ମାରୁତିବିହାର ଚାନ୍ଦନିବାସରୁ ଡକାୟତି: ଲୁଟେରା ପଚାରିଲା, ଘରେ ଟଙ୍କା କାହିଁକି ରଖିନ? – bajravana
[ad_1]
କେମିତି ଥିଲା ଗ୍ୟାଙ୍ଗ୍ର ଅପରେସନ୍, ଯିବା ପୂର୍ବରୁ ସମସ୍ତଙ୍କୁ ବାନ୍ଧିଦେଲେ
ବାରଙ୍ଗ: ଶୁକ୍ରବାର ରାତିରେ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଗାଁ ନିକଟ ମାରୁତିବିହାରରେ ଘଟିଥିବା ସଶସ୍ତ୍ର ଡକାୟତି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଡକାୟତିର ଶିକାର ହୋଇଥିବା ଆକାଶ କୁମାର ଚାନ୍ଦ(୪୦)ଙ୍କ ଘରୁ ୮ଜଣିଆ ଡକାୟତ ଦଳ ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି। ଖଣ୍ଡା, ଭୁଜାଲି, ଛୁରି ଓ ରଡ୍ ଭଳି ମାରଣାସ୍ତ୍ରରେ ସଜ୍ଜିତ ୮ ଡକାୟତ ଚାନ୍ଦ ପରିବାରର କୌଣସି ସଦସ୍ୟଙ୍କୁ କ୍ଷତି ପହଞ୍ଚାଇନାହାନ୍ତି। ବହୁ ଟଙ୍କା ଥିବା ଖବର ପାଇ ଡକାୟତମାନେ ଚାନ୍ଦ ନିବାସରେ ପଶିଥିଲେ। ମାତ୍ର ଟଙ୍କା ନ ପାଇ ସେମାନେ କାହାର କିଛି କ୍ଷତି କରିନଥିଲେ। କିନ୍ତୁ ଡକାୟତମାନେ ଚାନ୍ଦ ଦମ୍ପତିଙ୍କ ୨ ପୁଅଙ୍କୁ ପଣବନ୍ଦୀ କରିବା, ବେକରେ ଛୁରି ଲଗାଇ ହତ୍ୟା ଧମକ ଦେବା ଓ ଲୁଟ୍ ପରେ ଦମ୍ପତିଙ୍କ ହାତଗୋଡ଼ ବାନ୍ଧି ଗାଧୁଆ ଘରେ ପୂରାଇଦେବା ଭଳି ଲୋମଟାଙ୍କୁରା କାଣ୍ଡ କରିଥିବା ଅଭିଯୋଗ ହୋଇଛି। ଉଭୟ ହିନ୍ଦୀ ଓ ଓଡ଼ିଆରେ କଥାବାର୍ତ୍ତା କରୁଥିବା ଡକାୟତମାନେ ପ୍ରାୟ ୪୫ ମିନିଟ୍ ଭିତରେ ଆଲ୍ମିରା ଓ କପ୍ବୋର୍ଡ ଭାଙ୍ଗି ସବୁ ଅଳଙ୍କାର ଲୁଟି ଚମ୍ପଟ ମାରିଥିଲେ। ଆଜି ସକାଳୁ ଭୁବନେଶ୍ବର ଡିସିପି, ଏସିପି ଓ ନନ୍ଦନକାନନ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ନେଇ ତଦନ୍ତ ଆରମ୍ଭ କରିଥିଲେ ହେଁ ଡକାୟତମାନଙ୍କ ଟେର୍ ମିଳିନାହିଁ।
କେମିତି ଥିଲା ଗ୍ୟାଙ୍ଗ୍ର ଅପରେସନ୍
ପୁରୀ ଚନ୍ଦନପୁର ଥାନା ବାଲିପଡ଼ା ଗାଁର ଏହି ଦମ୍ପତି ମାରୁତିବିହାରସ୍ଥିତ ଚାନ୍ଦ ନିବାସ (ପ୍ଲଟ୍ ନମ୍ବର୧୩)ରେ ୮ ବର୍ଷ ହେଲା ରହୁଛନ୍ତି। ଆକାଶ ବେଙ୍ଗାଲୁରୁରେ ଓ ଏଲିଶ୍ରୀ ଭୁବନେଶ୍ବରରେ କାର୍ଯ୍ୟରତ। ଭାଣିଜୀ ବାହାଘର ପାଇଁ ଆକାଶ ଏବେ ଭୁବନେଶ୍ବର ଫେରିଛନ୍ତି। ଭାଣିଜୀର ବାହାଘରରେ ଯୋଗ ଦେବା ପାଇଁ ଏଲିଶ୍ରୀ ତାଙ୍କର ସମସ୍ତ ଗହଣାଗାଣ୍ଠି ଲକର୍ରୁ ଆଣି ଘରେ ରଖିଥିଲେ। ଗତକାଲି ରାତି ପ୍ରାୟ ୩ଟା ବେଳେ ହଠାତ୍ କେହି ଶୋଇବା ଘରର କବାଟକୁ ଜୋର୍ରେ ଧକ୍କା ଦେଇଥିଲା। କବାଟ ଭାଙ୍ଗିଯିବାର ଶବ୍ଦ ଶୁଣି ସ୍ବାମୀ ଆକାଶ ଓ ତାଙ୍କ ସ୍ତ୍ରୀ ଏଲିଶ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା। କିନ୍ତୁ ସେମାନେ ଘଟଣା କ’ଣ ବୁଝିବା ବେଳକୁ ଡକାୟତମାନେ ଘର ଭିତରକୁ ପଶିସାରିଥିଲେ। ସେମାନେ ଦମ୍ପତିଙ୍କ ଖଟକୁ ଘେରି ଯାଇ ମାରଣାସ୍ତ୍ର ଦେଖାଇଥିଲେ। ହଠାତ୍ ୨ ଜଣ ଛୁରିଧାରୀ ଦୁର୍ବୃତ୍ତ ୨ ପୁଅଙ୍କୁ ଖଟରୁ ଉଠାଇନେଇଥିଲେ ଏବଂ ଛୁରିରେ ଏକ ଗାମୁଛା ଚିରି ସେମାନଙ୍କ ପାଟିକୁ ବାନ୍ଧି ବନ୍ଦ କରିଦେଇଥିଲେ। ଏହାପରେ ସେମାନେ ସିଧାସଳଖ ୨ ଛୁଆଙ୍କ ବେକରେ ଛୁରି ଲଗାଇ ସେମାନଙ୍କୁ ଡାଇନିଂ ହଲ୍କୁ ନେଇଥିଲେ। ଅନ୍ୟମାନେ ଆକାଶ ଓ ଏଲିଶ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଡାଇନିଂ ହଳ୍କୁ ନେଇଥିଲେ। ଆକାଶଙ୍କ କହିବା କଥା ଡକାୟତମାନେ ସେମାନଙ୍କୁ କିଛି କହିବା ପାଇଁ ସମୟ ଦେଇନଥିଲେ। ୨ ପୁଅଙ୍କ ବେକରେ ଛୁରି ଲାଗିଥିବା ଦେଖି ସେମାନେ ଭୟରେ ଥରୁଥିବା ବେଳେ ଜଣେ ଡକାୟତ(ବୋଧହୁଏ ଗ୍ୟାଙ୍ଗ୍ର ସର୍ଦ୍ଦାର) ବୁଝାଇବା ଢଙ୍ଗରେ ଅଳଙ୍କାର ଓ ଟଙ୍କା ପଇସା ଥିବା ଆଲ୍ମିରା ଚାବି ଦେଇଦେବାକୁ କହିଥିଲା। ଭଲରେ ନ ଦେଲେ, ସେମାନେ ୨ ପୁଅଙ୍କ ସହ ସ୍ବାମୀ-ସ୍ତ୍ରୀଙ୍କୁ ଖଣ୍ଡଖଣ୍ଡ କରି କାଟିଦେବେ ବୋଲି ଧମକ ଦେଇଥିଲା। ଭଲରେ ଚାବି ବଢ଼ାଇଦେଲେ, ସେମାନେ କାହାର କିଛି କ୍ଷତି ନ କରି ଟଙ୍କା ଓ ଅଳଙ୍କାର ନେଇ ଭଲରେ ପଳାଇବେ ବୋଲି ଚେତାଇଦେଲା। ସର୍ଦ୍ଦାର ଏମିତି ବୁଝାଉଥିବା ବେଳେ ଅନ୍ୟ ୩ ଜଣ ଖଟରୁ ବେଡ୍ସିଟ୍ ଓ ତକିଆ ଫୋପାଡ଼ାଫିଙ୍ଗା କରି ଚାବି ଖୋଜିବାରେ ଲାଗିଥିଲେ। ଭୟରେ ଆକାଶ ଚାବି ବଢ଼ାଇଦେବା ପରେ ସେମାନେ ଆଲମିରା ଓ ଅନ୍ୟ ଟେବୁଲ୍ ଡ୍ରୟର୍ ଖୋଲି ଗହଣାତକ ନେଇଯାଇଥିଲେ।
ଚିକିତ୍ସା କାଗଜପତ୍ର ଦେଖି ଟଙ୍କା ମାଗିନଥିଲେ
କିନ୍ତୁ ଆଲ୍ମିରା ଓ କୌଣସି ଡ୍ରୟର୍ରୁ ବେଶି ଟଙ୍କା ନ ମିଳିବାରୁ ସେମାନେ ରାଗି ଯାଇଥିଲେ। ଟଙ୍କା କେଉଁଠି ରଖିଛି, ଶୀଘ୍ର ଦିଅ, ନ ହେଲେ ପରିଣତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ତୁମ ଘରେ ବହୁତ ଟଙ୍କା ଥିବା ଖବର ମିଳିଛି ବୋଲି ସେମାନେ କହିଥିଲେ। ସ୍ବାମୀ-ସ୍ତ୍ରୀ ଦୁଇ ଜଣଯାକ ଇଂଜିନିୟର୍ ଅଛ ଏବଂ ଭଲ ରୋଜଗାର କରୁଛି। ଭାଣିଜୀ ବାହାଘର ପାଇଁ ବି ପ୍ରସ୍ତୁତ ଅଛ। ତେଣୁ ଟଙ୍କା ଦିଅ, ନ ହେଲେ ଅସୁବିଧା ହେବ ବୋଲି ଧମକ ଦେଇ କହିଥିଲେ। କିନ୍ତୁ ପୁଅ ଓ ବୃଦ୍ଧ ବାପାଙ୍କ ଚିକିତ୍ସାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଛି ବୋଲି ଆକାଶ ଓ ଏଲିଶ୍ରୀ କାଗଜପତ୍ର ଦେଖାଇବା ପରେ ଡକାୟତମାନେ ଶାନ୍ତ ପଡ଼ିଥିଲେ।
ଯିବା ପୂର୍ବରୁ ସମସ୍ତଙ୍କୁ ବାନ୍ଧିଦେଲେ
ଡକାୟତି ଅପରେସନ୍ ସରିବା ପରେ ସେମାନେ ଖଟରେ ପଡ଼ିଥିବା ବେଡ୍ସିଟ୍କୁ ଫାଡିଦେଇ ସେଥିରେ ସ୍ବାମୀ-ସ୍ତ୍ରୀଙ୍କ ଗୋଡ଼ହାତ ବାନ୍ଧି ପକାଇ ଗାଧୁଆଘରକୁ ଘୋଷାରି ନେଇଥିଲେ ଏବଂ ବାହାରୁ କବାଟ ବନ୍ଦ କରି ଦେଇଥିଲେ। ସକାଳ ଯାଏଁ ଭିତରେ ଚୁପ୍ଚାପ ବସିରହିବାକୁ ସେମାନେ ବାହାରୁ ଧମକ ଦେଇଥିଲେ। ଡାଇନିଂ ହଲ୍ରେ ମଧ୍ୟ ୨ ଛୁଆଙ୍କୁ ଟେବୁଲ ଗୋଡ଼ରେ ବାନ୍ଧି ବସାଇଦେଇଥିଲେ। ପିଲା ଦୁଇଜଣ ସୁରକ୍ଷିତ ଅଛନ୍ତି ବୋଲି ଗଲାବେଳେ ସେମାନେ କହିଥିଲେ। ଭୋର୍ ହେବା ଜାଣିବା ପରେ ଆକାଶ ଓ ଏଲିଶ୍ରୀ ପାଟି କରି ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ସେମାନଙ୍କ ପାଟି ଶୁଣି ପଡ଼ୋଶୀମାନେ ଡକାୟତମାନେ ତାଡ଼ିଥିବା ଝରକା ବାଟ ଦେଇ ଘରକୁ ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ।
[ad_2]