ଓଡିଶା

ବିଟି କଟନକୁ ସ୍ବୀକୃତି ମିଳିବ କେବେ? ୧୦ ରାଜ୍ୟରେ ଚାଲୁଛି, ଓଡ଼ିଶାରେ ଅଡୁଆ ଛିଣ୍ଡୁନି – bajravana

[ad_1]

ଭବାନୀପାଟଣା: ଦେଶର ପ୍ରାୟ ୧୧ଟି ରାଜ୍ୟରେ କପା ଚାଷ ହେଉଥିବା ବେଳେ ୧୦ଟି ରାଜ୍ୟରେ ବିଟି କଟନ ଚାଷକୁ ସ୍ବୀକୃତି ମିଳିଛି। ହେଲେ, ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ବିଟି କଟନକୁ ସ୍ବୀକୃତି ମିଳିନାହିଁ। ଫଳରେ ଅନ୍ୟ ରାଜ୍ୟ ଭଳି ବିହନଠାରୁ ଆରମ୍ଭ କରି ତାଲିମ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାରୁ ଚାଷୀମାନେ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ କପାଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଭାରତର ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୁଜରାତ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ସମେତ ୧୧ଟି ରାଜ୍ୟରେ କପା ଚାଷ ହୋଇଥାଏ। ୧୦ଟି ରାଜ୍ୟରେ ବିଟି କଟନ ଚାଷ କରାଯାଉଥିବା ବେଳେ ଓଡ଼ିଶାରେ ଏହାକୁ ବେଆଇନ ଘୋଷଣା କରାଯାଇଛି। ଇତିମଧ୍ୟରେ ବିଟି କଟନ ଚାଷ ମଣିଷ ଓ ପ୍ରାଣୀ ସମ୍ପଦ ପାଇଁ ହାନିକାରକ ନୁହେଁ ବୋଲି ପ୍ରମାଣିତ ହୋଇସାରିଛି। ଅଲ୍‌ ଇଣ୍ଡିଆ କଟନ୍‌ ରିସର୍ଚ୍ଚ ପ୍ରୋଗ୍ରାମ ପାଇଁ ଓଡ଼ିଶାର ଏକମାତ୍ର ଗବେଷଣା କେନ୍ଦ୍ର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ରହିଛି।

ଅନ୍ୟ ରାଜ୍ୟମାନଙ୍କରେ ବିଟି କଟନ ନିମନ୍ତେ ତାଲିମ ଓ ଗବେଷଣା କରାଯାଉଥିବା ବେଳେ ଓଡ଼ିଶାରେ ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାର କୃଷି ଉତ୍ପାଦନ କମିସନରଙ୍କ ନେତୃତ୍ବରେ ଗତ ୨୦୨୦ ମସିହା ନଭେମ୍ବର ୬ ତାରିଖ, ୨୦୨୧ ମସିହା ମେ ୧୩ ତାରିଖ ଓ ୨୦୨୧ ମସିହା ମେ’ ୬ ତାରିଖରେ ବୈଠକମାନ ଅନୁଷ୍ଠିତ ହୋଇଥିଲା। ଏଥିରେ କୃଷି ନିର୍ଦେଶକ, ଓୟୁଏଟି, ଆର୍‌ଆର୍‌ଟିଏସ୍‌, ଏଆଇସିଆର୍‌ପି ଅନ୍‌ କଟନ ଓ ନାଗପୁରର ସିଆଇସିଆର୍‌ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶାରେ ବିଟି କଟନ ଚାଷକୁ ଆଇନସମ୍ମତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ, ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।

ଅପରପକ୍ଷରେ ଚାଷୀମାନେ ବିଟି କଟନ ଚାଷରୁ ଅଧିକ ଲାଭ ପାଉଥିବା ଯୋଗୁଁ ଏହାକୁ ଚାଷ କରୁଛନ୍ତି। ରାଜ୍ୟ ବାହାରର କମ୍ପାନିମାନେ ବିଟି କଟନ ବିହନ ଚାଷୀଙ୍କୁ ବିକ୍ରି କରୁଛନ୍ତି। ରାଜ୍ୟ ବାହାରେ ଏହି କମ୍ପାନିମାନେ ବିଟି କଟନ ବିହନ ପରୀକ୍ଷଣ ମଧ୍ୟ କରୁଛନ୍ତି। ଓଡ଼ିଶାରେ ବିଟି କଟନର ରାଶି-୫୬୯, ତୁଳସୀ ତାକତ, କନକ, ବନ୍ନୀ ଓ ରାକା ପ୍ରଜାତିର ବିଟି କଟନ ବିହନ ଚାଷ ହେଉଛି। ରାଜ୍ୟ ସରକାର ବିଟି କଟନର ବିକଳ୍ପ ବିହନକୁ ମଧ୍ୟ ପ୍ରୋତ୍ସାହନ ଦେଉନଥିବା ଓ ସଚେତନତା ଅଭାବ ଯୋଗୁଁ କପା ଚାଷୀମାନେ ଅଡୁଆରେ ପଡୁଛନ୍ତି। ଦେଶରେ ୨୧ଟି ସ୍ଥାନରେ କପା ଗବେଷଣା କେନ୍ଦ୍ର ରହିଛି। ଓଡ଼ିଶା ବ୍ୟତୀତ ୨୦ଟି କପା ଗବେଷଣା କେନ୍ଦ୍ରରେ ବିଟି କଟନ ଉପରେ ଗବେଷଣା, ତାଲିମ ଓ ଚାଷୀଙ୍କୁ କ୍ଷେତ୍ର ସହଯୋଗ କରି ଆସୁଛନ୍ତି। ଓଡ଼ିଶାରେ ବିଟି କଟନ ଉପରୁ କେବେ କଟକଣା ଉଠିବ ବୋଲି କପା ଚାଷୀମାନେ ପ୍ରଶ୍ନ କରୁଛନ୍ତି।

ଓଡ଼ିଶାରେ କପା ଉତ୍ପାଦନ ଜାତୀୟ ଉତ୍ପାଦନ ହାର ସହିତ ପ୍ରାୟ ସମାନ ରହିଛି। ଜାତୀୟ ଉତ୍ପାଦନ ହାର ହେକ୍ଟର ପିଛା ୫୧୦ କେଜି ଲିଣ୍ଟ ଥିବା ବେଳେ ଓଡ଼ିଶାରେ ଏହା ପ୍ରାୟ ୫୦୦ ଶହ କେଜି ଲିଣ୍ଟ ପ୍ରତି ହେକ୍ଟର ରହିଛି। ଓଡ଼ିଶାର କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀରରେ ଅଧିକ କପା ଉତ୍ପାଦନ ହୋଇଥାଏ। ଏହି ସବୁ ଜିଲ୍ଲାରେ କେବଳ ବିଟି କଟନ ବହୁଳ ଭାବରେ ଚାଷ ହେଉଛି। ବିଟି କଟନ ଚାଷ କରି ଓଡ଼ିଶା ଜାତୀୟ କପା ଉତ୍ପାଦନ ହାର ସହିତ ସମାନ ଥିବା ବେଳେ ରାଜ୍ୟ ସରକାର ବିଟି କଟନକୁ କେବେ ସ୍ବୀକୃତି ଦେବେ ଚାଷୀ ମହଲରେ ଅପେକ୍ଷା ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button