ଓଡିଶା

ଏବେଠୁ ତିନିମାସ କଲବଲ କରିବ: ଏଥର ଭୟଙ୍କର ଗ୍ରୀଷ୍ମପ୍ରବାହ – bajravana

[ad_1]

ସତର୍କ କରାଇଲା କେନ୍ଦ୍ର

ଭୁବନେଶ୍ବର/ନୂଆଦିଲ୍ଲୀ: ଏପ୍ରିଲରୁ ଜୁନ୍‌ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ଦେଶର ରାଜନୈତିକ ବାତାବରଣ ଉଷ୍ମ ରହିବ। ତେବେ ପ୍ରଚାର ଅଭିଯାନର ଘମାଘୋଟଠାରୁ ପାଣିପାଗର ତାତି ଆହୁରି ବଢ଼ିଯିବ। ତିନିମାସ ଧରି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରିବ। ଅସ୍ବାଭାବିକ ପାଣିପାଗ ‌ଯୋଗୁଁ ଓଡ଼ିଶା ସମେତ ୮ଟି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ରହିବ। ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌) ସ୍ବାଭାବିକ ଭାବେ ୫ରୁ ୮ଦିନ ରହିଥାଏ। କିନ୍ତୁ ଚଳିତ ବର୍ଷ ଏହାର ଅବଧି ବଢ଼ିଯିବ। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକ, କେନ୍ଦ୍ରୀୟ ମହାରାଷ୍ଟ୍ରରେ ଏପ୍ରିଲ୍‌, ମଇ ଓ ଜୁନ୍‌ରେ ଗ୍ରୀଷ୍ମପ୍ରବାହ ୧୦ରୁ ୨୦ ଦିନ ମଧ୍ୟରେ ରହିବ। ଏହାଦ୍ବାରା ଅଂଶୁଘାତର ସମ୍ଭାବନା ଅଧିକ ରହିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି।

ଏପ୍ରିଲରୁ ଜୁନ୍‌ ମାସ ମଧ୍ୟରେ ତତଲା‌ ତାୱାରେ ଭାଜି ହେବ ଓଡ଼ିଶା। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏପ୍ରିଲରେ ୮ ଦିନ ଏବଂ ମେ’ ଓ ଜୁନ୍‌ ମାସରେ ୧୪ ଦିନ ପର୍ଯ୍ୟନ୍ତ ହିଟ୍‌ୱେଭ୍‌ ସ୍ଥିତି ଲାଗିରହିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପାରଦ ୪୫ ଡିଗ୍ରି ଟପିଯିବାର ଆଶଙ୍କା ରହିଛି। ତେବେ ଗଞ୍ଜାମରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ରାଜ୍ୟର ଅନ୍ୟ ଅଞ୍ଚଳ ତୁଳନାରେ ଟିକିଏ କମ୍‌ ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଏପ୍ରିଲରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ଅଧିକ ରହିବ। ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ସମ୍ଭାବନା ହେତୁ ଏଥର ଅସ୍ୱାଭାବିକ ପାଣିପାଗ ସହ ଉଷ୍ମଆଦ୍ର ସ୍ଥିତି ଏବଂ ଉଷ୍ମରାତି ସଂଖ୍ୟା ଅଧିକ ଅନୁଭୂତ ହେବା ସମ୍ଭାବନା ରହିଛି। ଏପ୍ରିଲ ମାସରେ ରାଜ୍ୟରେ ହାରାହାରି ୧ରୁ ୩ ଦିନ ଗ୍ରୀଷ୍ମ ପ୍ରବାହର ଅବଧି ରହିଥାଏ। ମାତ୍ର ଚଳିତବର୍ଷ ୩ରୁ ୮ ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି। ସେହିପରି ଏପ୍ରିଲରୁ ଜୁନ ମଧ୍ୟରେ ସ୍ୱାଭାବିକ ତୁଳନାରେ ୬ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ।

ଦେଶର ଅଧିକାଂଶ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ଏପ୍ରିଲରୁ ଜୁନ୍‌ ମାସ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ଅଧିକ ରହିବ। ପୂର୍ବ, ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ କମ୍‌ ରହିବ। ବାକି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯାଇପାରେ। ଏହି ତିନି ମାସରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ରହିବ। ତେବେ ଉତ୍ତର ପୂର୍ବ ଓ ଉତ୍ତର ପଶ୍ଚିମ ଭାରତର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବ। ଦକ୍ଷିଣ, କେନ୍ଦ୍ରୀୟ ଓ ପୂର୍ବ ଭାରତ ସମେତ ଉତ୍ତରପଶ୍ଚିମ ଭାରତର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏପ୍ରିଲରେ ଦେଶରେ ସ୍ବାଭାବିକ ବର୍ଷା ହେବ। ଉତ୍ତରପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ। ପୂର୍ବ ଓ ପଶ୍ଚିମ ଉପକୂଳ, ପୂର୍ବ ଓ ଉତ୍ତରପୂର୍ବ ଭାରତ ଏବଂ ପଶ୍ଚିମ କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି।

ଜଳବାୟୁ ସ୍ଥିତିକୁ ନେଇ ପାଣିପାଗ ବିଭାଗର ଏଭଳି ଚେତାବନୀ ପରେ ଭୂବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୂପ ଭାବେ ‘ଚେତାବନୀ’ ଦୋହରାଇଛନ୍ତି। ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଆଗାମୀ ଦିନଗୁଡ଼ିକ ଆମମାନଙ୍କ ପାଇଁ ଖୁବ୍‌ ଆହ୍ବାନପୂର୍ଣ୍ଣ ରହିବ। ଯେହେତୁ ଭାରତ ଏକ ଜନବହୁଳ ଦେଶ ଓ କ୍ରମାଗତ ଭାବେ ଚରମ ଜଳବାୟୁ ସ୍ଥିତିର ମଧ୍ୟ ସମ୍ମୁଖୀନ ହେଉଛି, ଏହି ଦୃଷ୍ଟିରୁ ଆମକୁ ନିଶ୍ଚିତ ଭାବେ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ। ଏହି ସମୟରେ ନିର୍ବାଚନ ହେଉଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ନେଇ ଅଧିକ ସତର୍କ ରହିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଦୁଇ ଦିନିଆ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ରାଜ୍ୟଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button