ହାଇକୋର୍ଟରେ ପ୍ରତି ଜବାବ ଦାଖଲ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ – bajravana
[ad_1]
କଟକ: ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଭିତରେ ଥିବା ଶ୍ରୀଜିଉଙ୍କ ରତ୍ନଖଚିତ ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସଂପତ୍ତିର ନିୟମିତ ଯାଞ୍ଚ ହେବା ଉଚିତ। ଶ୍ରୀଜଗନ୍ନାଥ ମନ୍ଦିର ନିୟମାବଳୀ ୧୯୬୦ ଅନୁସାରେ ପ୍ରତି ୬ ମାସରେ ଥରେ ରତ୍ନ ଭଣ୍ଡାର ଭିତରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସଂପତ୍ତିର ଯାଞ୍ଚ ହେବା କଥା ବୋଲି ହାଇକୋର୍ଟରେ ଦାଖଲ ପ୍ରତିଜବାବରେ ଉଲ୍ଲେଖ କରାଯାଇଛି।
ଦିଲ୍ଲୀପ କୁମାର ମହାପାତ୍ରଙ୍କ ତରଫରୁ ଦାଖଲ ପ୍ରତିଜବାବ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସତ୍ୟପାଠରେ ଭିତର ରତ୍ନ ଭଣ୍ଡାର ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶରେ ଖୋଲାଯାଇ ପାରିବ ବୋଲି ଉଲ୍ଲେଖ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୯ ଓ ନିୟମାବଳୀ ୫ ଅନୁସାରେ ରହିଥିବା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ। ଗଠିତ ନୂତନ କମିଟି ରତ୍ନ ଭଣ୍ଡାର ଭିତରେ ଥିବା ସୁନା, ରୁପା, ମୂଲ୍ୟବାନ ରତ୍ନପଥର ଓ ଅନ୍ୟ ଅଳଙ୍କାର ଯାଞ୍ଚ ପରେ ଏହାର ଦାୟିତ୍ବ ନେବା କଥା। କିନ୍ତୁ ଏପରି କରାଯାଉ ନାହିଁ। ଏଥିସହିତ ହାଇକୋର୍ଟରେ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ରତ୍ନ ଭଣ୍ଡାର ଭିତରେ ଥିବା ମୂଲ୍ୟବାନ ପଥର କେଉଁ ବର୍ଗର ଓ କେତେ ଓଜନର ତାହା ଉଲ୍ଲେଖ କରାଯାଇ ନାହିଁ। କେତେ କ୍ୟାରଟର ରତ୍ନ ପଥର ତାହା ଓଜନ ହେବା ଉଚିତ। କିନ୍ତୁ ଏ ନେଇ ଠୋସ ତଥ୍ୟ ନଥିବାରୁ ରତ୍ନ ପଥରର ସୁରକ୍ଷା ନେଇ ସନ୍ଦେହ ସୃଷ୍ଟି ହେଉଛି। ୪୫ ବର୍ଷ ହେବ ଖୋଲା ଯାଇ ନଥିଲେ ମଧ୍ୟ ଭିତର ରତ୍ନ ଭଣ୍ଡାରରେ ଥିବା ଶ୍ରୀଜିଉଙ୍କ ସୁନା, ଅଳଙ୍କାର ଓ ରତ୍ନ ପଥର ସୁରକ୍ଷିତ ଅଛି ବୋଲି ଜବାବରେ କୁହାଯାଇଥିବା ବେଳେ ଏହାକୁ ନେଇ ପ୍ରତିଜବାବରେ ପ୍ରଶ୍ନ ଉଠାଯାଇଛି। କେବଳ ଚାବି ସଂରକ୍ଷଣ କରି ରଖାଯିବା ମାନେ ନୁହେଁ ଯେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି।
ଏହି ସବୁର ନିୟମିତ ଯାଞ୍ଚ ହେଲେ କେତେ ଦୂର ସୁରକ୍ଷିତ ତାହା ଜଣାପଡିବ। ଏଏସଆଇ ରିପୋର୍ଟ ଅନୁସାରେ ରତ୍ନ ଭଣ୍ଡାର ଭିତରେ ପାଣି ଗଳୁଥିବାର ସମ୍ଭାବନା ରହିଛି। ଏହା ଦ୍ବାରା ରତ୍ନ ଅଳଙ୍କାର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣୁ ରତ୍ନ ଭଣ୍ଡାର ଭିତରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ବୋଲି କହି କର୍ତ୍ତୃପକ୍ଷ ନିଜ ଦାୟିତ୍ବକୁ ଏଡ଼ାଇ ଯାଉଛନ୍ତି ବୋଲି ପ୍ରତିଜବାବରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଅକ୍ଟୋବର ୧୯କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
[ad_2]