କଂଗ୍ରେସକୁ ଫେରିବେ ଗମାଙ୍ଗ, ଶ୍ରୀକାନ୍ତ! – bajravana
[ad_1]
ଅଜୟ କୁମାରଙ୍କ ସଞ୍ଜୀବନୀ ଆଶାରେ ଦଳ
କ୍ଷୀରୋଦ ପାଢ଼ୀ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ବଳ ଗୋଟାଉଛି। ୨୦୧୪ ଓ ୨୦୧୯ରେ ଦଳରୁ ମୁହଁ ଫେରାଇଥିବା ନେତାଙ୍କୁ ପୁଣି କୋଳେଇ ନେବାକୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ। ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ବେଳେ ଦଳ ଛାଡ଼ିଥିବା କିଛି ବରିଷ୍ଠ ବିଧିବଦ୍ଧ ଭାବେ ପୁଣି ସାମିଲ ହେଉଛନ୍ତି। ୬ ତାରିଖ ଅପରାହ୍ଣରେ ସେ ଭୁବନେଶ୍ବରରେ ପହଞ୍ଚି ସମ୍ବର୍ଦ୍ଧନା ନେବା ପରେ ଦଳ ଛାଡ଼ିଥିବା କିଛି ବରିଷ୍ଠ ନେତା ୭ ତାରିଖ କଂଗ୍ରେସରେ ଯୋଗ ଦେବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଯୋଗଦେବା ନେଇ ଏଆଇସିସି ପକ୍ଷରୁ ସବୁଜ ସଂକେତ ଦିଆଯାଇଛି। ଗିରିଧର ଗମାଙ୍ଗ ଭୁବନେଶ୍ବର ନୁହେଁ, ନୂଆଦିଲ୍ଲୀରେ ହାଇକମାଣ୍ଡଙ୍କ ଉପସ୍ଥିତିରେ ସାମିଲ ହେବେ ବୋଲି ପ୍ରସ୍ତୁତି ଚଳାଇଛନ୍ତି। ପୁଅ ଶିଶିର ଗମାଙ୍ଗ ୭ ତାରିଖ କିମ୍ବା ବାପାଙ୍କ ସହ ଦିଲ୍ଲୀରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇନି। ପୂର୍ବରୁ ଶିଶିର ୨୦୦୯ରେ ଗୁଣପୁର ବିଧାନସଭା ପାଇଁ କଂଗ୍ରେସ ଓ ୨୦୧୯ରେ ବିଜେପିରୁ ଲଢ଼ିଥିଲେ। ୨୦୨୪ ରେ ଏହି ପରିବାରରୁ କେହି ନବରଙ୍ଗପୁର ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୦୯ରେ କଂଗ୍ରେସରୁ ବରଗଡ଼ ଲୋକସଭା ଆସନରେ ବିଜୟୀ ହୋଇଥିବା ସଂଜୟ ଭୋଇ ମଧ୍ୟ ଦଳକୁ ଫେରୁଥିବା ସୂଚନା ମିଳିଛି।
ତତ୍କାଳୀନ କଂଗ୍ରେସ ବିଧାୟକ ନବକିଶୋର ଦାସ, ସୁବଳ ସାହୁ, ନିହାର ମହାନନ୍ଦ, ଯୋଗେଶ ସିଂ, ବରିଷ୍ଠ ନେତା କିଶୋର ପଟେଲ ପ୍ରମୁଖଙ୍କ ବିରୋଧ ସତ୍ତ୍ବେ ୨୦୧୪ ରେ ହାଇକମାଣ୍ଡ ସଞ୍ଜୟଙ୍କ ଉପରେ ଭରସା କରିଥିଲେ। ୨୦୨୨ ପଦମପୁର ଉପନିର୍ବାଚନ ବେଳେ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଇତିମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଏଆଇସିସି ପକ୍ଷରୁ ଶ୍ରୀ ଭୋଇଙ୍କ ସହ ଦଳରେ ସାମିଲ ହେବା ପାଇଁ ଯୋଗାଯୋଗ କରାଯାଇଛି। ସେ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ କଂଗ୍ରେସ ଦଳ ପ୍ରତି ପୂର୍ବ ଅପେକ୍ଷା ନରମ ଆଭିମୁଖ୍ୟ ପୋଷଣ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ଆଦିବାସୀ, ହରିଜନ ଓ ପଛୁଆ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁଯୋଗ ପ୍ରସଙ୍ଗରେ ସହମତ ଭଳି ଅନେକ ପ୍ରସଙ୍ଗରେ ସେ ଏବେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରୁଛନ୍ତି। ଏବେ ବି କଂଗ୍ରେସ ବିଚାର ସହିତ ରହିଛି। ବହିଷ୍କୃତ ପରେ ମଧ୍ୟ ସେ ଦଳ ବିରୋଧରେ କୌଣସି ଟିପ୍ପଣୀ ଦେଇ ନଥିଲେ ବୋଲି କହିଛନ୍ତି। ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେଲେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବି ବୋଲି ଶ୍ରୀ ଜେନା ‘ସମ୍ବାଦ’କୁ କହିଛନ୍ତି। ପିସିସିର ପୂର୍ବତନ ଅନୂସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଧ୍ୟ ଦଳକୁ ଫେରିବେ। ଦିଲ୍ଲୀରେ ଏନେଇ ସମସ୍ତ ଔପଚାରିକତା ଶେଷ ହୋଇଛି।
ରାହୁଲ ଗାନ୍ଧୀଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବରେ ଦଳ ଦକ୍ଷିଣ ଭାରତରେ ସଫଳତା ପାଇଛି। ଜାନୁଆରି ୧୪ ତାରିଖରେ ମଣିପୁରରୁ ରାହୁଲ ଗାନ୍ଧୀ ଭାରତ ନ୍ୟାୟ ଯାତ୍ରା ନାମରେ ନିଜର ଦ୍ବିତୀୟ ରାଜନୈତିକ ଯାତ୍ରା ଆରମ୍ଭ କରିବେ। ଏହା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ଏହା ଓଡ଼ିଶାର କିଛି ଜିଲ୍ଲା ଦେଇ ଯିବ। ଏଥିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ଦ୍ବାରା ୨୦୦୯ ମସିହାରେ ଦଳ ଜିତିଥିବା ବାଲେଶ୍ବର ସମେତ ପଶ୍ଚିମ ଓଡ଼ିଶାର ୬ଟି ଲୋକସଭା ଆସନରେ ପ୍ରଭାବ ପଡ଼ିବ ବୋଲି ଦଳ ଆଶା କରୁଛି। ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଦଳର ବିଜୟ ପରେ ପଡ଼ୋଶୀ ଗଂଜାମ, ଗଜପତିରେ ଏହାର ପ୍ରଭାବ ପଡ଼ିବ ବୋଲି ଦଳର ନେତା ଆକଳନ କରିଛନ୍ତି। ୨୦୧୯ ରେ ଦୁଇ ବିଧାନସଭା ଆସନ ବିଶିଷ୍ଟ ଗଜପତି ଜିଲ୍ଲାରେ ମୋହନା ଆସନ କଂଗ୍ରେସ ଖାତାକୁ ଯାଇଥିବା ବେଳେ ସାଂସଦ ପ୍ରାର୍ଥି ଭି ଚନ୍ଦ୍ରଶେଖର ନାଇଡୁ ପ୍ରାୟ ୯୮ ହଜାର ଭୋଟ ପାଇଥିଲେ। କିନ୍ତୁ ଏଥିରେ ରାଜ୍ୟରେ କଂଗ୍ରେସର ଭୋଟ ହାର ୧୬.୩ ପ୍ରତିଶତକୁ ଖସି ଆସିଥିଲା। ପଞ୍ଚାୟତ ନିର୍ବାଚନ ଓ ମ୍ୟୁନିସିପାଲିଟି ନିର୍ବାଚନରେ ଦଳ ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଥିଲା।
୨୦୧୯ରେ କଂଗ୍ରେସର ପରାଜୟ ଜିତେନ୍ଦ୍ର ସିଂକୁ ବଦଳାଇ ଡ. ଏ ଚେଲ୍ଲା କୁମାରଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ଅସଜଡ଼ା ଓଡ଼ିଶା କଂଗ୍ରେସକୁ ସେ ସଜାଡ଼ିବାରେ ବିଫଳ ହୋଇଥିଲେ। ଏପରିକି କ୍ରମାଗତ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନ, ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ପରିଚାଳନାରେ ସେ ବିଫଳ ହୋଇଥିଲେ। ଯାହା ହାଇକମାଣ୍ଡଙ୍କ ଚିନ୍ତାକୁ ବଢ଼ାଇ ଦେଇଥିଲା। ଡିସେମ୍ବର ୨୩ ତାରିଖ ପୂର୍ବତନ ସାଂସଦ ତଥା ଏଆଇସିସିର ମୁଖପାତ୍ର ଡ. ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ଜାମସେଦପୁରର ଏସ୍ପି ଭାବେ ସେ କାର୍ଯ୍ୟ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ସହ ଆଖପାଖ ଅଞ୍ଚଳ ସହ ତାଙ୍କର ପରିଚିୟ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନ ଜେଏମଏମ ସହ କଂଗ୍ରେସ ମେଣ୍ଟ ହେବା ଭଳି ଯଦି ୨୦୨୪ ନିର୍ବାଚନରେ ବି ମେଣ୍ଟ ହୁଏ ଡ. ଅଜୟ କୁମାର ପୂର୍ବ ପୃଷ୍ଠଭୂମି ପାଇଁ ଇଣ୍ଡିଆ ଗଠବନ୍ଧନ ବେଶ ଲାଭବାନ ହେବେ ବୋଲି ଦଳ ବିଶ୍ବାସ କରୁଛି।
[ad_2]