ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆଜିଠାରୁ – bajravana
[ad_1]
ଡର୍ବାନ୍: ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ ରବିବାରଠାରୁ ଆରମ୍ଭ ହେଉଛି। ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡର୍ବାନରେ ଖେଳାଯିବ। ଆହତ କାରଣରୁ ଆଇପିଏଲ୍ ପର୍ଯ୍ୟନ୍ତ ହାର୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ରହୁଥିବାରୁ, ସୂର୍ଯ୍ୟ କୁମାର ଯାଦବ ଏହି ଦଳର ନେତୃତ୍ବ ନେଉଛନ୍ତି। ଯଶପ୍ରୀତ୍ ବୁମ୍ରାଙ୍କ ବିଶ୍ରାମ ଏବଂ ଟ୍ବେଣ୍ଟି-୨୦ ଫର୍ମାଟରୁ ରୋହିତ ଶର୍ମା, ବିରାଟ କୋହଲି ଦୂରେଇ ରହିବା କାରଣରୁ ସୂର୍ଯ୍ୟଙ୍କ ଦଳକୁ ଅନେକ କିଛି ପ୍ରମାଣିତ କରିବାର ଅଛି। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତି ଯାଇଥିବାରୁ ଏହି ଦଳର ମନୋବଳ ନିଶ୍ଚିତ ଉଚ୍ଚରେ ରହିଛି। କିନ୍ତୁ ବିଦେଶ ପରିବେଶରେ ଦଳ କିଭଳି ଖେଳୁଛି ଦେଖିବାର ଅଛି। ଦିନିକିଆ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଦକ୍ଷିଣ ଆଫ୍ରିକା ଦଳ ଟ୍ବେଣ୍ଟି-୨୦ ଫର୍ମାଟ ବିଶ୍ବକପ୍ର ୬ ମାସ ଥିବାରୁ ନିଜକୁ ପ୍ରସ୍ତୁତ କରିବାକୁ ଏହିଠାରୁ ହିଁ ଅଭିଯାନ ଆରମ୍ଭ କରିବାକୁ ପସନ୍ଦ କରିବ। ଆଇପିଏଲ୍ ପରବର୍ତ୍ତୀ ୧ ମାସ ନିଶ୍ଚିତ ନିର୍ଣ୍ଣୟ କରିବ ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳ। କାରଣ ଫର୍ମ ଓ ଫିଟନେସ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।
କାଗିସୋ ରବାଡ଼ାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଥିବା ବେଳେ ଅନରିକ୍ ନର୍ଖିୟା ଓ ଲୁଙ୍ଗି ଏନଗିଡି ଆହତ ଥିବାରୁ ଦଳରେ ନାହାନ୍ତି। କିନ୍ତୁ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସର୍ବଦା କଡ଼ା ପ୍ରତିଦ୍ବନ୍ଦ୍ବୀ ରହିଥିବାରୁ ଭାରତକୁ ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତ ଏହି ଶୃଙ୍ଖଳା ପାଇଁ ୧୭ ଜଣ ଖେଳାଳିଙ୍କୁ ନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ଶ୍ରେୟସ ଆୟର, ମୁକେଶ କୁମାର, ଈଶାନ କିଶନ ଦିନିକିଆ ଦଳରେ ରହିଛନ୍ତି। ସମସ୍ତ ଫର୍ମାଟରେ ଶୁବମନ ଗିଲ୍ ଭଲ ଖେଳୁଥିବା ବେଳେ ଏବେ ଅନ୍ୟତମ ଓପନିଂ ସ୍ଲଟ୍ ପାଇଁ ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଗାଏକ୍ବାଡ ୫୨ ବଲ୍ରୁ ୧୦୦ ହାସଲ କରିବା ପରେ ଏବେ ଫାଇଦାରେ ରହିଛନ୍ତି। ୱିକେଟରକ୍ଷକ ଦାୟିତ୍ବ ପାଇଁ ମଧ୍ୟ ଦ୍ବନ୍ଦ୍ବ ରହିଛି। ଅଭିଜ୍ଞ ଈଶାନ କିଶନଙ୍କୁ ଚାଲେଞ୍ଜ୍ ଦେଉଛନ୍ତି ଯୁବ ତାରକା ଜିତେଶ ଶର୍ମା। ଜିତେଶ ମଧ୍ୟ ୬ ନମ୍ବର ସ୍ଥାନରେ ଜଣେ ନିର୍ଭରଯୋଗ୍ୟ ଫିନିସର୍ ହେବାର ଦାବିଦାର ହୋଇଛନ୍ତି। ଶ୍ରେୟସ ଆୟର ୫ ନମ୍ବର ସ୍ଥାନରେ ଖେଳିବା ସହ ମାର୍କୋ ୟାନସେନ୍, ଗେରାଲ୍ଡ କୋଏତଜି, ଆନ୍ଦିଲ ଫେଲୁକ୍ବାୟୋଙ୍କ ସର୍ଟ ପିଚ୍ ବଲ୍କୁ ଭଲ ମୁକାବିଲା କରିପାରିବେ ବୋଲି ବିଶ୍ବାସ ରହିଛି। ଆୟର ଖେଳିଲେ କିନ୍ତୁ ଅନ୍ୟତମ ନିର୍ଭରଯୋଗ୍ୟ ଫିନିସର୍ ରିଙ୍କୁ ସିଂହଙ୍କ ପାଇଁ ଦଳରେ ରହିବା କଷ୍ଟକର ହେବ। କାରଣ ସେ ମଧ୍ୟ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି। ଉପଅଧିନାୟକ ରବୀନ୍ଦ୍ର ଜାଡ଼େଜା ୭ ନମ୍ବରରେ ବ୍ୟାଟିଂ କରିବେ। ସଦ୍ୟ ଆଇସିସି ଏକ ନମ୍ବର ଟ୍ବେଣ୍ଟି-୨୦ ବୋଲର ହୋଇଥିବା ରବି ବିଷ୍ଣୋଇଙ୍କ ଉପରେ ଭାରତର ଭରସା ବଢ଼ିଛି ଏବଂ ନଜର ମଧ୍ୟ ତାଙ୍କ ଉପରେ ରହିବ। ଭାରତର ପେସ୍ ବୋଲିଂ ବିଭାଗ ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ଓ ମୁକେଶ କୁମାର ସମ୍ଭାଳିବେ।
ଭାରତ ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଜକେ, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟାନ ଷ୍ଟବ୍ସ/ହେନରିକ୍ କ୍ଲାସେଁ (ୱିକେଟରକ୍ଷକ), ଡେଭିଡ୍ ମିଲର୍, ଡୋନୋଭାନ ଫେରେଇରା, ମାର୍କୋ ୟାନସେନ୍/ଆନ୍ଦିଲ ଫେଲୁକ୍ବାୟୋ, କେଶବ ମହାରାଜ, ଗେରାଲ୍ଡ କୋଏତଜି, ନନ୍ଦ୍ରେ ବର୍ଜର, ତାବ୍ରାଇଜ୍ ସାମସି।
ତଥ୍ୟ
ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ୪ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତ ବିଜୟୀ ହୋଇଛି। ଶେଷ ଥର ପାଇଁ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୦୧୫ ଅକ୍ଟୋବର ମାସରେ ଭାରତରେ ୨-୦ରେ ବିଜୟୀ ହୋଇଥିଲା। ୨୦୨୩ରେ ଅର୍ଶଦୀପ ସିଂହ ମୋଟ ୨୫ ୱିକେଟ୍ ଦଖଲ କରି ଭାରତର ଅଗ୍ରଣୀ ଟ୍ବେଣ୍ଟି-୨୦ ବୋଲର୍ ରହିଛନ୍ତି। ପୂର୍ଣ୍ଣକାଳୀନ ଦଳ ବିପକ୍ଷରେ ସେ ୨୦୨୩ରେ ଦ୍ବିତୀୟ ଅଗ୍ରଣୀ ବୋଲର। କିଙ୍ଗ୍ସମିଡ୍ରେ ଖେଳାଯାଇଥିବା ୧୯ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୮ ଥର ପ୍ରଥମେ ବ୍ୟାଟିଂ ଦଳ ଜିତିଥିବା ବେଳେ ସମାନ ସଂଖ୍ୟା ମଧ୍ୟ ରହିଛି ପଶ୍ଚାତ୍ଧାବନ ଦଳ ସପକ୍ଷରେ। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଓ ପାକିସ୍ତାନ ମୁକାବିଲା ଏଠାରେ ଟାଇ ରହିଥିଲା। ଭାରତ ବୋଲ୍ ଆଉଟ୍ରେ ଜିତିଥିଲା। ଅନ୍ୟ ଦୁଇଟି ମ୍ୟାଚ୍ ବାତିଲ ହୋଇଛି। ଏଠାକାର ପିଚ୍ରେ ରନ୍ ଭଲ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ଶୃଙ୍ଖଳାରେ ୧୯୦ରୁ ଊର୍ଧ୍ବ ରନ୍ ହୋଇଥିଲା। ରବିବାର କିନ୍ତୁ ବର୍ଷାର ପୂର୍ବାନୁମାନ ଥିବାରୁ ପରିସ୍ଥିତି ଓ ପରିବେଶ ଭିନ୍ନ ହେବାର ସମ୍ଭାବନା ରହିଛି।
[ad_2]