ବିଦ୍ୟୁତ୍ ନ ଆଣି ଗଣିଲେ ୮୮୨ କୋଟି: ସୁଧ ସହ ଉପଭୋକ୍ତାଙ୍କୁ ବୋଝ ୧୨୫୦ କୋଟି – bajravana
[ad_1]
ଗ୍ରିଡ୍କୋ କାରସାଦିରେ ଆୟୋଗ ନିରୁପାୟ
ଭୁବନେଶ୍ବର: ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ୍ ସଂସ୍କାର ଆପଣାଇଥିବା ଓଡ଼ିଶାର ବିଦ୍ୟୁତ୍ ବ୍ୟବସାୟ ଦୀର୍ଘ ୨୫ ବର୍ଷ ପରେ ବି ସୁଧୁରି ପାରିନି। ବିଦ୍ୟୁତ୍ କିଣା ଓ ଯୋଗାଣ ବ୍ୟବସାୟ ପାଇଁ ଦାୟିତ୍ବନ୍ୟସ୍ତ ସରକାରୀ ସଂସ୍ଥା ଗ୍ରିଡ୍କୋ ଏଠାରେ ଶସ୍ତା ବିଦ୍ୟୁତ୍କୁ ହାତଛଡ଼ା କରି ଅଧିକ ଦରରେ ବିଦ୍ୟୁତ୍ କିଣୁଛି। କେବଳ ସେତିକି ନୁହେଁ ଅନ୍ୟାନ୍ୟ ରାଜ୍ୟରେ ଥିବା କିଛି ଏନ୍ଟିପିସି କେନ୍ଦ୍ରଗୁଡ଼ିକରୁ ଆଦୌ ବିଦ୍ୟୁତ୍ ଆଣୁ ନଥିଲେ ମଧ୍ୟ ସ୍ଥାୟୀ ଦେୟ (ଫିକ୍ସଡ୍ କଷ୍ଟ) ବାବଦରେ ଗ୍ରିଡ୍କୋ ବର୍ଷ ବର୍ଷ ଧରି ଅଯଥାରେ ଶହ ଶହ କୋଟି ଟଙ୍କା ଗଣିଆସୁଛି। ଏଭଳି ଅଯଥା ଦେୟ ଯୋଗୁଁ ବିଦ୍ୟୁତ୍ର ଖୁଚୁରା ମୂଲ୍ୟ ବଢ଼ି ଉପଭୋକ୍ତାଙ୍କ ମୁଣ୍ଡରେ ଅତିରିକ୍ତ ବୋଝ ପଡୁଛି। ଏକଥା ଆମେ କହୁନାହୁଁ। କିଛି ବର୍ଷର ବିଦ୍ୟୁତ୍ କିଣା ବିକା ବ୍ୟବସ୍ଥାକୁ ତର୍ଜମା କରିବା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି।
ଗତ ୫ ବର୍ଷର ହିସାବ କହୁଛି, କେବଳ ୨୦୨୦-୨୧ ଓ ୨୦୨୧-୨୨ରେ ଗ୍ରିଡ୍କୋର ଚୁକ୍ତିଗତ ସ୍ଥାୟୀ ଦେୟ ଦାବିକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି) ଅଗ୍ରାହ୍ୟ କରିଛନ୍ତି। ମାତ୍ର ବାକି ୩ ବର୍ଷରେ ଆଦୌ ବିଦ୍ୟୁତ୍ ନଆଣି ଗ୍ରିଡ୍କୋ ଗଣିଛି ୮୮୨ କୋଟି ଟଙ୍କା। ଆହୁରି ଚାଞ୍ଚଲ୍ୟକର କଥା ହେଉଛି, ଏଭଳି ଅଯଥା ବ୍ୟୟ ଭରଣା ଲାଗି ଗ୍ରିଡ୍କୋ କରିଥିବା ଋଣ ବାବଦରେ ଆଉ ୩୬୮ କୋଟି ୫୦ ଲକ୍ଷ ଟଙ୍କା ଗଣାଯାଇଛି। ମୋଟାମୋଟି ଭାବେ ଏହି କାରଣରୁ ବରବାଦ ହୋଇଥିବା ୧୨୫୦ କୋଟି ୮୫ ଲକ୍ଷ ଟଙ୍କାର ଅଯଥା ବୋଝ ଯାଇଛି ଉପଭୋକ୍ତା ହିଁ ମୁଣ୍ଡାଇଛନ୍ତି। ବିଦ୍ୟୁତ୍ ସମୀକ୍ଷକଙ୍କ ହିସାବ ଅନୁଯାୟୀ ୨୦୧୯-୨୦, ୨୦୨୨-୨୩ ଓ ୨୦୨୩-୨୪ରେ ଏନ୍ଟିପିସିର ଫାରକ୍କା (ପଶ୍ଚିମବଙ୍ଗ) ପ୍ରକଳ୍ପରୁ ରାଜ୍ୟକୁ ଗୋଟିଏ ବି ୟୁନିଟ୍ ବିଦ୍ୟୁତ୍ ଆସିନି। ମାତ୍ର ସ୍ଥାୟୀ ଦେୟ ବାବଦରେ ଗ୍ରିଡ୍କୋ ପୈଠ କରିଛି ୨୮୯ କୋଟି ୮୨ ଲକ୍ଷ ଟଙ୍କା। ଉପରୋକ୍ତ ୩ ବର୍ଷରେ ବିହାରର କାହାଲଗାଓଁସ୍ଥିତ ଏନ୍ଟିପିସି ପ୍ରକଳ୍ପକୁ ଅନୁରୂପ ଭାବେ ୧୭୮ କୋଟି ୪୭ ଲକ୍ଷ, ଏନ୍ଟିପିସିର ବାଢ଼୍ ପ୍ରକଳ୍ପକୁ ଗତ ଦୁଇ ବର୍ଷରେ ୪୩ କୋଟି ୩୭ ଲକ୍ଷ, ଚଳିତ ବର୍ଷ ମୁଜାଫରପୁର ପ୍ରକଳ୍ପକୁ ୭ କୋଟି ୩ ଲକ୍ଷ ଓ ନବୀନଗର ପ୍ରକଳ୍ପକୁ ୨୫ କୋଟି ୮୭ ଲକ୍ଷ ଟଙ୍କା ସ୍ଥାୟୀ ଦେୟ ପୈଠ କରାଯାଇଛି। ରାଜ୍ୟ ସେସବୁ ସଂସ୍ଥାରୁ ଆଦୌ ବିଦ୍ୟୁତ୍ ଆଣି ନାହିଁ। ଗତ ବର୍ଷ ଓପିଜିସିକୁ ମଧ୍ୟ ଏ ବାବଦରେ ଗଣାଯାଇଛି ୩୨୭ କୋଟି ୮୦ ଲକ୍ଷ ଟଙ୍କା।
ସୂଚନାଯୋଗ୍ୟ, ବିହାର ଓ ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାରେ ସ୍ଥାପିତ ପ୍ରକଳ୍ପଗୁଡ଼ିକରୁ ଉତ୍ପାଦିତ ବିଦ୍ୟୁତ୍ ମୂଲ୍ୟ ଯଥେଷ୍ଟ କମ୍। ଯଦି ତତ୍କାଳୀନ ଆବଶ୍ୟକତା ଦୃଷ୍ଟିରୁ ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ବିଦ୍ୟୁତ୍ ଆଣିବା ଅପରିହାର୍ଯ୍ୟ ଥିଲା, ତେବେ ଓଡ଼ିଶାରେ ଶସ୍ତା ବିଦ୍ୟୁତ୍ ଉପଲବ୍ଧ ହେବା ପରେ ସେହି ପୁରୁଣା ଚୁକ୍ତିଗତ ବିଦ୍ୟୁତ୍କୁ କେନ୍ଦ୍ରକୁ ପ୍ରତ୍ୟର୍ପଣ ନକରି ସରକାର ତଥା ଗ୍ରିଡ୍କୋ ଦୀର୍ଘ ବର୍ଷ ଧରି ତାହାକୁ ବଳବତ୍ତର ରଖିବା ରାଜ୍ୟର କେଉଁ ହିତ ଦୃଷ୍ଟିରୁ ଯୁକ୍ତିଯୁକ୍ତ ବୋଲି ବିଦ୍ୟୁତ୍ ସମୀକ୍ଷକମାନେ ପ୍ରଶ୍ନ କରିଛନ୍ତି। ସେମାନେ ଉଠାଇଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା-ବିନା ବିଦ୍ୟୁତ୍ରେ ଶହଶହ କୋଟି ଟଙ୍କା ସ୍ଥାୟୀ ଦେୟ ପୈଠ କରୁଥିବା ଗ୍ରିଡ୍କୋ ରାଜ୍ୟ କୋଟା ବାବଦ ଶସ୍ତା ବିଦ୍ୟୁତ୍ ହାତଛଡ଼ା କରିବା କାହା ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ?
ତଥ୍ୟ ଆହୁରି କହୁଛି ଯେ ପିପିଏ ସ୍ବାକ୍ଷର ଲାଗି ସରକାର ୨୦୦୬ ଅଗଷ୍ଟ ୧୭ରେ ଗ୍ରିଡ୍କୋକୁ କ୍ଷମତା ଅର୍ପଣ କରିଥିଲେ। ତଦନୁଯାୟୀ ୨୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ୍ରୁ ୨୦୦ ମେଗାୱାଟ୍ ବିଦ୍ୟୁତ୍ ପାଇବାକୁ ଆୟୋଗଙ୍କ ପ୍ରାକ୍-ଅନୁମୋଦନ ବିନା ଗ୍ରିଡ୍କୋ ୨୦୦୭ ଜାନୁଆରି ୨୦ରେ ଏନ୍ଟିପିସି ସହ ପିପିଏ ସ୍ବାକ୍ଷର କରିଥିଲା। ପାଖାପାଖି ୧୫ ବର୍ଷ ପରେ ଗ୍ରିଡ୍କୋ ଏହାର ଅନୁମୋଦନ ଲାଗି ଆବେଦନ କରି ଚଳିତ ବର୍ଷ ଏପ୍ରିଲ୍ ୧୫ରେ ସ୍ବୀକୃତି ଲାଭ କରିଛି। ଅନୁରୂପ ଭାବେ ବିହାରର ବାଢ଼୍ ପ୍ରକଳ୍ପରୁ ବିଦ୍ୟୁତ୍ କିଣିବା ଲାଗି ଗ୍ରିଡ୍କୋ ୨୦୦୬ ଅଗଷ୍ଟ ୧୧ରେ ଏନ୍ଟିପିସି ସହ ଚୁକ୍ତି କରିଥିଲା। ପ୍ରକଳ୍ପ ୧୦ ବର୍ଷ ବିଳମ୍ବ ହେଲା। ଏପଟେ ରାଜ୍ୟରେ ସ୍ଥାପିତ ୩ଟି ଆଇପିପିରୁ ଶସ୍ତା ବିଦ୍ୟୁତ୍ ପାଇବାକୁ ଗ୍ରିଡ୍କୋ ଚୁକ୍ତି କରିଥିଲା। ତେଣୁ ଉଚ୍ଚ ଦରରେ ବାଢ଼୍ ପ୍ରକଳ୍ପରୁ ବିଦ୍ୟୁତ୍ ନଆଣି ତାହାକୁ ପ୍ରତ୍ୟର୍ପଣ କରିବାକୁ ଦୀର୍ଘ ୧୦ ବର୍ଷ ପରେ ଆବେଦନ କରିବାରୁ ଆୟୋଗ ୨୦୨୧ ନଭେମ୍ବର ୧ରେ ତାହାକୁ ବାତିଲ କରିଥିଲେ।
ଝାଡ଼ଖଣ୍ଡର କରନ୍ପୁରାସ୍ଥିତ ଏନ୍ଟିପିସି ପ୍ରକଳ୍ପରୁ ୧୯୮ ମେଗାୱାଟ୍ ବିଦ୍ୟୁତ୍ କିଣିବାକୁ ଗ୍ରିଡ୍କୋ ୨୦୦୬ ଅଗଷ୍ଟ ୧୧ରେ ଚୁକ୍ତି କରିଥିଲା। ସେହି ପ୍ରକଳ୍ପରୁ ମୋଟ ୩୯୬ ମେଗାୱାଟ୍ ବିଦ୍ୟୁତ୍ ଆଣିବାକୁ ରାଜ୍ୟ ସରକାର ୨୦୧୫ରେ କରିଥିବା ଅନୁରୋଧକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ସ୍ବୀକୃତି ଦେଇଥିଲେ। ତେବେ ଆରମ୍ଭରୁ ଅନ୍ଧାରରେ ଥିବା ଆୟୋଗ ଶେଷରେ ୨୦୨୨ ମେ’ ୭ରେ ଏହି ନିର୍ଦ୍ଦିଷ୍ଟ ଚୁକ୍ତିକୁ ଅନୁମୋଦନ କଲେ ଓ ୨୦୨୩-୨୪ ଟାରିଫ୍ ଆଦେଶରେ ସେହି ପ୍ରକଳ୍ପରୁ ଅଧିକ ଦର (ୟୁନିଟ୍ ପିଛା ୪ ଟଙ୍କା ୩୮ ପଇସା)ରେ ବିଦ୍ୟୁତ୍ କିଣିବାକୁ ସ୍ବୀକୃତି ଦେଇଥିଲେ। ମୋଟାମୋଟି ଭାବେ ଏଭଳି ଅବାଞ୍ଛିତ ଚୁକ୍ତିଗୁଡ଼ିକର ସ୍ବୀକୃତି ଲାଗି ଗ୍ରିଡ୍କୋ ବହୁ ବିଳମ୍ବରେ ଆବେଦନ କରୁଥିବାରୁ ଆୟୋଗଙ୍କ ନିକଟରେ ଆଇନଗତ ହସ୍ତକ୍ଷେପ ପାଇଁ ସୁଯୋଗ ରହୁନାହିଁ। ଆୟୋଗ ବସ୍ତୁତଃ ନିରୂପାୟ ହୋଇ ତାହାକୁ ସ୍ବୀକୃତି ଦେବାକୁ ବାଧ୍ୟ ହେଉଛନ୍ତି। ଯଦି ପିପିଏ ସ୍ବାକ୍ଷର ପୂବରୁ ଗ୍ରିଡ୍କୋ ଆୟୋଗଙ୍କ ଅନୁମୋଦନ ଲୋଡ଼ିଥାନ୍ତା ଓ ଆୟୋଗ ତାହାକୁ ତର୍ଜମା କରି ପାଇକାରୀ ଦର ସୁପାରିସ କରିଥାନ୍ତେ, ତେବେ ଉପରୋକ୍ତ ହେରଫେରର ସୁଯୋଗ ନଥାନ୍ତା।
[ad_2]