ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବସାୟକୁ ନେଇ ଭାରତ ଓ ଚୀନ୍କୁ ଧମକ ଦେଇଛନ୍ତି
ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବସାୟକୁ ନେଇ ଭାରତ ଓ ଚୀନ୍କୁ ଧମକ ଦେଇଛନ୍ତି। ଆମେରିକାର ଦ୍ରବ୍ୟ ଉପରୁ ଟ୍ୟାକ୍ସ କମ୍ ନକଲେ ଆମେରିକା ମଧ୍ୟ ସମାନ ପରିମାଣ ଟ୍ୟାକ୍ସ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ। ସେ କହିଛନ୍ତି ଆମେ ଆମଦାନୀ କରୁଥିବା ଦ୍ରବ୍ୟ ଉପରେ କମ୍ ଟ୍ୟାକ୍ସ ଲଗାଉଛୁ। ହେଲେ ଅନ୍ୟ ଦେଶମାନେ ଆମଠାରୁ ଆମଦାନୀ କରୁଥିବା ଦ୍ରବ୍ୟ ପରେ ଅଧିକ ଟ୍ୟାକ୍ସ ଲଗାଉଛନ୍ତି। ଯଦି ଅନ୍ୟ ଦେଶମାନେ ଟ୍ୟାକ୍ସ କମ୍ କରିବେ ନାହିଁ ତେବେ ଆମେ ବି ଅଧିକ ଟ୍ୟାକ୍ସ ଲଗାଇବୁ।
ପୂର୍ବରୁ ଟ୍ରମ୍ପ ଏହି ପ୍ରସଙ୍ଗ ଏକାଧିକ ଥର ଉଠାଇ ସାରିଛନ୍ତି। ସେ ହାର୍ଲି ଡେୱିଡସନ ବାଇକ୍ ଉପରେ ୫୦ ପ୍ରତିଶତ ଟ୍ୟାକ୍ସ କଥା ଏକାଧିକ ଥର ଉଠାଇଛନ୍ତି। ସେ କହିଛନ୍ତି ଭାରତରୁ ରପ୍ତାନୀ ହେଉଥିବା ବାଇକ୍ ପରେ ଆମେ ଶୂନ୍ୟ ପ୍ରତିଶତ ଟ୍ୟାକ୍ସ ଲଗାଇଛୁ। ଆମେ ଯେକୌଣସି ସମୟରେ ‘ଜବାବି କର’ ଯୋଜନା କାର୍ଯ୍ୟକାରୀ କରିପାରୁ। ଚୀନ ଆମ ଉପରେ ୨୫ ପ୍ରତିଶତ ଓ ଭାରତ ୭୫ ପ୍ରତିଶତ ଟ୍ୟାକ୍ସ ଲଗାଉଛି। ହେଲେ ଆମେ ତାଙ୍କ ଉପରେ କୌଣସି ଟ୍ୟାକ୍ସ ଲଗାଇ ନାହୁଁ।
ସେ ଆହୁରି କହିଛନ୍ତି, “ଆପଣମାନେ ଯେତେ ଟ୍ୟାକ୍ସ ଲଗାଇବେ ଆମେ ‘ଜବାବି କର’ ଯୋଜନା ମାଧ୍ୟମରେ ସେତିକି ଟ୍ୟାକ୍ସ ଲଗାଇବୁ। ଆମ ପ୍ରଶାସନ ‘ଜବାବି କର’ ମଞ୍ଚ ପ୍ରସ୍ତୁତ କରିସାରିଛି। ଆମ ଦେଶର କମ୍ପାନୀମାନଙ୍କ ପ୍ରତି ନିରପେକ୍ଷ ବ୍ୟବହାର କରାଯାଉନାହିଁ।”
ଆମେରିକା ମତରେ ଚୀନ୍, ଆମେରିକାର ଦ୍ରବ୍ୟ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ଲଗାଉଛି। ହେଲେ ଆମେରିକା ଚୀନ୍ ଦ୍ରବ୍ୟ ପରେ ୨.୫ ପ୍ରତିଶତ କର ଲଗାଉଛି। ଆମେରିକା ‘ଜବାବି କର’ କାର୍ଯ୍ୟକାରୀ କଲେ ଚୀନ୍ ଦ୍ରବ୍ୟ ପରେ ୨୫ ପ୍ରତିଶତ ଟ୍ୟାକ୍ସ ଲଗାଇବ। ସେହିପରି ଟ୍ରେଡ ୱାର ଚିନ୍ତାକୁ ହେୟଜ୍ଞାନ କରି ଟ୍ରମ୍ପ ଗୁରୁବାର ଷ୍ଟିଲ ଓ ଆଲୁମିନିୟମ ଉପରେ ଟ୍ରାଫିକ୍ ଡ୍ୟୁଟି ଲଗାଇବା ପାଇଁ ଦସ୍ତଖତ କରିଛନ୍ତି। ଷ୍ଟିଲ ଦ୍ରବ୍ୟ ଉପରେ ୨୫ ପ୍ରତିଶତ ଓ ଆଲୁମିନିୟମ ଦ୍ରବ୍ୟ ପରେ ୧୦ ପ୍ରତିଶତ ଡ୍ୟୁଟି ଲଗାଇ ଦେଇଛି ଆମେରିକା। ଏହି ଇନପୋର୍ଟ ଟ୍ରାଫିକ୍ ୧୫ ଦିନ ଭିତରେ ଲାଗୁ ହୋଇଯିବ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ସାରା ବିଶ୍ୱରେ ଚିନ୍ତା ଘାରିବାରେ ଲାଗିଛି। ଚୀନ୍ ଓ ଫ୍ରାନ୍ସ ପରି ରାଷ୍ଟ୍ର ଆମେରିକାର ଏହି ନିଷ୍ପତ୍ତିକୁ ବିରୋଧ କରିସାରିଛନ୍ତି।
ଭାରତ ଉପରେ ପଡ଼ିବ ନାହିଁ ପ୍ରଭାବ
ତେବେ ଏହି ଟ୍ରେଡ ୱାରର ପ୍ରଭାବ ଭାରତ ଉପରେ ବିଶେଷ ପଡ଼ିବ ନାହିଁ। କାରଣ ଭାରତର ମୋଟ ରପ୍ତାନୀରେ ଆମେରିକାର ଅଂଶ ମାତ୍ର ୨ ପ୍ରତିଶତ। ଅନ୍ୟପକ୍ଷରେ ଆମେରିକାର ଟ୍ରାଫକ୍ ଡ୍ୟୁଟି ନିଷ୍ପତ୍ତି ପରେ ଭାରତକୁ ଷ୍ଟିଲର ରପ୍ତାନୀ ବଢ଼ିବ। ବିଶେଷଜ୍ଞ ଚିନ୍ତା ପ୍ରକଟ କରି କହିଛନ୍ତି, ଟ୍ରମ୍ପଙ୍କ ଏପରି ପଦକ୍ଷେପ ପରେ ଯେଉଁ ଷ୍ଟିଲ ଆମେରିକା ରପ୍ତାନୀ ହେଉଥିଲା ତାହା ଏବେ ଭାରତକୁ ରପ୍ତାନୀ କରାଯିବ। ଏପରି ସ୍ଥିତିରେ ଭାରତକୁ ଆଣ୍ଟି-ଡିପିଙ୍ଗ ଡ୍ୟୁଟି ଉପରେ ଗୁରୁତ୍ୱ ଦେବାକୁ ପଡିବ।