ପଞ୍ଜାବ ଢାଞ୍ଚା ଆପଣାଇଲେ ଓଡ଼ିଶା ଚାଷୀ: ଦ୍ବିତୀୟ ଦିନ ପାଇଁ ପୁଣି ୬ ସହର ସ୍ଥିତି ଜଟିଳ – bajravana
[ad_1]
ଭୁବନେଶ୍ବର: ଓଡ଼ିଶାରେ ଭୟଙ୍କର ଭାବେ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ। ଲଗାତାର ଦ୍ବିତୀୟ ଦିନ ପାଇଁ ଆଜି ରାଜ୍ୟର ୬ଟି ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି। ଅନୁଗୁଳ ଓ ତାଳଚେରର ବାୟୁମଣ୍ଡଳ ପୁଣିଥରେ ବିଷାକ୍ତ ହୋଇଛି। ଅନୁଗୁଳରେ ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ରେ ପହଞ୍ଚିଛି। ଯେତେବେଳେ କି ଦିଲ୍ଲୀରେ ୩୪୫ ରହିଥିଲା। କଟକ ଓ ଭୁବନେଶ୍ବର ସ୍ଥିତି ଆଜି ମଧ୍ୟ ଗମ୍ଭୀର ରହିଛି। କଟକରେ ଏକ୍ୟୁଆଇ ମାତ୍ରା ୩୪୦ ରହିଥିବା ବେଳେ ଭୁବନେଶ୍ବର ଓ ବାଲେଶ୍ବରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪, ରାଇରଙ୍ଗପୁରରେ ୩୦୦ ରହିଥିଲା। ଦେଶର ୧୭ଟି ଅତି ସାଂଘାତିକ ପ୍ରଦୂଷିତ ସମୟ ମଧ୍ୟରେ ଓଡ଼ିଶାର ୬ଟି ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିବିସିବି) ପକ୍ଷରୁ କୁହାଯାଇଛି। ବାରିପଦା ରିପୋର୍ଟ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ଏଠାରେ ମଧ୍ୟ ଅନୁରୂପ ସ୍ଥିତି ରହିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ସମୟରେ ଅଧିକ ଶିଳ୍ପାଞ୍ଚଳ କିମ୍ବା ଅଧିକ ଗାଡ଼ି ମଟର ଚଳାଚଳ କରୁଥିବାରୁ ସହରରେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା କୁହାଯାଇଥିଲା। ମାତ୍ର ଏବେ କଟକ, ବାରିପଦା, ବାଲେଶ୍ବର ଓ ରାଇରଙ୍ଗପୁର ସହରର ବାୟୁ ପ୍ରଦୂଷିତ ହେବା ପଛରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବ ଓ ହରିୟାଣା ଢାଞ୍ଚାରେ ଓଡ଼ିଶା କ୍ଷେତ୍ରରେ ଧାନ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସୃଷ୍ଟି ହେଉଥିବା ବେଳେ ଉପକୂଳ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବାୟୁ ଗୁଣବତ୍ତା କମିଯିବା ଲାଗି ମନୁଷ୍ୟକୃତ ବିପର୍ଯ୍ୟୟ ଦାୟୀ ବୋଲି ବିଶେଷଜ୍ଞ କହିବା ଆରମ୍ଭ କଲେଣି। ପଞ୍ଜାବ ଓ ହରିୟାଣାରେ କ୍ଷେତଗୁଡ଼ିକରୁ ଫସଲ ଅମଳ କରିସାରିବା ପରେ ଚାଷୀ ନଡ଼ାରେ ନିଆଁ ଲଗାଇ ଦେଇଥାଆନ୍ତି। ସେଗୁଡ଼ିକୁ ବୋହିବାରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏଭଳି ପଦକ୍ଷେପ ନିଅନ୍ତି। ଫଳରେ ସେଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କରେ। ଏହି କାରଣରୁ ଦିଲ୍ଲୀର ବାୟୁ ମଧ୍ୟ ପ୍ରଦୂଷିତ ହେଉଥିବାର ନଜରି ରହିଛି। ଏବେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଧାନ ଅମଳର ସମୟ ହୋଇଥିବାରୁ କୃଷକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରୁଛନ୍ତି। ଶ୍ରମିକ ଅଭାବ ହେଉଥିବାରୁ ଧାନ କଟା ଯନ୍ତ୍ର ସାହାଯ୍ୟରେ ଅମଳ କରିବା ପରେ ସେଥିରୁ ବାହାରୁଥିବା ନଡ଼ାରେ ନିଆଁ ଲଗାଇ ଦେଉଛନ୍ତି।
କେବଳ ସେତିକି ନୁହେଁ। ଧାନ କଟା ଯନ୍ତ୍ର ବ୍ୟବହାର ଦ୍ବାରା ଧାନ ଗଛଗୁଡ଼ିକ ସମ୍ପୂର୍ଣ୍ଣ ମୂଳରୁ କଟୁ ନାହିଁ। ଲମ୍ବା ନଡ଼ା ମାଟିରେ ଲାଗିରହୁଛି, ଯାହାକି ପରବର୍ତ୍ତୀ ସମୟରେ ଚାଷ ବେଳେ କୃଷକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଥିପାଇଁ ଚାଷୀମାନେ ଏବେ ସମ୍ପୂର୍ଣ୍ଣ ଜମିରେ ନିଆଁ ଲଗାଇ ବାକି ରହିଥିବା ନଡ଼ାଗୁଡ଼ିକୁ ଜାଳି ଦେଉଛନ୍ତି। କଟକ-ଚାନ୍ଦବାଲି ରାସ୍ତା ହେଉ ଅଥବା ଭୁବନେଶ୍ବରୁ ବାଲେଶ୍ବର ପର୍ଯ୍ୟନ୍ତ ଜାତୀୟ ରାଜପଥ ପାର୍ଶ୍ବରେ ପ୍ରତିଦିନ ସନ୍ଧ୍ୟା ସମୟରେ ଏକର ଏକର ଜମିରେ ନିଆଁ ଲାଗିଥିବାର ଚିତ୍ର ସାମ୍ନାକୁ ଆସିଛି। ଏହାଦ୍ବାରା ଚାଷୀଙ୍କୁ ଆଉ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁ ନାହିଁ। କମ୍ ଖର୍ଚ୍ଚରେ ଧାନ ଅମଳ କରିପାରୁଛନ୍ତି। ଏହାଦ୍ବାରା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲାଗୁଡ଼ିକରେ ବାୟୁମଣ୍ଡଳ ପ୍ରଦୂଷଣ ହେଉଛି। ସେପଟେ ଅନେକ ସହରାଞ୍ଚଳରେ ଅଳିଆକୁ ସ୍ଥାନାନ୍ତର କରିବା ବ୍ୟୟସାପେକ୍ଷ ଭାବି ମଧ୍ୟ ପୋଡ଼ି ଦିଆଯାଉଥିବା ଦେଖିବାକୁ ମିଳୁଛି। ଧୂଆ, ଧୂଳି ଯୋଗୁଁ ଭୋର ସମୟରେ ଗାଡ଼ି ଚାଳକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଦିନର କୁହୁଡ଼ି ଏହି ଧୂଆଁ ସହ ମିଶିବା ଦ୍ବାରା ରାସ୍ତା ଦେଖିବା ମଧ୍ୟ କଷ୍ଟକର ହୋଇପଡ଼ୁଛି ଏବଂ ଅନେକ ସମୟରେ ଦୁର୍ଘଟଣା ହେଉଛି।
ଓଡ଼ିଶା ପରିବେଶ ସମିତି ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀଙ୍କ କହିବାନୁଯାୟୀ ଓଡ଼ିଶାର ଚାଷୀମାନେ ଏବେ ପଞ୍ଜାବ ଢାଞ୍ଚା ଆପଣାଇଲେଣି। ଧାନ ଅମଳ ପରେ ଜମିରେ ନିଆଁ ଲଗାଇବା ଦ୍ବାରା ବାୟୁମଣ୍ଡଳ ପ୍ରଦୂଷଣ ହେବା ସତ। ତେବେ ତାହା ଏତେଟା ପ୍ରଭାବିତ କରିପାରି ନାହିଁ। ଅନୁଗୁଳ, ଯାଜପୁର, କେନ୍ଦୁଝର ପରି ଜିଲ୍ଲାରେ ଖଣିଜ ପଦାର୍ଥ ଉତ୍ତୋଳନ, ପରିବହନ, ଶିଳ୍ପାଞ୍ଚଳ, ରାସ୍ତାରେ ଗାଡ଼ି ଚାଲୁଥିବାରୁ ଉଡ଼ୁଥିବା ଧୂଳି ପ୍ରଦୂଷଣ ସୃଷ୍ଟି କରୁଛି। କଟକ, ଭୁବନେଶ୍ବର ପରି ସହରରେ ଖୋଲା ଭାବେ ନିର୍ମାଣ କାର୍ଯ୍ୟ କରାଯିବା ଦ୍ବାରା ବାୟୁ ପ୍ରଦୂଷଣର ଅନ୍ୟତମ କାରଣ। ଶୀତ ଦିନରେ ବାୟୁ ସ୍ଥିର ରହିବା, ତାପମାତ୍ରା କମ୍ ରହୁଥିବାରୁ ଧୂଳିକଣା ଭୂପୃଷ୍ଠକୁ ଲାଗି ରହିବା, ଉପରକୁ ଯାଇ ନ ପାରିବା, କୁହୁଡ଼ି ହେବା ଦ୍ବାରା ପ୍ରଦୂଷିତ ପଦାର୍ଥ ବାୟୁମଣ୍ଡଳରେ ଅଟକି ରହୁଛି। ପବନର ବେଗ କମ୍ ରହୁଥିବାରୁ ତାହା ଆଗକୁ ଯାଇପାରୁ ନ ଥିବାରୁ ପ୍ରଦୂଷଣ ବଢ଼ୁଛି। ୨୦୧୮ରେ ଚିହ୍ନଟ ହୋଇଥିବା ଦେଶର ୧୩୨ଟି ଅଧିକ ପ୍ରଦୂଷିତ ସହର ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଏନ୍ଜିଟି ଓ ସିପିସିବି ନିର୍ଦ୍ଦେଶ ଦେଇଥିଲେ। ତାହା ଫଳପ୍ରଦ ହୋଇପାରି ନାହିଁ। ଏବେ ଦୀର୍ଘସୂତ୍ରୀ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବା ସହ ବାୟୁ ପ୍ରଦୂଷଣ ବିରୋଧରେ ରାଜ୍ୟ ସରକାର କଠୋର ହେବାର ସମୟ ଆସିଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଗତ ବିଧାନସଭା ଅଧିବେଶନ ସମୟରେ ମଧ୍ୟ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ କାଟିବା ପରେ ବିଲରେ ବଳକା ନଡ଼ାରେ ନିଆଁ ଲଗାଇ ଦେଉଥିବା କହିଥିଲେ। ସାଟେଲାଇଟ୍ ଚିତ୍ରରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି।
[ad_2]