କାରଗିଲ୍ ଯୁଦ୍ଧ: ଶହୀଦ ହୋଇଥିଲେ ୫୨୭ ଯବାନ
ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧରେ ଭାରତର ୫୨୭ ଯବାନ ଶହୀଦ ହୋଇଥିଲେ। ଶହୀଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ। କାରଗିଲ୍ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା। ପାକିସ୍ତାନ ଷଡ଼ଯନ୍ତ୍ର କରି ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେଶନ ବିଜୟ। ଯୁଦ୍ଧରେ ବୀରତ୍ୱର ସହ ଲଢ଼ି ପାକିସ୍ତାନକୁ ପରାଜିତ କରିଥିଲେ ଭାରତୀୟ ଯବାନ। ଏହି ଯୁଦ୍ଧରେ ମିଗ୍-୨୭, ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ ବାୟୁସେନା ପକ୍ଷରୁ ବୋମାମାଡ଼ କରାଯାଇଥିବାବେଳେ ଆର୍-୭୭ କ୍ଷେପଣାସ୍ତ୍ରର ହୋଇଥିଲା ଉପଯୋଗ । ଯୁଦ୍ଧରେ ଭାରତୀୟ ସେନା ପକ୍ଷରୁ ୨ ଲକ୍ଷ ୫୦ ହଜାର ଗୁଳି ଚାଳନା କରାଯାଇଥିଲା। ସେହିପରି ୫ ହଜାର ବୋମା ଓ ୩ ଶହରୁ ଅଧିକ ମୋର୍ଟାର ମାଡ଼ରେ ଶତ୍ରୁ ପକ୍ଷ ପରାଜୟ ସ୍ବୀକାର କରିବାକୁ ବାଧ୍ୟ ହୋଇଥିଲେ। ୧୯ ବର୍ଷ ତଳେ ଲଢ଼ାଯାଇଥିବା ଏହି ଯୁଦ୍ଧ ଲାଗି ୧୯୯୯ଠାରୁ ପ୍ରତିବର୍ଷ ଜୁଲାଇ ୨୬ରେ ପାଳନ କରାଯାଉଛି ବିଜୟ ଦିବସ।