ଓଡିଶା

ନିଜ ଭୋଟ ବ୍ୟାଙ୍କ ଜଗିଛି ବିଜେଡି: ରୋଚକ ସ୍ଥିତିରେ ଆସିକା ରାଜନୀତି – bajravana

[ad_1]

ସ୍ଥିତି ସୁଦୃଢ଼ ପାଇଁ ବିଜେପିର କସରତ, ମୁରବିହୀନ କଂଗ୍ରେସ ଖୋଜୁଛି ନେତୃତ୍ବ

ଗିରୀଶ ଚନ୍ଦ୍ର ତ୍ରିପାଠୀ
ଆସିକା: ଓଡ଼ିଶା ରାଜନୈତିକ ମାନଚିତ୍ରରେ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ‌ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ୧୯୫୧ ମସିହାରେ ବିଧାନସଭା କ୍ଷେତ୍ର ଗଠନ ପରଠୁ ୨୦୧୯ ମଧ୍ୟରେ ହୋଇଥିବା ୧୬ଟି ନିର୍ବାଚନରେ ବହୁ ବିଶିଷ୍ଟ ରାଜନେତା ଏଠାରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି। ୧୯୫୧ରେ ଦ୍ବୈତ ସଂରକ୍ଷଣ ବ୍ୟବସ୍ଥାରେ କମ୍ୟୁନିଷ୍ଟ୍ ପାର୍ଟିର ସ୍ବର୍ଗତ ହରିହର ଦାସ ଓ ପଦ୍ମଶ୍ରୀ ମୋହନ ନାୟକ ଆସିକାର ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୭, ୧୯୬୭ ଓ ୧୯୭୪ରେ ହରିହର ଦାସ ପୁଣି ନିର୍ବାଚିତ ହୋଇଥିଲେ। ମୋଟ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ହରିହରଙ୍କ ବିରଳ ରେକର୍ଡ଼ ସୃଷ୍ଟି ଏବେ ବି ଅତୁଟ ରହିଛି। ସେହିପରି ବିଜେଡିରୁ ଦେବରାଜ ମହାନ୍ତି ତିନିଥର ୨୦୦୦, ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇ ସଫଳତା ହାସଲ କରିଛନ୍ତି।

ଅନ୍ୟପକ୍ଷରେ ୧୯୬୧ରେ କଂଗ୍ରେସରୁ ଲୋକନାଥ ମିଶ୍ର, ୧୯୭୧ ରେ ଉତ୍କଳ କଂଗ୍ରେସରୁ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ, ୧୯୭୭ରେ ଜନତା ପାର୍ଟିରୁ ହରିହର ସ୍ବାଇଁ, ୧୯୮୦ ଓ ୧୯୮୫ରେ କଂଗ୍ରେସରୁ ରାଘବ ପରିଡ଼ା, ୧୯୯୦ରେ ସିପିଆଇରୁ ଦ୍ବିତୀକୃଷ୍ଣ ପଣ୍ଡା, ୧୯୯୫ରେ କଂଗ୍ରେସରୁ ଉଷାରାଣୀ ପଣ୍ଡା ଓ ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ସରୋଜ ପାଢ଼ୀ ନିର୍ବାଚିତ ହୋଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ନିର୍ବାଚନମଣ୍ଡଳୀ ସିପିଆଇର ଏକ ଗଡ଼ ଭାବେ ପରିଚିତ ଥିଲା। ତେବେ ୨୦୦୪ ପରଠୁ ଏଠାରେ ରାଜନୈତିକ ସମୀକରଣ ବଦଳିଛି। ସେହିବର୍ଷ ଶେଷଥର ପାଇଁ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାପରଠୁ ଲଗାତାର ତିନିଟି ନିର୍ବାଚନ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ବିଜୟ ଧାରାକୁ ବଜାୟ ରଖିଛି। ପ୍ରାକ୍ତନ ଆସିକା ଲୋକସଭା ସାଂସଦ ସ୍ବର୍ଗତ ଲଡୁକିଶୋର ସ୍ବାଇଁଙ୍କ ପତ୍ନୀ ମଞ୍ଜୁଳା ସ୍ବାଇଁ ବର୍ତ୍ତମାନ ବିଧାୟିକା ରହିଛନ୍ତି। ଏଭଳି ପରିସ୍ଥିତିରେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ବିଜେଡି ଅପରାଜେୟ ରହିବାକୁ ରଣକୌଶଳ ଆରମ୍ଭ କରିସାରିଛି।

ତେବେ ଗଲା ତିନିଟି ନିର୍ବାଚନରେ ବିଜେଡିର ଭୋଟ ହାର ବୃଦ୍ଧି ଦଳ ପାଇଁ ସଞ୍ଜୀବନୀ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବନି। ୫ଟି ନିର୍ବାଚନର ଫଳାଫଳକୁ ଅନୁଧ୍ୟାନ କଲେ ୨୦୦୦ରେ ବିଜେଡି ୪୪.୦୯% ଭୋଟ ପାଇଥିଲା। ସେତେବେଳେ ଦେବରାଜ ମହାନ୍ତି ଦଳୀୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ୨୦୦୪ରେ ପ୍ରାର୍ଥୀ ପରିବର୍ତ୍ତନ କରିବା ଫଳରେ ଦଳ ୨୬.୭୮% ଭୋଟ ପାଇ ତୃତୀୟ ସ୍ଥାନକୁ ଖସିଥିଲା। କିନ୍ତୁ ୨୦୦୯ ଓ ୨୦୧୪ରେ ଦଳ ଏଠାରେ ପୁଣି ଦେବରାଜଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଭୋଟ ହାର ଯଥାକ୍ରମେ ୫୨.୨୫ ଓ ୫୪.୮୪ %କୁ ବୃଦ୍ଧି ପାଇଥିଲା। ୨୦୧୯ରେ ବିଜେଡି ମହିଳା କାର୍ଡ଼ ଖେଳି ପୂର୍ବତନ ସାଂସଦ ଦିବଙ୍ଗତ ଲଡ଼ୁକିଶୋରଙ୍କ ପତ୍ନୀ ମଞ୍ଜୁଳାଙ୍କୁ ସୁଯୋଗ ଦେଇଥିଲା। ଆଉ ଏଥିରେ ବି ଦଳର ଭୋଟ ହାର ୫୫.୫% ବଢ଼ିଥିଲା। ଫଳରେ ଏହି ଭୋଟହାରକୁ ପାଥେୟ କରି ଦଳ ଆଗାମୀ ନିର୍ବାଚନ ବୈତରଣୀକୁ ପାର କରିବାକୁ ଅଣ୍ଟା ଭିଡ଼ିଛି।

ସେହିପରି ବିଜେପିର ପୂର୍ବସ୍ଥିତିକୁ ଅନୁଧ୍ୟାନ କଲେ ୧୯୯୫ରେ ଦଳ ପ୍ରଥମେ ସୂର୍ଯ୍ୟନାରାୟଣ ଦାଶଙ୍କୁ ପ୍ରାର୍ଥୀ କରି ମାତ୍ର ୫.୦୬% ଭୋଟ ପାଇଥିଲା। ଏହାପରେ ବିଜେଡି ସହ ମେଣ୍ଟ କାରଣରୁ ୨୦୦୦ ଓ ୨୦୦୪ରେ ଦଳରୁ କାହାକୁ ପ୍ରାର୍ଥୀ କରାଯାଇ ନଥିଲା। କିନ୍ତୁ ମେଣ୍ଟ ଭାଙ୍ଗିବା ପରେ ୨୦୦୯ ନିର୍ବାଚନରେ ଦଳ ପୁଣି ସୂର୍ଯ୍ୟନାରାୟଣଙ୍କୁ ପ୍ରାର୍ଥୀ କରି ୫.୮୨% ଓ ୨୦୧୪ରେ ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରି ୫.୯୪ % ଭୋଟ ପାଇଥିଲା। ୨୦୧୯ରେ ବିଜେଡି ଛାଡ଼ି ଦେବରାଜ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିବା ପରେ ଭୋଟହାର ୩୨.୯%କୁ ବୃଦ୍ଧି ପାଇଥିଲା। କିନ୍ତୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାମଧ୍ୟରେ ଦଳର ସଂଗଠନରେ ଅନେକ ପରିବର୍ତ୍ତନ ଘଟିଛି। ପୂର୍ବତନ ବିଧାୟକ ସରୋଜ ପାଢ଼ୀ ବିଜେପିରେ ଯୋଗ ଦେଇ ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ତେବେ ବିଜେପି ଏଥର ବିଜେଡିକୁ କଡ଼ା ଟକ୍କର୍ ଦେଇପାରେ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।

ଅନ୍ୟପକ୍ଷରେ ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକ ପ୍ରକାର ମୁରବିହୀନ ହୋଇଯାଇଛି। ୧୯୯୫ରେ ଶେଷଥର ପାଇଁ ଉଷାରାଣୀ ପଣ୍ଡା ଏଠାରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ। ୨୦୦୦ ମସିହା ପରଠୁ ଦଳକୁ କେବଳ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ୧୯୯୫ରେ ଉଷାରାଣୀ ୩୬.୫ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୦୦ରେ ଉମାଚରଣ ବିଷୋୟୀ ୨୬.୯୯ ପ୍ରତିଶତ ଭୋଟ ସହ ଦ୍ବିତୀୟ ସ୍ଥାନରେ, ୨୦୦୪ରେ ପ୍ରଶାନ୍ତ ଚନ୍ଦ୍ର ସ୍ୱାଇଁ ୨୮.୮୩ ପ୍ରତିଶତ ଭୋଟ ସହ ଦ୍ବିତୀୟ ସ୍ଥାନ‌ ଓ ୨୦୦୯ରେ ଅଲେଖ ଚୌଧୁରୀ ୧୭.୫୭ ପ୍ରତିଶତ ଭୋଟ ସହ ତୃତୀୟ ସ୍ଥାନ ଏବଂ ୨୦୧୪ରେ ସରୋଜ ପାଢ଼ୀ ୩୩.୧୫ ପ୍ରତିଶତ ଭୋଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୯ରେ ସ୍ବର୍ଗତ ମନୋଜ ଜେନା ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର ୭.୭୧ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏହାପରଠୁ ଦଳ ସଂଗଠନକୁ ସୁଦୃଢ଼ କରିବାକୁ ନୂଆ ନେତୃତ୍ବ ଖୋଜୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button