ଅପରାଧ

କୋଟାରେ ଆତ୍ମହତ୍ୟା ଆତଙ୍କ: ସରକାରଙ୍କ ପଦକ୍ଷେପ ଫେଲ୍‌ – bajravana

[ad_1]

କୋଟା: ଦେଶରେ କୋଚିଂ ବ୍ୟବସାୟର କେନ୍ଦ୍ର ପାଲଟିଥିବା କୋଟାରେ ଜଣକ ପରେ ଜଣେ ଛାତ୍ର ଆତ୍ମହତ୍ୟା କରିବା ଅଭିଭାବକ ମହଲରେ ଆତଙ୍କ ଖେଳାଇ ଦେଇଛି। ରାଜସ୍ଥାନ ପୁଲିସର ତଥ୍ୟ ଅନୁଯାୟୀ, ୨୦୨୨ରେ ୧୫ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ଏବଂ ୨୦୨୩ରେ ଏହି ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇ ୨୭ରେ ପହଞ୍ଚିଥିଲା । ଚଳିତ ବର୍ଷ ଆଜି ସୁଦ୍ଧା ୮ ଜଣ ଛାତ୍ର ଆତ୍ମହତ୍ୟା କଲେଣି। କୋଟାରେ ଛାତ୍ର ଆତ୍ମହତ୍ୟା ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ହଷ୍ଟେଲ ଏବଂ ପେଇଂ ଗେଷ୍ଟ ଆବାସରେ ଥିବା ସମସ୍ତ ସିଲିଂ ଫ୍ୟାନ୍‌ରେ ‘ଆତ୍ମହତ୍ୟା ନିରୋଧୀ ଉପକରଣ’ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ପିଲାମାନଙ୍କ ମାନସିକ ସନ୍ତୁଳନ ଠିକ୍‌ ରଖିବା ପାଇଁ ଚାପ କମାଇବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ କୁହାଯାଇଥିଲା। କୋଚିଂ ସେଣ୍ଟର ଓ ହଷ୍ଟେଲଗୁଡ଼ିକର ନିୟମିତ ଯାଞ୍ଚ ସମେତ ସାପ୍ତାହିକ ପରୀକ୍ଷାଜନିତ ଚାପ କମାଇବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା। ତେବେ ଏହି ସବୁ କଟକଣା ଲାଗୁ ହେବାର ୬ ମାସ ପରେ ମଧ୍ୟ କୋଟାରେ ଆତ୍ମହତ୍ୟା ଜାରି ରହିଛି । ଗତ ବୁଧବାର ରାତିରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ୨୦୨୪ର ପ୍ରଥମ ତିନି ମାସରେ ୮ ଜଣ ଛାତ୍ର ଆତ୍ମହତ୍ୟା କରିବା ପରେ କୋଚିଂ ସେଣ୍ଟରଗୁଡ଼ିକ ପାଇଁ ପୁଣି ଏକ କଡ଼ା ନିର୍ଦ୍ଦେଶାବଳୀ ଜାରି କରିବାକୁ ପ୍ରସ୍ତୁତି ଚାଲିଛି। ଚଳିତ ମାର୍ଚ୍ଚ ମାସରେ ୩ଟି ଆତ୍ମହତ୍ୟା ରେକର୍ଡ କରାଯାଇଛି। ଜିଲ୍ଲା ପ୍ରଶାସନର ଗାଇଡଲାଇନକୁ ବେଖାତିର କରି ଅନେକ ହଷ୍ଟେଲରେ ସ୍ପ୍ରିଂ ଲୋଡେଡ୍ ଫ୍ୟାନ୍ ଲଗାଯିବାକୁ ଗୁରୁତ୍ବ ଦିଆଯାଉନାହିଁ।

ଫଳରେ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଚାପଗ୍ରସ୍ତ ଛାତ୍ରଙ୍କ ପାଇଁ ସହଜ ହୋଇଯାଉଛି। ଏ ସଂକ୍ରାନ୍ତରେ ପୁଲିସ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବା ପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କୋଟା ହେଉଛି ଭାରତର ପରୀକ୍ଷା ପ୍ରସ୍ତୁତି ବ୍ୟବସାୟର କେନ୍ଦ୍ର ଏବଂ ଏଠାରେ କୋଚିଂ ବ୍ୟବସାୟର ଆନୁମାନିକ ମୂଲ୍ୟ ବାର୍ଷିକ ୧୦,୦୦୦ କୋଟି ଟଙ୍କା ହେବ ବୋଲି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆକଳନ କରିଛନ୍ତି। ନିଟ୍ ଏବଂ ଜେଇଇ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଟ୍ୟୁସନ ସେଣ୍ଟରଗୁଡ଼ିକରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଆସି ନାମ ଲେଖାଉଛନ୍ତି। ତେବେ ଅନେକ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳୁନଥିବା ବେଳେ ସେମାନେ ପରିବାରର ଚାପ ଓ କୋଚିଂ ସେଣ୍ଟର ଚାପରେ ଘାଣ୍ଟି ହୋଇ ଅବସାଦର ଶିକାର ହେଉଛନ୍ତି ଏବଂ ଅନେକ ନିଜ ଜୀବନକୁ ଶେଷ କରିଦେବାକୁ ପଛାଉନଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ ଥର ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ସେମାନଙ୍କୁ ବିଭିନ୍ନ ଦିଗରୁ ଅସହ୍ୟ ଚାପର ଶିକାର ହେବାକୁ ପଡ଼ୁଛି। ଗତ ବର୍ଷ ସେପ୍ଟେମ୍ବର ୨୮ତାରିଖରେ ରାଜସ୍ଥାନ ସରକାର ଛାତ୍ର ଆତ୍ମହତ୍ୟା ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ଟେଷ୍ଟ, ବିଶ୍ରାମ ପାଇଁ ଉପଯୁକ୍ତ ସୁଯୋଗ ଦେବା ଏବଂ ହଷ୍ଟେଲଗୁଡ଼ିକର ନିୟମିତ ଯାଞ୍ଚ କରିବା ଏହି ପ୍ରକ୍ରିୟାର ଅଂଶ ଥିଲା। ତେବେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଛାତ୍ର ଆତ୍ମହତ୍ୟା ଥମୁନଥିବାରୁ ପ୍ରଶାସନର ଚିନ୍ତା ବଢ଼ିଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button