ବିପଦ ଆଡ଼କୁ ବିଶ୍ୱ
ସଂପ୍ରତି ବିଶ୍ୱତାପାୟନ ଓ ପରିବେଶ ପରିବର୍ତ୍ତନ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପୃଥିବୀର ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ସନ୍ତ୍ରାସବାଦର ଦ୍ରୁତ ବିକାଶ ଓ ପରିବେଶର ଦ୍ରୁତ ଅବକ୍ଷୟତା । ଏହି ଦୁଇ ବିପଦ ପ୍ରତି ଏବେ ଠାରୁ ସଚେତନ ନହେଲେ ଭବିଷ୍ୟତର ବଂଶଧରମାନଙ୍କ ଜୀବନ ଅସୁରକ୍ଷିତ ହେବା ସହ ମାନବ ସମାଜର ବିଲୟ ଘଟିବ ବୋଲି ଗଭୀର ଚିନ୍ତା ପ୍ରକଟ କରାଯାଇଛି । ଯଦି ଏବେ ଠାରୁ ଜୀବଜଗତ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ଓ ସମନ୍ୱୟ ରକ୍ଷା କରାନଯାଏ ତେବେ ଲେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରି ଏ ସମସ୍ୟା ହାତ ଛଡ଼ା ହୋଇ ଆତ୍ମଘାତୀ ସଦୃଶ ହେବ । ଏକ ଦଶନ୍ଧୀ ଧରି ସନ୍ତ୍ରାସବାଦ ବିଶ୍ୱର କୋଣ ଅନୁକୋଣରେ ଯେଭଳି ଭାବେ କାୟା ବିସ୍ତାର କରିଚାଲିଛି ତାହା ବିକଶିତ, ବିକାଶଭିମୁଖି ଓ ଅବିକାଶିତ, ଧନୀ ଓ ଗରୀବ ରାଷ୍ଟ୍ରମାନଙ୍କ ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଧର୍ମ ନାମରେ ତ କେଉଁଠି ରାଜନୀତି ନାମରେ, କେଉଁଠି ନିଜର ପ୍ରାଧାନ୍ୟ ବିସ୍ତାର କରିବା ନାମରେ ସନ୍ତ୍ରାସବାଦୀମାନେ ହିଂସାର ପଥ ଅବଲମ୍ବନକରି ଦୁର୍ଲଭ ମଣିଷ ଜୀବନକୁ ନିର୍ଦ୍ଦୟ ଭାବରେ ପୋକ ମାଛି ପରି ମାରି ଚାଲିଛନ୍ତି । ଅବସ୍ଥା ଏପରି ହେଲାଣି ଯେ ଏହାକୁ ନେଇ ବଳଶାଳୀ ଓ ପ୍ରଭାବଶାଳୀ ରାଷ୍ଟ୍ରମାନେ ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି । ଏ ହିଂସାର ବନ୍ୟା ଏଭଳି ବେଗଶାଳୀ ହୋଇପଡ଼ିଛି ଯେ ଗୋଟିଏ ଜାଗାରେ ବନ୍ଧ ବାନ୍ଧିଲେ ଆଉ ଏକ ଜାଗାରେ ବନ୍ଧ ଭୁଶୁଡ଼ି ପଡୁଛି । ମାନବିକତା ପ୍ରତି ମମତା ଓ ସମ୍ମାନ ମୂଲ୍ୟହୀନ ହୋଇପଡୁଛି । ତେଣୁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହାକୁ ମୂଳୋତ୍ପାଟନ କରିବା ପାଇଁ ବଡ଼ ବଡ଼ ଦେଶମାନେ ଅଣ୍ଟା ଭିଡ଼ିଛନ୍ତି । ଦ୍ୱିତୀୟ ବିପତ୍ତି ହେଲା ପରିବେଶ ପ୍ରଦ୍ୟୁଷଣ ଓ ବିଶ୍ୱ ତାପାୟନ । ପ୍ରତିଯୋଗିତାମୂଳକ ଦ୍ରୁତ ଶିଳ୍ପାୟନ, ଜଙ୍ଗଲ ସଂପଦର ବିଲୋପ ଓ ସହରୀକରଣ ପ୍ରତି ପ୍ରବଳ ଆଗ୍ରହ ଫଳରେ ମନୁଷ୍ୟ ପ୍ରକୃତି ଠାରୁ ଦୂର ହେବାରେ ଲାଗିଛି । ବର୍ଷର ୬ ଋତୁ ମଧ୍ୟରୁ ଶୀତ ଋତୁକୁ ମୁଖ୍ୟତଃ ସ୍ୱଚ୍ଛ ଓ ଆନନ୍ଦଦାୟକ ଋତୁ ଭାବେ ବିବେଚନା କରାଯାଇଥାଏ । କାରଣ ଏ ଋତୁରେ ଆକାଶ ନିର୍ମଳ ରହିବା ସହ ବାୟୁମଣ୍ଡଳ ଶୁଦ୍ଧ ଓ ସ୍ୱଚ୍ଛ ରହିଥାଏ । ଲୋକମାନେ ଖୋଲାପବନରେ ବୁଲିବା ସହ ବିଭିନ୍ନ ବ୍ୟାୟାମ ଇତ୍ୟାଦି କରି ବର୍ଷଯାକ ପାଇଁ ଶରୀରକୁ ସୁସ୍ଥ ରଖିବାକୁ ପ୍ରୟାଶ କରିଥାନ୍ତି । ଏବେ କିନ୍ତୁ ଶୀତ ଋତୁ ମଣିଷର ଫୁସ୍ଫୁସ୍ ପ୍ରତି ବି ଦକୁ ଆମନ୍ତ୍ରଣ କରିବାରେ ଲାଗିଛି । ତା’ର ସଦ୍ୟତମ ଉଦାହରଣ ହେଲା ଚାଇନାର ବେଜିଂ ସହର ଠାରୁ ଆରମ୍ଭକରି ଭାରତର ଦିଲ୍ଲୀ ସହର ପର୍ଯ୍ୟନ୍ତ ଧୂଳିର ଘନ କୁହୁଡ଼ି ଏଭଳି ଆଚ୍ଛାଦିତ କରି ରଖିଛି ଯେ ଚାଇନାର ପାଖାପାଖି ୨ଶହ ଏକ୍ସପ୍ରେସ୍ ହାଇୱେକୁ ବନ୍ଦ ରଖିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । କେବଳ ସେତିକି ନୁହେଁ, ଏ ସମୟରେ ଘରୁ ନ ବାହାରିବା ପାଇଁ ଏବଂ ଯଦି କିଏ ବାହାରେ, ଶ୍ୱାସ ପ୍ରକ୍ରିୟାକୁ କ୍ଷତି ନ ଘଟାଇଲା ଭଳି ପ୍ରତିରୋଧମୂଳକ ସତର୍କତା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସିଆ ମହାଦେଶର ଏତେ ବଡ଼ ଭୂଖଣ୍ଡ ଓ ଆକାଶ ଖଣ୍ଡ ଧୂମାଭ ହୋଇ ରହିଯାଇଛି । ଏହା ପ୍ରଳୟର ପୂର୍ବ ସୂଚନା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସନ୍ତ୍ରାସବାଦ ଓ ବିଶ୍ୱ ତାପାୟନକୁ ଭିନ୍ନ ଭାବରେ ଦେଖାଯାଇ ପାରିବ ନାହିଁ । ଏ ଦୁଇଟି ହେଉଛି ସମଗ୍ର ବିଶ୍ୱ ପାଇଁ ପ୍ରମୁଖ ଆହ୍ୱାନ । କାରଣ ଆମର ଭବିଷ୍ୟତର ବଂଶଧରମାନଙ୍କ ପାଇଁ ଏକ ସନ୍ତ୍ରାସମୁକ୍ତ ପୃଥିବୀ ଓ ପ୍ରଦୂଷଣ ମୁକ୍ତ ପରିବେଶ ସୁରକ୍ଷିତ କରିବାକୁ ପଡ଼ିବ । ଯେଭଳି ଭାବରେ ବିଭିନ୍ନ ଶିଳ୍ପାୟନ, ତୈଳ ଇନ୍ଧନ, ବିଦ୍ୟୁତ୍ ଉପରେ ମାତ୍ରାଧିକ ନିର୍ଭରଶୀଳତା ବଢ଼ିଚାଲିଛି ତାହା ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ାଇ ଚାଲିଛି । ଏହାର ପ୍ରଭାବରେ ଗ୍ଲାସିଅର୍ମାନଙ୍କରୁ ବରଫ ତରଳିବା ସହ ସମୁଦ୍ର ପତ୍ତନର ବୃଦ୍ଧି ଓ ଜଳବାୟୁ ପରିବେଶରେ ପରିବର୍ତ୍ତନ ଘଟାଇ ଚାଲିଛି । ଏହା ସହିତ ବିଜ୍ଞାନ ଓ ଆଣବିକ ଶକ୍ତିର ପରୀକ୍ଷାନିରୀକ୍ଷା ଓ ଅପପ୍ରୟୋଗ ଏ ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି । ଫଳରେ ଅସନ୍ତୁଳିତ ଜଳବାୟୁ ଯୋଗୁ ବୃଷ୍ଟିପାତରେ ଅସମାନତା ଦେଖାଯିବା ସହ ସାମୁଦ୍ରିକ ଝଡ଼, ବାତ୍ୟା, ବନ୍ୟା, ମରୁଡ଼ି, ଭୂମିକମ୍ପ ଇତ୍ୟାଦି ବହୁ ପ୍ରାକୃତିକ ବିର୍ଯ୍ୟୟ ଘଟିବାରେ ଲାଗିଛି । ମଣିଷ ଏଥିାଇଁ ପ୍ରକୃତିର ସିନା ଦୋଷ ଦେଉଛି ଅଥଚ ସେ ଯେ ଏହାର ସ୍ରଷ୍ଟା ତାହା ଭୁଲିଯାଉଛି ।