ଉପାନ୍ତ ଇଲାକାରେ ହକି ଭିତ୍ତିଭୂମି ପ୍ରତିଷ୍ଠା ପ୍ରତି ଅବହେଳା – bajravana
[ad_1]
ଲେଫ୍ରିପଡ଼ା: ସଂପ୍ରତି ରାଜ୍ୟ ସରକାର ହକିର ପ୍ରଚାରପ୍ରସାରକୁ ଗୁରୁତ୍ୱଦେବା ସଙ୍ଗେସଙ୍ଗେ ବିଶ୍ବ ହକି କପ୍ ଆୟୋଜନ କରୁଛନ୍ତି। ଏହି ଅବସରରେ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ୍ସ୍ତରରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇ ହକି ତଥା ଖେଳାଳିଙ୍କୁ ଉତ୍ସାହିତ କରାଯାଉଛି। ଏଭଳିକି ସ୍ଥାନୀୟ ବ୍ଲକ୍ସ୍ତରରେ ମଧ୍ୟ ଲେଫ୍ରିପଡ଼ାରେ ଏକ ଉଚ୍ଚକୋଟୀର ହକିପଡ଼ିଆ ନିର୍ମାଣ ହୋଇଛି। ତେବେ ବ୍ଲକ୍ର ଉପାନ୍ତ ଅଞ୍ଚଳରେ ଆଦିବାସୀ ପିଲାମାନେ ହକି ଖେଳ ପ୍ରତି ବେଶ୍ ଉତ୍ସାହୀ ଥିବାବେଳେ ସେମାନେ ଉପଯୁକ୍ତ ଭିତ୍ତିଭୂମି ଓ ସହାୟତା ଅଭାବରୁ ସଫଳତାଠାରୁ ଅନେକ ଦୂରରେ ରହିଯାଉଛନ୍ତି। ସେମାନଙ୍କ ଖେଳ ପାଇଁ ଆବଶ୍ୟକ ଖେଳପଡ଼ିଆ, ଖେଳସାମଗ୍ରୀ ଆଦି ସହାୟତାର ଅଭାବ ରହିଛି। ପଞ୍ଚାୟତ କିଂବା ବ୍ଲକ୍ସ୍ତରରେ କୌଣସି ସୁବିଧା ଦିଆଯାଉନାହିଁ।
ସୂଚନା ମୁତାବକ, ଲେଫ୍ରିପଡ଼ା ବ୍ଲକର ୧୭ ପଞ୍ଚାୟତ ମଧ୍ୟରୁ ଅଳାପକା, ହୁର୍ମେଇ, ଗୁଣ୍ଡିଆଡିହି, ମଶାବିରା, ରାଜବାହାଲ, ଡୁମାବାହାଲ, ସରଫଗଡ଼, ଗିରିଙ୍ଗକେଲା ଓ ଲେଫ୍ରିପଡ଼ା ପଞ୍ଚାୟତରେ ଆଦିବାସୀ ପିଲାମାନେ ହକି ଖେଳିଥାନ୍ତି। ନିକଟରେ ବ୍ଲକ୍ ପକ୍ଷରୁ କରାଯାଇଥିବା ତାଳିକା ଅନୁସାରେ ଏହି ୯ଟି ପଞ୍ଚାୟତରେ ପ୍ରାୟ ୪୩ଟି ଟିମ୍ ରହିଛନ୍ତି। ତେବେ ସମ୍ପୃକ୍ତ ପଞ୍ଚାୟତ ଓ ରାଜସ୍ବ ଗ୍ରାମଗୁଡ଼ିକରେ ଉନ୍ନତ ଖେଳପଡ଼ିଆ ବି ନିର୍ମାଣ ହୋଇପାରୁନି। କାଁ ଭାଁ କେତେକ ଟିମ୍କୁ ସ୍ବତନ୍ତ୍ର ବିକାଶ ପରିଷଦ ପକ୍ଷରୁ କେବେକେବେ କ୍ରୀଡ଼ାସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଏଣୁ ଏସବୁ ପଞ୍ଚାୟତରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼କରି ଉନ୍ନତ ଖେଳାଳି ସୃଷ୍ଟି ପାଇଁ ପଞ୍ଚାୟତ ଓ ବ୍ଲକ୍ ପକ୍ଷରୁ ସହାୟତା କରାଯିବାକୁ ଅନେକ ଖେଳାଳି ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ଲେଫ୍ରିପଡ଼ା ମୁଖ୍ୟାଳୟରେ ଉତ୍କୃଷ୍ଟ ହକି ଷ୍ଟାଡିୟମ୍ ନିର୍ମାଣ ହେଉଛି ସତ, ମାତ୍ର ଏହି ଉପାନ୍ତ ଓ ଦୁର୍ଗମ ଅଞ୍ଚଳର ପିଲାମାନେ ସେଠାକୁ ନିୟମିତ ଯାଇ ଖେଳିବା ଦୁଃସାଧ୍ୟ ହୋଇଥିବାରୁ ମଶାବିରା କିଂବା ଗୁଣ୍ଡିଆଡିହିରେ ଆଉ ଏକ ଉନ୍ନତ ହକି ଷ୍ଟାଡିୟମ୍ ନିର୍ମାଣ କରାଯିବାକୁ ଦାବିହୋଇଛି।
[ad_2]