ଯାଜପୁର ସଂରକ୍ଷିତ ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି ବିରୋଧୀ – bajravana
[ad_1]
ଯାଜପୁର(ସଂଗ୍ରାମ କେଶରୀ ସିଂହ): ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନକୁ ନେଇ ଗଠିତ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି(ଏସ୍ସି) ପାଇଁ ସଂରକ୍ଷିତ। ୧୯୯୯ ପରଠାରୁ ଏହି ଆସନ ବିଜେଡି ଦଖଲରେ ରହିଛି। ଗତ ଦୁଇଟି ନିର୍ବାଚନରେ ବିଜେଡି ଏଠି ପ୍ରାର୍ଥୀ ବଦଳାଇ ଥିଲେ ମଧ୍ୟ ପରିଣାମରେ କିଛି ଫରକ ପଡ଼ିନାହିଁ। ପରିସ୍ଥିତି ଏବେ ଏଭଳି ହୋଇଛି ଯେ ବିରୋଧୀ ବିଜେପି ଓ କଂଗ୍ରେସରୁ ଏହି ଆସନରୁ ପ୍ରାର୍ଥୀ ହେବାକୁ ନେତା ଅମଙ୍ଗ। ଏହି ଦୁଇ ଦଳ କାହାକୁ ସାଂସଦ ପ୍ରାର୍ଥୀ କରିବେ ସେ ନେଇ ସମସ୍ତେ ଅନ୍ଧାରରେ। ୧୯୯୯ରେ ବିଜେଡିର ଜଗନ୍ନାଥ ମଲ୍ଲିକ ସାଂସଦ ନିର୍ବାଚିତ ହୋଇଥିଲେ। ଏହାପରେ ବିଜେଡିର ମୋହନ ଜେନା ୨୦୦୪ ଓ ୨୦୦୯ରେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ଅଭିଜ୍ଞ ରାଜନେତା ମୋହନ ଜେନାଙ୍କ ସ୍ଥାନରେ ସେହି ସମୟରେ ଜିଲ୍ଲା ପରିଷଦ ସଦସ୍ୟା ଥିବା ରୀତା ତରାଇଙ୍କୁ ବିଜେଡି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଥିଲା। ରୀତା ତରାଇ ମଧ୍ୟ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ ବିଜେଡି ପୁଣି ପ୍ରାର୍ଥୀ ବଦଳାଇଥିଲା। ରୀତାଙ୍କ ସ୍ଥାନରେ ପ୍ରଶାସିକା ଶର୍ମିଷ୍ଠା ସେଠୀ ପ୍ରାର୍ଥୀ ହୋଇ ଏଠାରୁ ବିଜୟୀ ହୋଇଥିଲେ। ଯାଜପୁର ଲୋକସଭା ଆସନ ଅଧୀନରେ ଥିବା ୭ଟି ବିଧାନସଭା ଆସନରେ ଶାସକ ଦଳ ବିଜେଡିର ଟାଣୁଆ ବିଧାୟକମାନେ କ୍ଷମତାରେ ରହିଆସିଥିବାରୁ ସେମାନଙ୍କ ପ୍ରଭାବରେ ସାଂସଦ ପ୍ରାର୍ଥୀ ସହଜରେ ବିଜୟୀ ହେଉଛନ୍ତି।
ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ ହେଉଥିବାରୁ ବିଧାୟକ ପ୍ରାର୍ଥୀଙ୍କ କାନ୍ଧରେ ସାଂସଦ ପ୍ରାର୍ଥୀ ଅତି ସହଜରେ ନିର୍ବାଚନ ବୈତରଣୀ ପାର ହୋଇଯାଉଛନ୍ତି। ଏହାକୁ ଲକ୍ଷ୍ୟ କରି ବିଜେପି ଓ କଂଗ୍ରେସର ଲୋକସଭା ପ୍ରାର୍ଥୀ ହେବାକୁ ନେତାମାନେ ପଛଘୁଞ୍ଚା ଦେଉଛନ୍ତି। ଲଗାତର ଚାରି ଥର ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଅମୀୟ ମଲ୍ଲିକ ଏଥର ଲୋକସଭା ପରିବର୍ତ୍ତେ ବିଂଝାରପୁର ବିଧାନସଭା ଆସନ ପାଇଁ ଗୋଟିଚାଳନା କରୁଛନ୍ତି। ଶ୍ରୀ ମଲ୍ଲିକ ଯାଜପୁର ସଂସଦୀୟ କ୍ଷେତ୍ରରୁ ୨୦୦୪ ଓ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ସେହିପରି ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାନସ ଜେନାଙ୍କୁ ଭୋଟରମାନେ ଦେଖିବାକୁ ପାଇନଥିଲେ। ଏପରିକି ଶ୍ରୀ ଜେନାଙ୍କୁ ନିର୍ବାଚନ ପରେ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ତେଣୁ କଂଗ୍ରେସ ଓ ବିଜେପି ଏଥର କାହାକୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବେ କୌଣସି ଆଭାସ ମିଳିପାରୁନି। ଅପରପକ୍ଷରେ ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ଏଠାରୁ ପୁଣି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସାଂସଦଙ୍କ ସ୍ବାମୀ ପ୍ରଶାସକ ରବୀନ୍ଦ୍ର ସେଠୀ ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଅଛନ୍ତି। ତେଣୁ କୌଣସି ଅଦଳବଦଳ ନକରି ବିଜେଡି ଶର୍ମିଷ୍ଠାଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଚାର ହେଉଛି।
[ad_2]