ପାଠପଢ଼ା ସହିତ ରୋଜଗାର ସୁଯୋଗ ଦେଉଛି ସାମାଜିକ ଗଣମାଧ୍ୟମ – bajravana
[ad_1]
ପ୍ରିୟଙ୍କା ରାୟ
ଭୁବନେଶ୍ୱର: ସମ୍ପ୍ରତି ସାମାଜିକ ଗଣମାଧ୍ୟମ ସହିତ ଆମେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇସାରିଛୁ। ଏହା କେବଳ ଏକ ମନୋରଞ୍ଜନ ମାଧ୍ୟମ ହୋଇରହିନାହିଁ। ପାଠପଢ଼ାରୁ ଆରମ୍ଭ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିବା, ପ୍ରତିଭା ପ୍ରଦର୍ଶନ ଓ ଅର୍ଥ ଉପାର୍ଜନର ଏକ ବଡ଼ ମାଧ୍ୟମ ପାଲଟିଛି ସାମାଜିକ ଗଣମାଧ୍ୟମ। ଏହାଦ୍ବାରା ବିଭିନ୍ନ ରାଜ୍ୟ, ଦେଶର ସଂସ୍କୃତି, ପରମ୍ପରା, ଐତିହ୍ୟର ପ୍ରଚାରପ୍ରସାର ହୋଇପାରୁଛି। ବଡ଼ କଥା ହେଉଛି ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଯୁବପିଢ଼ିଙ୍କୁ ଆଉ ବଡ଼ ମଞ୍ଚ କିମ୍ବା କାହାର ସହାୟତା ନେବାର ଆବଶ୍ୟକତା ପଡ଼ୁନାହିଁ। ଇଣ୍ଟରନେଟ୍ ଯୁଗରେ ଷ୍ଟାର୍ ହେବା ଆଉ କିଛି ବଡ଼ କଥା ହୋଇନାହିଁ। ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ ଆଦି ବହୁ ମାଧ୍ୟମ ବର୍ତ୍ତମାନ ଯୁବପିଢ଼ିଙ୍କ କ୍ୟାରିୟର୍ ଗଢ଼ିବାକୁ ସୁଯୋଗ ସୃଷ୍ଟି କରିଛି। ଏଭଳି ଜଣେ ପ୍ରତିଭା ହେଉଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ। କିନ୍ତୁ ସାମାଜିକ ଗଣମାଧ୍ୟମରେ ସେ ପ୍ରିୟଙ୍କା ସନମ ଭାବେ ବେଶ୍ ପରିଚିତ। ତାଙ୍କର ପାଠପଢ଼ା ଜାରି ରହିଥିବା ବେଳେ ରୋଜଗାର ବି କରିପାରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବଲିଉଡ୍ ଗାୟକ ସନମ ପୁରୀଙ୍କ ସେ ଜଣେ ବଡ଼ ପ୍ରଂଶସକ। ସେଥିପାଇଁ ସେ ତାଙ୍କ ନାମ ସହ ସନମ ଯୋଡ଼ିଛନ୍ତି। ଏବେ ତାଙ୍କୁ ମାତ୍ର ୨୩ ବର୍ଷ ବୟସ। ବର୍ତ୍ତମାନ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ। ପାଠପଢ଼ା ସହିତ ୟୁଟ୍ୟୁବ୍ ଓ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ସେ ବେଶ୍ ସକ୍ରିୟ। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୫ ଲକ୍ଷ ୮୨ ହଜାର ଫଲୋଅର୍ସ ଓ ୟୁଟ୍ୟୁବ୍ରେ ୬୦ ହଜାର ଫଲୋଅର୍ସ ଅଛନ୍ତି। ୨୦୧୮ ମସିହାରେ ପ୍ରଥମେ ସେ ଚଳଚ୍ଚିତ୍ର ‘ରାଜ୍’ର ସଂଗୀତ ‘ଆପ୍କେ ପ୍ୟାର୍ ମେ ହମ୍ ସବର୍ନେ ଲଗେଁ’ରେ ନୃତ୍ୟ କରି ଭିଡିଓ ପୋଷ୍ଟ କରିଥିଲେ। ସେହି ଭିଡିଓଟି ବହୁ ପ୍ରଂଶସିତ ହୋଇଥିଲା। ଲକ୍ଷାଧିକ ଲୋକ ତାଙ୍କୁ ପ୍ରଂଶସା କରିଥିଲେ। ଏହାପରଠୁ ସେ ନିଜର ଯାତ୍ରା ଜାରି ରଖିଛନ୍ତି।
ସାମାଜିକ ଗଣମାଧ୍ୟମ ପେସା ହୋଇପାରିବା ସମ୍ପର୍କରେ ତାଙ୍କ କହିବା କଥା ଏବେ ଏମିତି ବହୁ ୟୁଟ୍ୟୁବ୍ର ଅଛନ୍ତି, ଯେଉଁମାନେ କଲେଜ ଡ୍ରପ୍ ଆଉଟ୍ ହୋଇ ମଧ୍ୟ ଏହି ମାଧ୍ୟମରେ କୋଟି କୋଟି ଟଙ୍କା କମାଉଛନ୍ତି। ଗଣମାଧ୍ୟମରେ ନିଜର ଭିଡିଓ ପୋଷ୍ଟ କରି ବହୁ ଲୋକ ସିନେମା ଓ ଟେଲି ଧାରାବାହିକରେ ଅଭିନୟ କରିବାର ସୁଯୋଗ ମଧ୍ୟ ପାଇଛନ୍ତି। ବହୁ ଲୋକ କମେଡି, ଛୋଟ ଛୋଟ ଡ୍ୟାନ୍ସ ଷ୍ଟେପ୍, ପ୍ରେରଣାଦାୟୀ ବାର୍ତ୍ତା, କେଶସଜ୍ଜା ଆଦି ବିଭିନ୍ନ ବିଷୟବସ୍ତୁକୁ ନେଇ ୩୦ ସେକେଣ୍ଡର ଭିଡିଓ କରି ବହୁ ଲୋକପ୍ରିୟ ହୋଇପାରୁଛନ୍ତି ବୋଲି ସେ କହନ୍ତି। ମିଡିଆ ଟ୍ରୋଲ୍କୁ କିଭଳି ସାମ୍ନା କରୁଛନ୍ତି? ଏହାର ଉତ୍ତରରେ ସେ କୁହନ୍ତି ଯେ ଯେତେବେଳେ କେହି କିଛି ଭଲ କାମ କରେ, ବହୁ ଲୋକ ତାଙ୍କୁ ପ୍ରତିରୋଧ କରିବାକୁ ଅଥବା ମନୋବଳ ଦୁର୍ବଳ କରିବାକୁ ଲାଗିପଡ଼ନ୍ତି। କିନ୍ତୁ ସେହି ସମୟରେ ସେ ବିଚଳିତ ନ ହୋଇ ନିଜର କାର୍ଯ୍ୟ କରିଚାଲନ୍ତି ବୋଲି କୁହନ୍ତି। ଯିଏ ଯେମିତି ବୁଝିଲା, ସେମିତି କହିବ। ଲୋକଙ୍କ କାମ କହିବା। ବହୁତ ଲୋକ ପ୍ରଶଂସା କରନ୍ତି ଏବଂ କମ୍ ଲୋକ ନିନ୍ଦା କରନ୍ତି। ସେଥିପ୍ରତି ନିଘା ରଖିଲେ, ଆଗକୁ ବଢ଼ିବା ସମ୍ଭବ ହେବ ନାହିଁ। ତାଙ୍କୁ କିଛି ସିନେମା ଓ ଧାରାବାହିକରେ କାମ କରିବାକୁ ଅଫର ମିଳିଛି। କିନ୍ତୁ ପାଠପଢ଼ା ଚାଲିଥିବାରୁ ସେ ସେଭଳି ଅଫର୍ ଗ୍ରହଣ କରିପାରୁନାହାନ୍ତି ବୋଲି କହିଛନ୍ତି। ପ୍ରଥମେ ପ୍ରଥମେ ପରିବାରରୁ ସମର୍ଥନ ମିଳୁନଥିଲା, କିନ୍ତୁ ଲୋକପ୍ରିୟତା ବଢ଼ିବା ଦେଖି ଏବେ ପରିବାରରୁ ସହଯୋଗ ମିଳୁଛି ବୋଲି ସେ କୁହନ୍ତି। ତାଙ୍କର ସଫଳତାର ଶ୍ରେୟ ସେ ନିଜର ବନ୍ଧୁ କ୍ରିଷ୍ଣାଙ୍କୁ ଦିଅନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟସ୍ତତା ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହେଉନାହିଁ ବୋଲି ସେ କହିଛନ୍ତି। ଅବସର ସମୟରେ ସେ ଭିଡିଓ ପ୍ରସ୍ତୁତ କରନ୍ତି ବୋଲି କହିଛନ୍ତି।
[ad_2]