ଯୁବନୀତି ଅଧପନ୍ତରିଆ ରହିଲା: ଘୋଷଣାରେ ରହିଯାଇଛି ‘ମିସନ୍ ଯୁବଶକ୍ତି’ – bajravana
[ad_1]
ବିଶ୍ବଜିତ ଦାଶ
ଭୁବନେଶ୍ବର: ମା’ ପେଟରେ ପିଲା ରହିବା ଠାରୁ ଶ୍ମଶାନ ଯାଏ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଯୋଜନା ଖୁନ୍ଦି ଦେଇଛନ୍ତି। ହେଲେ ୪୨% ଯୁବବର୍ଗ ଲାଗି ବିଶେଷ କିଛି ସରକାରୀ ଯୋଜନା ନାହିଁ। କ୍ରୀଡ଼ା ଓ ଯୁବ ବ୍ୟାପାର ନାଁରେ ରାଜ୍ୟରେ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଛି। ହେଲେ କ୍ରୀଡ଼ାର ବିକାଶ ଲାଗି ଏହି ବିଭାଗ ଯେତିକି ତତ୍ପର, ଯୁବ ବର୍ଗ ଲାଗି ସେତିକି ନୁହେଁ। ରାଜ୍ୟର ୧୦ଲକ୍ଷରୁ ଅଧିକ ଯୁବକ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯିବା ପଛରେ ଅନେକ କାରଣ ମଧ୍ୟରୁ ଏହା ଗୋଟିଏ।
ରାଜ୍ୟ ସରକାର ଯୁବବର୍ଗଙ୍କ ଉନ୍ନତି ପାଇଁ ୨୦୧୩ ମସିହାରେ ‘ଓଡ଼ିଶା ରାଜ୍ୟ ଯୁବ ନୀତି’ ଆଣିଥିଲେ। ଏହାକୁ ଫଳପ୍ରଦ କରିବା ଲାଗି ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନିଆଯାଇଥିଲା। ବିଭିନ୍ନ ରାଜ୍ୟର ଯୁବନୀତି, ଜାତୀୟ ଯୁବନୀତି, ପରାମର୍ଶ ରିପୋର୍ଟ, ବିଶ୍ବବ୍ୟାଙ୍କ ରିପୋର୍ଟ, ବିଭିନ୍ନ ବର୍ଷର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ, ଜାତୀୟ ଅପରାଧ ବ୍ୟୁରୋ ରିପୋର୍ଟରୁ ଆରମ୍ଭ କରି ବିଭିନ୍ନ ଦେଶର ଯୁବନୀତିକୁ ଆଧାର କରି ସରକାର ‘ଓଡ଼ିଶା ରାଜ୍ୟ ଯୁବ ନୀତି’ ପ୍ରସ୍ତୁତ କରିଥିଲେ। ହେଲେ ଏଥିରେ ଛାତ୍ରବର୍ଗଙ୍କୁ ବିଶେଷ ଫୋକସ୍ କରାଯାଇଛି। ଓଲଟା ଯୁବବର୍ଗଙ୍କ ପାଇଁ ଯେଉଁ କିଛି ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରାଯାଇପାରିନି।
ଯୁବନୀତି ଅନୁସାରେ, ୧୩ରୁ ୩୫ବର୍ଷ ବୟସ୍କଙ୍କୁ ଯୁବବର୍ଗ କୁହାଯାଉଛି। ଏଥିରେ ଯୁବଗୋଷ୍ଠୀଙ୍କୁ ତିନିଟି ଉପଗୋଷ୍ଠୀରେ ବିଭକ୍ତ କରାଯାଇଛି। ପ୍ରଥମ ଉପଗୋଷ୍ଠୀରେ ୧୩ରୁ ୧୯ବର୍ଷ, ଦ୍ବିତୀୟ ଉପଗୋଷ୍ଠୀରେ ୨୦ରୁ ୨୫ ବର୍ଷ, ତୃତୀୟ ଉପଗୋଷ୍ଠୀରେ ୨୬ରୁ ୩୫ବର୍ଷ ବୟସ୍କ ଅଛନ୍ତି। ହେଲେ ଏହି ତୃତୀୟ ଉପଗୋଷ୍ଠୀ ପାଇଁ କିଛି ବି ସ୍ବତନ୍ତ୍ର ଯୋଜନା ନାହିଁ। ଦକ୍ଷତା ବିକାଶ ହେଉ କି ଯୁବ ମହୋତ୍ସବ ଯାହା ହେଉଛି, ଏହା ଅଧିକାଂଶ ରାଜ୍ୟରେ ହେଉଛି ଏବଂ ଆମର ସ୍ବତନ୍ତ୍ର ନୁହେଁ। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଅର୍ଥ ଦେଉଛନ୍ତି। ହେଲେ ୨୬ରୁ ୩୫ବର୍ଷର ଯୁବକଯୁବତୀ କିପରି ନିଶ୍ଚିତ ନିଯୁକ୍ତି ପାଇବେ, ପୁଞ୍ଜି ଖଟାଇବେ ବା ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ସେ ନେଇ କିଛି ନିର୍ଦ୍ଦିଷ୍ଟ ଯୋଜନା ନାହିଁ।
ଯୁବନୀତିରେ ଘୋଷଣା କରାଯାଇଥିଲା ଯେ ରାଜ୍ୟରେ ମିସନ୍ ଯୁବଶକ୍ତି ଖୋଲାଯିବ। ମିସନ୍ ଶକ୍ତି ମହିଳାଙ୍କୁ ଯେପରି ଋଣ ଦେଇ ଉଦ୍ୟୋଗୀ କରାଯାଉଛି ସରକାର ଯୁବକମାନଙ୍କ ପାଇଁ ଅନୁରୂପ ପଦକ୍ଷେପ ନେବେ। କୃଷି ଏବଂ ଏହି ସମ୍ପର୍କିତ କୌଣସି କ୍ଷେତ୍ରରେ କାମ କରୁଥିବା ଯୁବବର୍ଗଙ୍କୁ ନୂଆ ଜ୍ଞାନକୌଶଳ ବ୍ୟବହାର ପାଇଁ ଋଣ ଏବଂ ସବ୍ସିଡି ଦେବା ଲାଗି ମଧ୍ୟ ବ୍ୟବସ୍ଥା ଥିଲା। ହେଲେ ଏସବୁର ଭାଗ୍ୟ ସରକାରୀ ଫାଇଲ୍ରେ ବନ୍ଧା ପଡ଼ିଛି। ୨୬ରୁ ୩୫ବର୍ଷର ଶିକ୍ଷିତ ଯୁବବର୍ଗଙ୍କୁ ରୋଜଗାରକ୍ଷମ ବା ସମ୍ମାନସ୍ପଦ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାରଙ୍କ ଉଦ୍ୟମ ନିଅଣ୍ଟ ପଡ଼ୁଛି। ଓଲଟା ଏବେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ବେକାର ଓ ନିଶାଗ୍ରସ୍ତ ଯୁବକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ମରଣଥାଉକି, ଆସାମ ସରକାର ‘ମୁଖ୍ୟମନ୍ତ୍ରୀ ଆତ୍ମନିର୍ଭର ଅସମ ଅଭିଯାନ’ ଆରମ୍ଭ କରିଛନ୍ତି। ଏଥିରେ ଯୁବ ହିତାଧିକାରୀଙ୍କୁ ଦୁଇ ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମ ବର୍ଗରେ ଯେଉଁମାନେ ଇଞ୍ଜିନିୟରିଂ, ଏମ୍ବିବିଏସ୍, ବିଡିଏସ୍, କୃଷି, ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ପାଠ୍ୟକ୍ରମରେ ଡିଗ୍ରି ହାସଲ କରିଥିବେ ସେମାନଙ୍କୁ ୫ଲକ୍ଷଟଙ୍କା ସରକାରୀ ସହାୟତା ମିଳିବ। ଏଥିରୁ ଅଢ଼େଇ ଲକ୍ଷ ଟଙ୍କା ସବ୍ସିଡି ଥିବାବେଳେ ବାକି ଅଢ଼େଇଲକ୍ଷ ସେମାନେ ବିନା ଋଣରେ ସୁଝିବେ। ସେହିପରି ଦ୍ବିତୀୟ ବର୍ଗରେ ଯେଉଁମାନେ ସ୍ନାତକ, ସ୍ନାତକୋତ୍ତର, ଆଇଟିଆଇ, ପଲିଟେକନିକ୍ ପାସ୍ କରିଥିବେ ସେମାନଙ୍କୁ ୨ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିବ। ଏଥିରୁ ୧ଲକ୍ଷ ଟଙ୍କା ସବ୍ସିଡି ଥିବାବେଳେ ବାକି ୧ଲକ୍ଷ ଟଙ୍କା ବିନା ଋଣରେ ସୁଝିବେ। ଯେତେବେଳେକି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁ୍ଆବର୍ଗର ପିଲା ୧୦ମ ପାସ୍ କରିଥିଲେ ବି ସେମାନଙ୍କୁ ପ୍ରଥମ ବର୍ଗ ଭଳି ୫ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିବ। ଏଥିରୁ ସେମାନେ ଅଢ଼େଇଲକ୍ଷ ଟଙ୍କା ବିନା ସୁଧରେ ସୁଝିବେ। ୨୮ରୁ ୪୦ବର୍ଷ ପର୍ଯ୍ୟନ୍ତ ଯୁବବର୍ଗ ଏହାର ସୁବିଧା ନେଇପାରିବେ। ଏସ୍ସି, ଏସ୍ଟି ଓ ଓବିସି ବର୍ଗ ପାଇଁ ଏହା ସର୍ବାଧିକ ୪୩ବର୍ଷ ରଖାଯାଇଛି।
ହିମାଚଳ ପ୍ରଦେଶରେ ବି ‘ରାଜୀବ ଗାନ୍ଧୀ ସ୍ବରୋଜଗାର ଯୋଜନା’ ଜାରି ରହିଛି। ଏଥିରେ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କୁହାଯାଇଛି, ଯିଏ ଇ-ଟାକ୍ସି, ଟ୍ରକ୍, ବସ୍, ଟେମ୍ପୋ ଟ୍ରାଭେଲର୍ କିଣିବେ ସେମାନଙ୍କୁ ମୋଟ୍ ମୂଲ୍ୟର ଅଧା ସବ୍ସିଡିରେ ଯୋଗାଇ ଦିଆଯିବ।ଏହାକୁ ନେଇ ସେମାନେ ବ୍ୟବସାୟ କରିପାରିବେ। ପ୍ରତି ପରିବାରରୁ ଜଣେ ସଦସ୍ୟଙ୍କୁ ଏହି ସୁବିଧା ମିଳିବ। ଏହାବାଦ୍ ଯେଉଁମାନେ ଶିଳ୍ପ ପ୍ରତିଷ୍ଠା କରିବେ ବ୍ୟାଙ୍କ ସେମାନଙ୍କୁ ମୋଟ୍ ଖର୍ଚ୍ଚର ୯୦% ଋଣ ଆକାରରେ ଦେବ। ୬୦ଲକ୍ଷ ପର୍ଯ୍ୟନ୍ତ ପ୍ରତିଷ୍ଠା ହେଉଥିବା ପ୍ରକଳ୍ପର ମୋଟ୍ ଖର୍ଚ୍ଚର ୨୫% ଅର୍ଥ ରାଜ୍ୟ ସରକାର ସବ୍ସିଡି ଦେବେ। ଏସ୍ସି/ଏସ୍ଟି ବର୍ଗଙ୍କ କ୍ଷେତ୍ରରେ ୩୦%, ଭିନ୍ନକ୍ଷମଙ୍କୁ ୩୫% ସବ୍ସିଡି ମିଳିବ। ୧୮ରୁ ୪୫ବର୍ଷର ଲୋକ ଏହି ଯୋଜନାର ସୁବିଧା ନେଇପାରିବେ। ମହିଳାଙ୍କ କ୍ଷେତ୍ରରେ ଏହା ୫୦ବର୍ଷ ରଖାଯାଇଛି। ଏହାଦ୍ବାରା ରାଜ୍ୟରେ ଆତ୍ମନିର୍ଭରଶୀଳତା ବଢ଼ିବା ସହ ସ୍ଥାନୀୟ ଉଦ୍ୟୋଗୀ ଓ ଅର୍ଥନୀତି ବଢ଼ିବ ବୋଲି ହିମାଚଳ ପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି।
ତାମିଲନାଡ଼ୁରେ ଯୁବବର୍ଗଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ବେସରକାରୀ ସଂସ୍ଥାରେ ନିଯୁକ୍ତି ଦେବାକୁ ଅନଲାଇନ୍ ପୋର୍ଟାଲ ଖୋଲିଛନ୍ତି। ଏଥିରେ ବେକାର ଯୁବକଯୁବତୀ ନାମ ପଞ୍ଜୀକରଣ କରିବେ, ବେସରକାରୀ ସଂସ୍ଥା ତାଙ୍କର ବିଭିନ୍ନ ପଦବି ପାଇଁ ଏଥିରୁ ଆଶାୟୀଙ୍କୁ ଚୟନ କରିବେ। ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଏହି ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଦିଆଯିବ। ଏଥିପାଇଁ କାହାକୁ ବି କିଛି ଅର୍ଥ ଦେବାକୁ ପଡ଼ିବନି। ହରିୟାଣା ସରକାର ରାଜ୍ୟରୁ ଅଧିକ ପାଇଲଟ୍ ସୃଷ୍ଟି କରିବା ପାଇଁ ମୋଟ୍ ଖର୍ଚ୍ଚର ଅଧା ଅର୍ଥ ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଯୁବ ସମ୍ବଳ ଯୋଜନାରେ ବେକାର ଯୁବକଙ୍କୁ ମାସିକ ୪ହଜାର ଟଙ୍କା, ଯୁବତୀ ଓ ଭିନ୍ନକ୍ଷମଙ୍କୁ ମାସିକ ୪୫୦୦ଟଙ୍କା ଭତ୍ତା ଆକାରରେ ଦିଆଯାଉଛି। ୨୧ରୁ ୩୫ବର୍ଷ ବୟସର ଯୁବପିଢ଼ି ଏହାର ସୁବିଧା ପାଉଛନ୍ତି। ଛତିଶଗଡ଼ ସରକାର ଯୁବବର୍ଗଙ୍କୁ ବେକାରୀ ଭତ୍ତା ବାବଦକୁ ମାସିକ ୨୫୦୦ଟଙ୍କା ପ୍ରଦାନ କରୁଛନ୍ତି। ୧୮ରୁ ୩୫ବର୍ଷ ବୟସର ଯୁବବର୍ଗଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ହୋଇଥିଲେ ଏହି ସୁବିଧା ମିଳୁଛି। ଏଥିପାଇଁ ଗତ ବଜେଟ୍ରେ ୨୫୦କୋଟି ବରାଦ ହୋଇଛି।
ଏହାବାଦ୍ ଝାଡ଼ଖଣ୍ଡ, କେରଳ, ପଶ୍ଚିମବଙ୍ଗ ସରକାର ସମେତ ବିଭିନ୍ନ ରାଜ୍ୟର ସରକାର ବେକାର ଯୁବକଯୁବତୀଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି।
ଅନ୍ୟ ରାଜ୍ୟରେ ଯୁବବର୍ଗଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା
ରାଜ୍ୟ ଯୋଜନା
ଆସାମ ଇଞ୍ଜିନିୟରିଂ, ଏମ୍ବିବିଏସ୍, ବିଡିଏସ୍, କୃଷି, ପ୍ରାଣୀ ସମ୍ପଦ ଡିଗି୍ର ଥିଲେ ୫ଲକ୍ଷ, ସ୍ନାତକ, ସ୍ନାତକୋତ୍ତର, ଆଇଟିଆଇ, ପଲିଟେକନିକ୍ ପଢ଼ିଥିଲେ ୨ଲକ୍ଷ ଟଙ୍କା ମିଳିବ ହିମାଚଳ ପ୍ରଦେଶ ଇ-ଟାକ୍ସି, ଟ୍ରକ୍, ବସ୍, ଟେମ୍ପୋ କିଣିଲେ ୫୦% ସବ୍ସିଡି ଛତିଶଗଡ଼ ୧୮ରୁ ୩୫ବର୍ଷ ବୟସ୍କଙ୍କୁ ୨୫୦୦ଟଙ୍କା ବେକାରୀ ଭତ୍ତା
[ad_2]