ଅପରାଧ

‘ବୀମା ଓ ଋଣ କରିବା ବେଳେ ସାବଧାନ ରହନ୍ତୁ’: ୩ ଅନ୍ତଃରାଜ୍ୟ ସାଇବର ଠକଙ୍କ ସମେତ ୮ ଗିରଫ – bajravana

[ad_1]

ଭୁବନେଶ୍ବର: ଆପଣଙ୍କର ଜୀବନ ବୀମା ମ୍ୟାଚୁରିଟି ହୋଇଯାଇଛି କି? ତାହେଲେ ସତର୍କ ରୁହନ୍ତୁ। ଅବଧି ବଢ଼ାଇବା ସହ କୋଟି କୋଟି ଟଙ୍କାର ଅର୍ଥ ଲୋଭ ଦେଖାଇ ସାଇବର ଅପରାଧୀ ଆପଣଙ୍କୁ ଫୋନ୍ କରିପାରନ୍ତି। ଜାଲରେ ଫସିଲା ପରେ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବେ। ଆପଣ ଠକାମିର ଶିକାର ହୋଇପାରନ୍ତି। ଏମିତି ଏକ ମାମଲାର କ୍ରାଇମବ୍ରାଞ୍ଚ ସାଇବର ଥାନା ପର୍ଦ୍ଦାଫାସ୍ କରିବା ସହ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଚଢ଼ଉ କରି ତିନି ଅନ୍ତଃରାଜ୍ୟ ସାଇବର ଠକଙ୍କ ସମେତ ୮ ଜଣଙ୍କୁ ଗିରଫ କରିବା ସହ ସଚେତନତା ବାର୍ତ୍ତା ଦେଇଛି। ସେମାନଙ୍କ ଠାରୁ ନଗଦ ୯ ଲକ୍ଷ ୩୦ ହଜାର ଟଙ୍କା, ଠକେଇ ଟଙ୍କାରେ କିଣା ଯାଇଥିବା ସୁନା ଓ ରୁପା ଅଳଙ୍କାର, ୧୭ ମୋବାଇଲ ଫୋନ୍, ଲାପଟପ୍, ଠକେଇରେ ବ୍ୟବହୃତ ୨୨ ସିମ୍ କାର୍ଡ, ୯ କ୍ରେଡିଟ୍ କାର୍ଡ, ୨୧ ଡେବିଟ୍ କାର୍ଡ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଲ୍ଲୀ ବଦାରପୁରରେ କଲ୍ ସେଣ୍ଟର ଚଳାଉଥିବା ହରିୟାଣା ଫରିଦାବାଦର ରଘୁ ଆନନ୍ଦ(୩୧), ଫରିଦାବାଦ ଚାନ୍ଦପୁର ଥାନା ଅଞ୍ଚଳର ଭୀମ(୩୩) ଓ ରଘୁର କଲ୍ ସେଣ୍ଟରରେ କାମ କରୁଥିବା ରୁପାଲି ଗୁପ୍ତା ଓରଫ୍ ଆଦିତି ଅଗ୍ରଵାଲ ଓରଫ୍ ନିଦ୍ଧି ଶର୍ମା ଓରଫ୍ ମାନସୀ(୨୬)। ଠକେଇ ଟଙ୍କା କାରବାରରେ ସେମାନଙ୍କୁ ସହଯୋଗ କରୁଥିବା ଦିଲ୍ଲୀ ସାହିନ୍ ବାଗ ମେଟ୍ରୋ ଷ୍ଟେସନ୍‌ ନିକଟରେ ରହୁଥିବା ପ୍ରମୋଦା ଭାଲ୍ଲୀ(୬୬), ଉତ୍ତରପ୍ରଦେଶ ଫତେପୁର ଅଞ୍ଚଳର ଯୋଗେନ୍ଦ୍ର ସିଂହ(୩୪), ଉତ୍ତରପ୍ରଦେଶ ମିର୍ଜାପୁର ଜମଲପୁର ଅଞ୍ଚଳର ଭାନୁ ପ୍ରତାପ ଯାଦବ(୪୭), ଉତ୍ତରପ୍ରଦେଶ ଓଟୋପୁର ଅଞ୍ଚଳର ଆଶିଷ କୁମାର(୨୪) ଓ ସେହି ଅଞ୍ଚଳର ତେଜ କୁମାର(୬୦)। ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ଅଭିଯୁକ୍ତମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଅଣାଯାଇ ଏଠାରେ ସ୍ଥାନୀୟ କୋର୍ଟରେ ହାଜର ପରେ ଜେଲ୍ ପଠାଇ ଦିଆଯାଇଛି।

କ୍ରାଇମବ୍ରାଞ୍ଚ ଆଇଜି କେ. ସଫିନ୍ ଅହମ୍ମଦ ଆଜି ଅପରାହ୍ନରେ ସାଇବର କମ୍ପେକ୍ସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଭୁବନେଶ୍ବରର ବ୍ୟବସାୟୀ ଦିଲ୍ଲୀପ କୁମାର ଜଲାନଙ୍କ ପତ୍ନୀଙ୍କର ଏକ ଜୀବନ ବୀମା ମ୍ୟାଚୁରିଟି ଲାଭ କଲା ପରେ ସେ ୨୦ ଲକ୍ଷ ଟଙ୍କା ପାଇଥାନ୍ତେ। କିନ୍ତୁ ଗତ ଜୁଲାଇରୁ ଦିଲ୍ଲୀପଙ୍କ ପାଖକୁ ଏକାଧିକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିବା ସହ ସେମାନେ ସମ୍ପୃକ୍ତ ଜୀବନ ବୀମା ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ତାଙ୍କୁ ଲୋଭ ଦେଖାଇ ବୀମାର ଅବଧି ବଢ଼ାଇବା ଲାଗି ନିବେଦନ କରିଥିଲେ। କିଛି ଟଙ୍କା ଖର୍ଚ୍ଚ କରି ବୀମା ଅବଧି ବଢ଼ାଇଲେ ୨ କୋଟି ୭୫ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଇବର ଅପରାଧୀଙ୍କ ଜାଲରେ ପଡ଼ି ଚଳିତବର୍ଷ ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ୭୬ ଲକ୍ଷ ୧୫ ହଜାର ୯୫୫ ଟଙ୍କା ଦେଇ ଚାଲିଥିଲେ। ଆଉ ଟଙ୍କା ଦେଇପାରିବେ ନାହିଁ ବୋଲି ଦିଲ୍ଲୀପ କହିବା ପରେ ସାଇବର ଠକ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲେ। ଅକ୍ଟୋବର ୪ ତାରିଖରେ ଦିଲ୍ଲୀପ ସାଇବର ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ କେସ୍ ନଂ-୨୧/୨୦୨୩ ଓ ଆଇପିସି ଦଫା-୪୧୯, ୪୨୦, ୪୬୫, ୪୬୮, ୪୭୧, ୧୨୦-ବି, ୩୪ ଏବଂ ଆଇଟି ଆଇନର ଦଫା-୬୬(ସି) ଓ ୬୬(ଡି)ରେ ମାମଲା ରୁଜୁ କରିଥିଲା।

୯.୩ ଲକ୍ଷ ଟଙ୍କା, ସୁନା ଅଳଙ୍କାର, ଲାପଟପ୍, ମୋବାଇଲ ଫୋନ୍, ୨୨ ସିମ୍ କାର୍ଡ ଜବତ
ଜୀବନ ବୀମା ଅବଧି ପରେ ୨.୭୫ କୋଟି ଲୋଭ ଦେଖାଇ ୭୬ ଲକ୍ଷ ଠକେଇ

ଶ୍ରୀ ଅହମ୍ମଦ ଅଧିକ ସୂଚନା ଦେଇ କହିଛନ୍ତି, ତଦନ୍ତ ସମୟରେ ଜଣାପଡ଼ିଥିଲା ଭୀମ, ରଘୁ, ଆନନ୍ଦ ଓ ରୁପାଲି ପୂର୍ବରୁ ବୀମା ଏବଂ ଋଣ କ୍ଷେତ୍ରରେ କାମ କରୁଥିଲେ। ଚାକିରିରୁ ବାହାରିବା ପରେ ପରସ୍ପର ସହ ଦେଖାସାକ୍ଷାତ ହୋଇଥିଲା। ସେମାନେ କଲ୍ ସେଣ୍ଟର ଖୋଲି ଠକେଇର ଜାଲ ବିଛାଇଥିଲେ। ରୁପାଲି କଲ୍ ସେଣ୍ଟରରୁ ଫୋନ୍ କରି ବୀମାଧାରୀଙ୍କୁ ଜାଲରେ ଫସାଉଥିଲା। ଏହା ପରେ ଠକେଇ ଆରମ୍ଭ ହେଉଥିଲା। ଏହି ମାମଲାର ଠକେଇ ଅର୍ଥ ପ୍ରମୋଦାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୮.୭୩ ଲକ୍ଷ ଟଙ୍କା, ଆଶିଷ କୁମାର ଆକାଉଣ୍ଟକୁ ୧୧.୫୬ ଲକ୍ଷ ଟଙ୍କା, ତେଜ କୁମାର ଆକାଉଣ୍ଟକୁ ୮.୩୨ ଲକ୍ଷ ଟଙ୍କା, କାବିଆ ସିଂହ ଆକାଉଣ୍ଟକୁ ୨୭.୫୪ ଲକ୍ଷ ଟଙ୍କା ଆସିଥିଲା। ପ୍ରମୋଦା ଓ ତେଜ କୁମାର ଆକାଉଣ୍ଟରୁ ଭାନୁ ପ୍ରତାପ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ଏହା ପରେ ଭୀମ ଓ ରଘୁ ଏଟିଏମ୍ କାର୍ଡ ଜରିଆରେ ଟଙ୍କା ଉଠାଉଥିଲେ। ସେହିପରି କାବିଆ ସିଂହ ଆକାଉଣ୍ଟରୁ ଯୋଗେନ୍ଦ୍ର ସିଂହ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସେ ଏଟିଏମ୍ କାର୍ଡ ଜରିଆରେ ଟଙ୍କା ଉଠାଇ ନେଉଥିଲା। ପୂରା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଥିବା ବେଳେ କାବିଆ ସିଂହ ଧରାପଡ଼ି ନ ଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଲାଗି ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ସାଇବର ଅପରାଧୀଙ୍କ ଠାରୁ ଆସୁଥିବା ଏଭଳି କୌଣସି ଫୋନକଲକୁ ବିଶ୍ବାସ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଆଇଜି ଶ୍ରୀ ଅହମ୍ମଦ। ଯଦି ବୀମାଧାରୀ ବୀମାର ଅବଧି ବଢ଼ାଇବାକୁ ଚାହୁଁଥାନ୍ତି ତାହେଲେ ସିଧାସଳଖ ସମ୍ପୃକ୍ତ ବ୍ୟାଙ୍କ କିମ୍ବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଯାହାଫଳରେ ଠକାମିରୁ ରକ୍ଷା ପାଇପାରିବେ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button