ହତ୍ୟାକରି ଗାଡ଼ିରେ ଆଣି ଫୋପାଡ଼ି ଚାଲିଗଲେ! କଂଗ୍ରେସଭବନ ନିକଟରୁ ଯୁବକଙ୍କ ମୃତଦେହ ଜବତ – bajravana
[ad_1]
ସିସିଟିଭିରେ ଗାଡ଼ିକୁ ଖୋଜୁଛି ପୁଲିସ
ଭୁବନେଶ୍ବର: ସନ୍ଦେହଜନକ ଅବସ୍ଥାରେ କଂଗ୍ରେସଭବନ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହକୁ କ୍ୟାପିଟାଲ୍ ଥାନା ପୁଲିସ ଜବତ କରିଛି। ସେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା କଣ୍ଟିଲୋ କେଉଟସାହିର ତ୍ରିନାଥ ଦଳେଇ(୩୫)। ପୁଲିସ କେସ୍ ନଂ-୨୧୨ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି। ତେବେ ଯୁବକଙ୍କ ମୃତ୍ୟୁ କେମିତି ଘଟିଲା, ଉକ୍ତ ସ୍ଥାନକୁ ସେ କେମିତି ଆସିଲେ- ତା’କୁ ନେଇ ପୁଲିସ ପାଖରେ କିଛି ସୂଚନା ନାହିଁ। ଅନ୍ୟପଟେ କେହି ତାଙ୍କୁ ହତ୍ୟା କରି ଏକ ଗାଡ଼ିରେ ଆଣି ଫୋପାଡ଼ି ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ରାଜଧାନୀର ସବୁଠୁ କଡ଼ା ସୁରକ୍ଷାରେ ଥିବା ଅଞ୍ଚଳଗୁଡ଼ିକ ଭିତରୁ ଗୋଟିଏ ଇଲାକାରେ, ଏକ ଜାତୀୟ ଦଳର ରାଜ୍ୟ ମୁଖ୍ୟାଳୟ ପାଖରେ ଏପରି ଘଟିବାବେଳେ କମିସନରେଟ୍ ପୁଲିସ କିଛି ଜାଣି ପାରିଲାନି କେମିତି? ଏଭଳି ଅଞ୍ଚଳ ତ ୨୪ ଘଣ୍ଟା ପୁଲିସର ନିରୀକ୍ଷଣରେ ରହିବା କଥା!
ଆଜି ଅପରାହ୍ନ ପାଖାପାଖି ୧୧ଟା ସମୟରେ କଂଗ୍ରେସ ଭବନ କଡ଼ ରାସ୍ତାରେ କେହି ଜଣେ ଯୁବକ ଦୀର୍ଘ ସମୟ ଧରି ପଡ଼ିରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତାଙ୍କୁ ଯେତେ ଡାକିଥିଲେ ବି ସେ ଜବାବ ଦେଇନଥିଲେ। ଲୋକେ ପୁଲିସକୁ ଫୋନ୍କରି ଜଣାଇଥିଲେ। ଖବରପାଇ କ୍ୟାପିଟାଲ ଥାନା ପୁଲିସର ଏକ ଟିମ୍ ସେଠାରେ ପହଞ୍ଚି ସଂଜ୍ଞାହୀନ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ସମୟରେ ପୁଲିସ ଯୁବକଙ୍କ ଠିକଣା ଠାବ କରିଥିଲା। ଯୁବକ ଜଣଙ୍କ ନୟାଗଡ଼ କଣ୍ଟିଲୋ ଅଞ୍ଚଳର। ଠିକଣା ଠାବ ପରେ ପୁଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ପରିବାରଲୋକଙ୍କୁ ପଚରା ଉଚରା ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ୧୫ ଦିନ ତଳେ ସେ ଘରୁ ରାଗି ରାଜଧାନୀ ଚାଲିଆସିଥିଲେ। ଆଉ କଳ୍ପନା ଅଞ୍ଚଳରେ ରହି କାମ କରୁଥିଲେ। ହେଲେ କଳ୍ପନାର କେଉଁଠି ରହୁଥିଲେ, କାହା ସହ ରହୁଥିଲେ- ସେ ବିଷୟରେ କାହାପାଖରେ କିଛି ତଥ୍ୟ ନାହିଁ।
ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଏ ରହସ୍ୟମୟ ମୃତ୍ୟୁର ଗୁମର ଖୋଲିବା ପାଇଁ ପୁଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରୁଛି। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଇଥିବା ଗାଡ଼ିଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯିବ। ଏହାଛଡ଼ା ମୃତଦେହ ମିଳିଥିବା ଆଖାପାଖ ଅଞ୍ଚଳର କିଛି ଲୋକଙ୍କୁ ପୁଲିସ ପଚରା ଉଚରା କରି ବୟାନ ରେକର୍ଡ କରିଛି। ଆସନ୍ତାକାଲି, ଅର୍ଥାତ ଗୁରୁବାର ଦିନ ପରିବାରଲୋକଙ୍କ ଉପସ୍ଥିତରେ ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଅସିବ ବୋଲି ପୁଲିସ କହିଛି।
[ad_2]