ବଲିଉଡର ଦୁଇ ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ସ୍ବରୂପ – bajravana
[ad_1]
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ସ୍ବରୂପ ନାୟକଙ୍କୁ ଝୁରୁଛନ୍ତି ଓଡ଼ିଆ ସଙ୍ଗୀତପ୍ରେମୀ। ସେ ୧୯୮୬ରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା ‘ହୀରାନୀଳା’ରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ସେ ବି ଆଉ ପଛକୁ ଫେରି ଚାହିଁ ନାହାନ୍ତି। ନିୟମିତ ଭାବେ ବିଭିନ୍ନ ନିର୍ଦ୍ଦେଶକଙ୍କ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସ୍ବରୂପ ନାୟକ ନାୟକ ଓଡ଼ିଆ ସିନେ ଜଗତର ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଖାଲି ସେତିକି ନୁହେଁ, ସେ ସେ ମୁଖ୍ୟତଃ ଓଡ଼ିଆ ଗାୟକଗାୟିକାଙ୍କୁ ତାଙ୍କ ଫିଲ୍ମରେ ସୁଯୋଗ ଦେଉଥିଲେ। ଯେଉଁ ସମୟରେ ତାଙ୍କର ସମସାମୟିକ ସଂଗୀତ ନିର୍ଦ୍ଦେଶକମାନେ ବାହାରର ଶିଳ୍ପୀ, ଯଥା ବଲିଉଡ୍ କିମ୍ବା ଟଲିଉଡ୍ ଗାୟକଗାୟିକାଙ୍କ ଉପରେ ନିର୍ଭର କରୁଥିଲେ ସେତେବେଳେ ବି ସ୍ବରୂପ ଓଡ଼ିଆ କଣ୍ଠଶିଳ୍ପୀଙ୍କୁ ବ୍ରେକ୍ ଦେଉଥିଲେ।
ହେଲେ ଆପଣ କ’ଣ ଜାଣନ୍ତି ସ୍ବରୂପ ନାୟକ ବଲିଉଡର ଦୁଇ ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ ବି କାମ କରିବାର ସୁଯୋଗ ପାଇଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମ ହେଲେ ରବୀନ୍ଦ୍ର ଜୈନ। ସୋମ୍ୟାନ୍ ରାଜ କପୁରଙ୍କ ସୁପରହିଟ୍ ସିନେମା ‘ରାମ୍ ତେରୀ ଗଙ୍ଗା ମୈଲୀ’(୧୯୮୫) ପାଇଁ ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ଫେଆର୍ ପୁରସ୍କାର ପାଇଥିବା ରବୀନ୍ଦ୍ର ଜୈନଙ୍କୁ ନିଜ ସ୍ବରାରୋପିତ ପ୍ରଥମ ସିନେମା ‘ହୀରାନୀଳା’ରେ ଗାୟକ ଭାବେ ନେଇଥିଲେ ସ୍ବରୂପ। ଏଥିରେ ଥିବା ହୀରା ଆଉ ହୀରା ହେଇ ନାହିଁରେ…ନୀଳା ଆଉ ନୀଳା ହେଇ ନାହିଁରେ… ଗୀତରେ ରବୀନ୍ଦ୍ର ଜୈନ କଣ୍ଠଦାନ କରିଥିଲେ। ଏହାର ଗୀତିକାର ଥିଲେ ଦେବଦାସ ଛୋଟରାୟ। ଏହି ଗୀତଟିକୁ ଖୁବ୍ ଚମତ୍କାର ଶୈଳୀରେ ଗାଇଥିଲେ ରବୀନ୍ଦ୍ର ଜୈନ। ଏହା ଅବଶ୍ୟ ଭିନ୍ନ କଥା ଯେ ‘ହୀରାନୀଳା’ପରେ ସେ ଆଉ ରବୀନ୍ଦ୍ର ଜୈନଙ୍କ ସହ ଅନ୍ୟ କୌଣସି ଛବିରେ କାମ କରିନଥିଲେ।
ଏଣେ ବଲିଉଡର ଖ୍ୟାତନାମା ସଙ୍ଗୀତକାର ଆର ଡି ବର୍ମନଙ୍କ ସହ ବି ସ୍ବରୂପ ନାୟକ ଦୁଇଟି ଛବିରେ କାମ କରିବାର ସୁଯୋଗ ପାଇଥିଲେ। ଏହି ଦୁଇଟି ସିନେମା ହେଲା ମା’ ଓ ‘ବାଦଶାହା’। ଏଥିରେ ଗୀତିକାର ଭାବେ ଆର ଡି ବର୍ମନଙ୍କ ସାଥ୍ ପାଇଥିଲେ ସ୍ବରୂପ। ଉଭୟ ସିନେମା ଦ୍ବିଭାଷୀ(ଓଡ଼ିଆ-ବଙ୍ଗଳା) ଥିଲା। ଏହାପରେ ସ୍ବରୂପ ନାୟକ ବଲିଉଡର ଟ୍ରେଣ୍ଡ ସେଟର୍ କଂପୋଜର୍ ଆର ଡି ବର୍ମନଙ୍କ ସହ ଆଉ କେବେ କାମ କରିବାର ସୁଯୋଗ ପାଇନଥିଲେ।
[ad_2]