ମରିଗଲାଣି ‘ମଲାଗୁଣୀ’ ସେଚ ପ୍ରକଳ୍ପ: ଏବେ ନ ସଜାଡ଼ିଲେ ଉଜୁଡ଼ିଯିବ ଚାଷ – bajravana
[ad_1]
ତିନି ନିର୍ବାଚନମଣ୍ଡଳୀର ଜୀବନରେଖା, ବାଲିବସ୍ତା ଭରସାରେ ଡ୍ୟାମ୍, ଅଧାରୁ ଅଧିକ କବାଟ ଅଚଳ
ଉମେଶ ଚନ୍ଦ୍ର ପଟ୍ଟନାୟକ
ନିରାକାରପୁର: ଗଲା ଖରିଫ ଚାଷୀଙ୍କୁ ଭାରି କନ୍ଦାଇଲା। ଠିକଣା ସମୟରେ ବର୍ଷା ହେଲାନି ବୋଲି ଧାନ ଥୋଡ଼ ବାହାରିବା ବେଳକୁ ଉଜୁଡ଼ିଲା ଭଳି ସ୍ଥିତି ଉପୁଜିଲା। ନିକଟରେ ‘ମଲାଗୁଣୀ’ ସେଚ ପ୍ରକଳ୍ପ ଥାଇ ବି କିଛି ଲାଭ ହେଲା ନାହିଁ। କାରଣ, ରାମେଶ୍ବର ଡ୍ୟାମ୍ ଶୁଖିଲା ପଡ଼ିଥିଲା। ସମାନ ସ୍ଥିତି ଆସନ୍ତା ଖରିଫରେ ପୁଣି ଉପୁଜିବା ଆଶଙ୍କା ଏବେଠୁ ଦିଶିଲାଣି। କାରଣ, ଡ୍ୟାମ୍ର ଅଧାରୁ ଅଧିକ ସ୍ଲୁଇସ୍ଗେଟ୍ ନଷ୍ଟ ହୋଇଯାଇଥିବା ବେଳେ ଆସନ୍ତା ମୌସୁମୀଜନିତ ବର୍ଷାପାଣି ଡ୍ୟାମ୍ରେ ସଞ୍ଚିତ ରହିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏବେ ଜାନୁଆରି ସରି ଫେବ୍ରୁଆରି ଆସିବାକୁ ବସିଲାଣି। ଜୁନ୍ ଶେଷ ବେଳକୁ ମୌସୁମୀ ଆସିବ। ହାତରେ ମାତ୍ର ଆଉ ୫ ମାସ। ଏବେଠୁ ସ୍ଲୁଇସ୍ଗେଟ୍ ନ ସଜାଡ଼ିଲେ, ତିନି ନିର୍ବାଚନମଣ୍ଡଳୀର ହଜାର ହଜାର ଚାଷୀକୁଳ ଯେ ପ୍ରଭାବିତ ହେବେ ସେ ଆଶଙ୍କା ଘନେଇଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ନ ସଜାଡ଼ିଲେ ଉଜୁଡ଼ିଯିବ ଚାଷ
ତିନି ନିର୍ବାଚନମଣ୍ଡଳୀର ଜୀବନରେଖା
ବାଲିବସ୍ତା ଭରସାରେ ଡ୍ୟାମ୍, ଅଧାରୁ ଅଧିକ କବାଟ ଅଚଳ
ମୌସୁମୀ ଆଉ ୫ ମାସ, ଏବେଠୁ ମରାମତି ଲୋଡ଼ା
ସୂଚନା ମୁତାବକ, ମଲାଗୁଣୀ ସେଚ ପ୍ରକଳ୍ପ (ରାମେଶ୍ବର ଡ୍ୟାମ୍) ଉଭୟ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ତିନିଟି ନିର୍ବାଚନମଣ୍ଡଳୀର ଜୀବନରେଖା। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ସମେତ ବେଗୁନିଆ ଓ ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଚାଷୀକୁଳ ଏ ପାଣି ଉପରେ ନିର୍ଭର କରନ୍ତି। ପ୍ରାୟ ଦୁଇ ହଜାର ହେକ୍ଟର ଚାଷ ଜମିକୁ ଏ ପ୍ରକଳ୍ପ ଜଳସେଚନ କରାଇବାର କ୍ଷମତା ରଖେ। ଏ ଡ୍ୟାମ୍ର ଜଳ ସଞ୍ଚୟ କରିବା ପାଇଁ ମୋଟ୍ ୯ଟି କବାଟ ଖଞ୍ଜାଯାଇଛି। ଏ କବାଟ କେତେ ଦଶନ୍ଧି ତଳୁ ଲାଗିଥିଲା। ସମୟ କ୍ରମେ କବାଟ ସବୁ ନଷ୍ଟ ହୋଇଗଲାଣି। ନିକଟ ଅତୀତରେ ନଅଟି କବାଟରୁ ତିନିଟିର ମରାମତି କରାଯାଇଥିଲା। ଅବଶିଷ୍ଟ ଛଅଟି କବାଟରେ ପାଣି ବାହାରି ଯିବା ଥୟ। କାମଚଳା ନୀତିରେ ବିଭାଗ କବାଟରେ ବାଲି ବସ୍ତା ଖଞ୍ଜି ଯେନତେନ ପ୍ରକାରେ ଚଳାଇ ନେଉଛି। ଯାହା ସ୍ଥାୟୀ ସମାଧାନ ନୁହେଁ।
ତେଣୁ, ଆସନ୍ତା ମୌସୁମୀ ପୂର୍ବରୁ ଡ୍ୟାମ୍ରେ ନୂଆ କବାଟ ସବୁ ଖଞ୍ଜାଯିବା ନିତାନ୍ତ ଜରୁରି। ନଚେତ୍ ବର୍ଷା ଜଳକୁ ସଞ୍ଚୟ କରାଯାଇ ପାରିବନାହିଁ। ଡ୍ୟାମ୍ର ମରାମତି, ନୂତନ କବାଟ ଖଞ୍ଜିବା ପାଇଁ ଅନ୍ୟୂନ ତିନି/ଚାରି ମାସ ସମୟ ଲୋଡ଼ା। ପାଞ୍ଚ ମାସ ମଧ୍ୟରେ ମୌସୁମୀ ପହଞ୍ଚିବାକୁ ଥିବା ବେଳେ ଜଳ ସମ୍ପଦ ବିଭାଗ ହାତରେ ବି ଆଉ ସମୟ ନାହିଁ। ଆସନ୍ତା ୧୫ଦିନ ମଧ୍ୟରେ ସରକାର ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କଲେ, ଚଳିତବର୍ଷ ଭଳି ଆସନ୍ତା ଖରିଫ୍ରେ ବି ଜଳ ସଂକଟ ଘନେଇବା ଆଶଙ୍କା ଦେଖା ଦେଇଛି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ କହିଛନ୍ତି, ଡ୍ୟାମ୍ ମରାମତି ଓ କବାଟ ଖଞ୍ଜିବା ପାଇଁ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ସରକାର ଅନୁମୋଦନ କଲେ ତୁରନ୍ତ କାମ ଆରମ୍ଭ କରି ଦିଆଯିବ ବୋଲି ଯନ୍ତ୍ରୀ ଶ୍ରୀ ଦାସ ଆଶ୍ବାସନା ଦେଇଛନ୍ତି।
[ad_2]