ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ୍: ତନ୍ଭୀ ବିଜୟିନୀ – bajravana
[ad_1]
ବଲାଙ୍ଗୀର: ପୃଥ୍ବୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମରେ ଚାଲିଥିବା ୩୭ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ ଶୁକ୍ରବାର ଉଦ୍ଯାପିତ ହୋଇଛି। ଏକକ ଫାଇନାଲ୍ରେ ଓଡ଼ିଶାର ତନ୍ଭୀ ପତ୍ରୀ ବାଳିକା ବର୍ଗ ବିଜେତା ହୋଇଛନ୍ତି। ଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ କର୍ଣ୍ଣାଟକର ସାଇନା ମଣିମୁଥୁଙ୍କୁ ତନଭୀ ୨୧-୧୩, ୨୧-୧୧ରେ ହରାଇଥିଲେ। ସେହିପରି ବାଳକ ଏକକ ଫାଇନାଲ୍ରେ ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ କର୍ଣ୍ଣାଟକର ପୁଷ୍କର ସାଏ ୨୧-୨୦ ଓ ୨୧-୧୫ରେ ପରାଜିତ କରିଥିଲେ। ବାଳିକା ଯୁଗଳ ଫାଇନାଲରେ ଆନ୍ଧ୍ରପ୍ରଦେଶର ବିଜୟ ଲକ୍ଷ୍ମୀ ଓ କର୍ଣ୍ଣାଟକର ସାଇନା ମଣିମୁଥୁଙ୍କ ଯୋଡ଼ି ମହାରାଷ୍ଟ୍ରର ସରାୟୁ ଓ ସୋୟାରା ସେଲାର ଯୋଡ଼ିକୁ ୨୧-୧୯, ୧୯-୨୧ ଓ ୨୧-୧୮ରେ ଏବଂ ବାଳକ ଯୁଗଳରେ ଜୟବର୍ଦ୍ଧନ ଓ ହେମନ୍ତ ୨୧-୧୨, ୧୮-୨୧ ଓ ୨୧-୧୨ ପଏଣ୍ଟରେ କର୍ଣ୍ଣାଟକର ଈଶ୍ୱର ସାଇକଟମ୍ ଓ ପୁଷ୍କର ସାଏଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି।
ଡ. ସତୀଶ ମାଲ୍ୟା, ମ୍ୟାଚ୍ ନିୟନ୍ତ୍ରକ ଜି ପ୍ରଶାନ୍ତ, ଉପରେଫରି ରୀତା ଦାସ ଖେଳ ପରିଚାଳନା କରିଥିବା ବେଳେ ରାଜ୍ୟ ବାହାରୁ ୩୪ ଜଣ ଗ୍ରେଡ୍ ବି ଓ ରାଜ୍ୟର ୩୬ ଜଣ ଲାଇନ ଜଜ୍ ଭାବେ ଖେଳ ପରିଚାଳନାରେ ସହଯୋଗ କରିଥିଲେ। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘ ସମ୍ପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ରିଷିକେଶ ଖିଲାରୀ, ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ଏସ. ମୁରଲୀଧରନ, କ୍ରୀଡ଼ା ଓ ଯୁବ ବ୍ୟାପାର ଯୁଗ୍ମ ସଚିବ ରଂଜିତ ପରିଡ଼ା, କୈଳାସ ଚନ୍ଦ୍ର ଦାସ, ଅନ୍ତର୍ଜାତୀୟ ଖେଳାଳି ଓ କୋଚ ମୁରଲୀ କ୍ରିଷ୍ଣା, କେରଳ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ରାକେଶ ଶେଖର, ଓଡ଼ିଶା ରାଜ୍ୟ ସଂଘ ଉପସଭାପତି ପ୍ରଦୀପ ପଟ୍ଟନାୟକ, ଜିଲ୍ଲା ବ୍ୟାଡ୍ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଆୟୋଜନ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
[ad_2]