ ରୋକିବାକୁ କେତେକ ପଦକ୍ଷେପ ନେଇପାରେ ।

ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ କିପରି ପ୍ରଭାବିତ ହେବେ ?

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପେମେଣ୍ଟ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ । ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ ।  ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ପଢୁଛନ୍ତି କିମ୍ବା ବୁଲିବାକୁ ଯାଉଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ଭାରତ ରପ୍ତାନି କରୁଥିବା ସେବା ଓ ସାମଗ୍ରୀ ବାବଦରୁ ଅଧିକ ଆୟ କରିବ । ବିଶେଷକରି ସଫ୍ଟଓ୍ବାର ରପ୍ତାନି ବାବଦରେ ଅଧିକ ଆୟ କରିବ ଭାରତ । ଭାରତ ସଫ୍ଚଓ୍ବାର ରପ୍ତାନି କରି ଅଧିକ ବିଦେଶୀ ମୁଦ୍ରା ଆୟ କରିଥାଏ । ଏଣୁ ଦୁର୍ବଳ ଟଙ୍କାର ଏହା ଏକ ସକାରାତ୍ମକ ଦିଗ କୁହାଯାଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button