ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ ରୁଷ୍ମୁହାଁ: ଯୁଦ୍ଧ ଯୋଗୁଁ ବାକି ରହିଥିଲା ପାଠ – bajravana
[ad_1]
ରୁଷ୍ ଆକ୍ରମଣରେ ପୀଡ଼ିତ ସେହି ରୁଷ୍ରେ ଗଢ଼ୁଛନ୍ତି ଭବିଷ୍ୟତ
ଭୁବନେଶ୍ବର: ଯୁଦ୍ଧ ପାଇଁ ୟୁକ୍ରେନରେ ମେଡିକାଲ ପାଠ ଅଧାରେ ଛାଡ଼ି ଘରକୁ ଫେରି ଆସିଥିବା ଛାତ୍ରଛାତ୍ରୀ ଏବେ ପାଠ ଶେଷ କରିବାଲାଗି ରୁଷ୍ ଓ ଜର୍ଜିଆ ମୁହାଁ ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ କିଛିଟା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି, କିନ୍ତୁ ଭବିଷ୍ୟତ କୌଣସି ପ୍ରକାର ରକ୍ଷା ପାଇଯାଇଥିବା ସେମାନେ କହୁଛନ୍ତି। ପ୍ରାୟ ୨ବର୍ଷ ତଳେ ୟୁକ୍ରେନ୍ ଉପରେ ରୁଷ୍ର ଯୁଦ୍ଧ ଘୋଷଣା ଓ ଆକ୍ରମଣ ଯୋଗୁଁ କେବଳ ୟୁକ୍ରେନରେ କାମ କରୁଥିବା ଭାରତୀୟଙ୍କ ସହିତ ସେଠାରେ ପଢୁଥିବା ଓଡ଼ିଶାର ୭୦୦ରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ ଘରକୁ ଫେରି ଆସିଥିଲେ। ସେମାନଙ୍କ ଭିତରୁ ଅଧିକଂଶ ସୁରକ୍ଷିତ ଫେରିଥିଲେ ମଧ୍ୟ ପାଠ ଅଧା ବାକିଥିବାରୁ ତାଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରକୁ ଚାଲି ଯାଇଥିଲା। ଯୁଦ୍ଧ ଶେଷ ହୋଇ ନଥିବାରୁ ସେମାନେ ପୁଣି ନିଜ କଲେଜକୁ ଫେରି ପାଠ ସମାପ୍ତ କରିବା ସମ୍ଭବ ନଥିଲା। ସେଥିପାଇଁ ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ସେମାନଙ୍କୁ ପଢିବାକୁ ସୁଯୋଗ ଦେବା ପାଇଁ ଦାବି କରିଥିଲେ। କିନ୍ତୁ ତାହା ମଧ୍ୟ ଏତେ ସହଜ ନଥିଲା। ତେଣୁ ସମୟ ନଷ୍ଟ ନକରି ତୁରନ୍ତ ରୁଷ୍ ସ୍ଥିତ ମାରିଷ୍ଟେଟ ମେଡିକାଲ ବିଶ୍ବବିଦ୍ୟାଳୟକୁ ଟ୍ରାନ୍ସଫର କରି ମେଡିକାଲ୍ର ସ୍ନାତକ ସମ୍ପୂର୍ଣ୍ଣ କରି ସାରିଛନ୍ତି ରାଜଧାନୀର ଝାରପଡ଼ାରେ ରହୁଥିବା ସିଦ୍ଧାନ୍ତ ରାଉତରାୟ। ସେ କହନ୍ତି, ଏହି ସମୁଦାୟ ପ୍ରକ୍ରିୟାରେ ତାଙ୍କର ଗୋଟିଏ ବର୍ଷ ମଧ୍ୟ ନଷ୍ଟ ହୋଇନାହିଁ। ରୁଷ୍ ଓ ୟୁକ୍ରେନ୍ର ମେଡିକାଲ ପାଠ୍ୟକ୍ରମ ସମାନ। ସେଥିପାଇଁ ବର୍ଷକୁ ୪ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଛି। ତାଙ୍କ ଭଳି ଅନେକ ୟୁକ୍ରେନ ଫେରନ୍ତା ମେଡିକାଲ ବିଦ୍ୟାର୍ଥୀ ରୁଷ୍ରେ ପାଠ ପଢୁଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ଆସି ଲାଇସେନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବଲପୁର ଅଧିବାସୀ ଅଜିମ ଅଜ୍ଜୁ କହିଛନ୍ତି, ଯୁଦ୍ଧ ଯୋଗୁଁ ତାଙ୍କ ପୁଅ ଜାକିଙ୍କୁ ୟୁକ୍ରେନ ସ୍ଥିତ ମେଡିକାଲ କଲେଜରୁ ପାଠ ଅଧାରୁ ଛାଡ଼ି ଘରକୁ ଆସିବାକୁ ପଡ଼ିଥିଲା। ଏଠାରେ ପ୍ରଥମେ ସେ ଅନ୍ଲାଇନ୍ରେ ସେହି ବର୍ଷର ପରୀକ୍ଷା ଦେଇଥିଲା। ପରେ ୟୁକ୍ରେନ ମେଡିକାଲ କଲେଜର ସହଯୋଗରେ ୪ ମାସ ପୂର୍ବରୁ ଜର୍ଜିଆ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ପୁଅ ବର୍ତ୍ତମାନ ମଧ୍ୟ ସେଠାରେ ରହି ପଢୁଛନ୍ତି। ଏଥିପାଇଁ ଅବଶ୍ୟ ଦୁଇଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି, କିନ୍ତୁ ପୁଅର ଭବିଷ୍ୟତ ସୁରକ୍ଷିତ ରହିଥିବାରୁ ସେ ଖୁସି ଅଛନ୍ତି। ଅବଶ୍ୟ ଥରେ ଖର୍ଚ୍ଚ କରିବା ପରେ ପୁଣି ଅଧିକ ଖର୍ଚ୍ଚ କରିବା ଫେରି ଆସିଥିବା ସବୁ ମେଡିକାଲ ଛାତ୍ରଛାତ୍ରୀଙ୍କ ବାପା ମା’ଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। କିନ୍ତୁ ଏମିତି ଦେଖିଲେ ଅଧିକ ଖର୍ଚ୍ଚ କରିବାକୁ ପଡୁଥିଲେ ମଧ୍ୟ ତାହା ଭାରତର ଅଧିକାଂଶ ଘରୋଇ ମେଡିକାଲ୍ କଲେଜର ଫି’ଠାରୁ କମ୍। ଏହି କ୍ଷେତ୍ରରେ କାମ କରୁଥିବା ଏକ ସଂସ୍ଥାର ଅବଦୁଲ୍ ଜାହିର୍ କହନ୍ତି, କେବଳ ତାଙ୍କ ସଂସ୍ଥା ଜରିଆରେ ୟୁକ୍ରେନ୍ ଯାଇ ମେଡିକାଲ୍ ପାଠ ପଢୁଥିବା ପ୍ରାୟ ୫୦୦ ଛାତ୍ରଛାତ୍ରୀ ଯୁଦ୍ଧ ଯୋଗୁଁ ୨୦୨୨ ମସିହାରେ ସୁରକ୍ଷିତ ଫେରି ଆସିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ରୁଷ୍ରେ ପଢୁଛନ୍ତି। ସୋଭିଏତ ରୁଷ ଥିବା ସମୟରୁ ହିଁ ଓଡ଼ିଶା ସମେତ ସମଗ୍ର ଭାରତର ଛାତ୍ରଛାତ୍ରୀ ସେଠାରେ ମେଡିକାଲ୍ ପାଠ ପଢୁଥିଲେ।
ସୋଭିଏତ ସଂଘ ଭାଙ୍ଗିଯିବା ପରେ ଅଧିକ ମେଡିକାଲ୍ କଲେଜ ଥିବା ଅଞ୍ଚଳଟି ୟୁକ୍ରେନ ପଟକୁ ଚାଲି ଯାଇଥିଲା। ତେଣୁ ସଂଖ୍ୟାଧିକ ପିଲା ସେଠାକୁ ଯାଇ ପଢୁଥିଲେ, ଯଦିଓ ରୁଷ୍ ସେମାନଙ୍କର ପ୍ରଥମ ପସନ୍ଦ ଥିଲା। ଏବେ ଯୁଦ୍ଧ କାରଣରୁ ୟୁକ୍ରେନ୍ରେ ପଢୁଥିବା ପିଲା ସମାନ ପାଠ୍ୟକ୍ରମ ଥିବା ରୁଷ୍ ବା ଜର୍ଜିଆକୁ ଯାଇ ପାଠ ଶେଷ କରୁଛନ୍ତି। କିଛି ଛାତ୍ରଛାତ୍ରୀ ଅବଶ୍ୟ ଉଜ୍ବେକିସ୍ତାନ ଓ କାଜାଖସ୍ତାନକୁ ମଧ୍ୟ ପସନ୍ଦ କରୁଥିବା ଜାହିର କହିଛନ୍ତି। ଏହି ପ୍ରସଙ୍ଗର ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ୟୁକ୍ରେନ୍ ଉପରେ ଯେଉଁ ରୁଷ୍ ଆକ୍ରମଣ କରି ଏହି ମେଡିକାଲ ଛାତ୍ରଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତକୁ ସଙ୍କଟାପନ୍ନ କରୁଥିଲା, ପିଲାଏ ଏବେ ସେହି ରୁଷ୍ରେ ବାକିଥିବା ନିଜର ଭବିଷ୍ୟତ ଗଢୁଛନ୍ତି।
[ad_2]