ମା’ ତାରିଣୀଙ୍କ ପୀଠରେ ଶାରଦୀୟ ପୂଜା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ – bajravana
[ad_1]
ଘଟଗାଁ: ପାର୍ବଣ ପାଇଁ ଉତ୍ସବମୁଖର ହୋଇଛି ଘଟଗାଁ ମା’ ତାରିଣୀଙ୍କ ପୀଠ। ଆଜି ମହାଷ୍ଟମୀ ଅବସରରେ ମା’ଙ୍କ ଦର୍ଶନ ପାଇଁ ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା’ ଆଜି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଦଶହରା ପର୍ଯ୍ୟନ୍ତ ମା’ଙ୍କ ସୁନାବେଶ ଚାଲିବ। ଆଜି ଭୋର୍ରୁ ମା’ଙ୍କ ଷୋଡ଼ଶ ଉପଚାର ଓ ବଡ଼ସିଂହାର ପୂଜା ହୋଇଥିଲା। ଏହାପରେ ମା’ଙ୍କୁ ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରାଯାଇଥିଲା। ବରିଷ୍ଠ ପୂଜକ ନଟବର ଦେହୁରୀ ଓ ରବୀନ୍ଦ୍ର ଦେହୁରୀଙ୍କ ସମେତ ଅନ୍ୟମାନେ ମଙ୍ଗଳ ଆଳତି କରିଥିଲେ।
ସକାଳ ସାଢ଼େ ୬ଟାବେଳେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିରର ମୁଖ୍ୟ ଫାଟକ ଖୋଲାଯାଇଥିଲା। ଶ୍ରଦ୍ଧାଳୁ ଧାଡ଼ିରେ ଆସି ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମହାଷ୍ଟମୀ ପାଇଁ ବିଶେଷ କରି ମହିଳା ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ସାଧାରଣ ଦର୍ଶନ ଓ ଭୋଗ ଲାଗି ପାଇଁ ଅଲଗାଅଲଗା ଧାଡ଼ି କରାଯାଇଥିଲା। ସେହିପରି ଆଜି ମା’ଙ୍କ ପୀଠରେ ସ୍ବତନ୍ତ୍ର ଭାବେ ଚଣ୍ତୀପାଠ କରାଯାଇଛି। ମନ୍ଦିର ବେଢ଼ା ମଧ୍ୟରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି। ମହାଷ୍ଟମୀ ପାଇଁ ଏଠାରେ ମହିଳାମାନେ ବ୍ରତ ପୂଜା କରିଛନ୍ତି। ଦଶହରା ପାଇଁ ତାରିଣୀ ମନ୍ଦିରକୁ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କରାଯିବା ସହ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।
[ad_2]