ଦିଲ୍ଲୀ ମଦ ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କୁ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଲେ ଅଦାଲତ – bajravana
[ad_1]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରାଯିବାର ଗୋଟିଏ ଦିନ ପରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ୫ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ହେପାଜତକୁ ପଠାଇ ଦେଇଛନ୍ତି।
ଜଣେ ବ୍ୟବସାୟୀ ଶ୍ରୀ ସିଂହଙ୍କୁ ୩ କୋଟି ଟଙ୍କା ଦେଇଥିଲେ ଏବଂ ଏହି ରାଶି ଦିଲ୍ଲୀ ମଦ ନୀତି ମାମଲାରେ ହୋଇଥିବା ଟଙ୍କା କାରବାରର ଏକ ଅଂଶ ଥିଲା ବୋଲି ଇଡି ଅଦାଲତକୁ କହିଛି। ମଦ ନୀତି ମାମଲାର ଅଭିଯୁକ୍ତ ଦିଲ୍ଲୀ ବ୍ୟବସାୟୀ ଦିନେଶ ଅରୋରାଙ୍କ ବୟାନକୁ ଆଧାର କରି ଇଡି ଏହି ଯୁକ୍ତି ଉପସ୍ଥାପନ କରିଛି।
ଇଡି ଅଦାଲତଙ୍କୁ କହିଛି ଯେ ସେମାନେ ଆପ୍ ସାଂସଦଙ୍କ ପରିସରରୁ ଏସଂକ୍ରାନ୍ତରେ ଡିଜିଟାଲ ପ୍ରମାଣ ଜବତ କରିଛନ୍ତି। ଆରୋରାଙ୍କ ଜଣେ କର୍ମଚାରୀ ସର୍ବେଶ ଏହି ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଇଡିର ଓକିଲ ଅଦାଲତଙ୍କୁ କହିଛନ୍ତି, ମଦ ନୀତି ପାଇଁ ହୋଇଥିବା ଟଙ୍କା ଆଦାୟ ସହିତ ସିଧାସଳଖ ଲିଙ୍କ୍ ରହିଛି।
ଅନ୍ୟପକ୍ଷରେ, ସଞ୍ଜୟ ସିଂହଙ୍କ ଓକିଲ କହିଛନ୍ତି ଯେ ଅରୋରା ଜଣେ ଅଭିଯୁକ୍ତ ଯିଏ କି ସାକ୍ଷୀ ପାଲଟିଛନ୍ତି। ଦିନେଶ ଅରୋରାଙ୍କୁ ସେହି ଇଡି ଗିରଫ କରିଥିଲା। ଏବେ ସେ ସାକ୍ଷୀ ହୋଇଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ସିଂହଙ୍କୁ ପୂର୍ବରୁ ଏହି ମାମଲାରେ ତଦନ୍ତ ଏଜେନ୍ସି ପକ୍ଷରୁ କେବେ ଡକାଯାଇ ନଥିଲା। ଶ୍ରୀ ସିଂହଙ୍କୁ କାହିଁକି ଗିରଫ କରାଗଲା ବୋଲି ପଚରାଯିବାରୁ ଇଡି କହିଛି ଯେ ଆପ୍ ନେତାଙ୍କୁ ୨ କୋଟି ଟଙ୍କା ଦେବା ନେଇ ଅରୋରାଙ୍କ ବୟାନ ଅଗଷ୍ଟରେ ରେକର୍ଡ କରାଯାଇଥିଲା।
ଦିନତମାମ ତାଙ୍କ ବାସଭବନରେ ଚଢ଼ାଉ କରିବା ପରେ ଗତକାଲି ଶ୍ରୀ ସିଂହଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ମଦ ନୀତି ମାମଲାରେ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିବା ଆପ୍ର ସେ ହେଉଛନ୍ତି ଦ୍ୱିତୀୟ ବରିଷ୍ଠ ନେତା।
[ad_2]