news

ପ୍ରତି ବିଶ୍ୱକପ୍‌ରେ ଇଟାଲୀକୁ ଆସିଥାଏ ଓରିଜିନାଲ ଟ୍ରଫି

ପାଡେର୍ନୋ ଡଗନାନୋ- ଫୁଟ୍‌ବଲର ସର୍ବୋଚ୍ଚ ପ୍ରତିଯୋଗିତା ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଏକ ମାସ ସମୟ ରହିଛି। ତେବେ ଚାରିଥରର ବିଶ୍ୱ ଚାମ୍ପିୟନ ଇଟାଲୀ ଦଳ ଚଳିତ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଫଳରେ ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିବାକୁ ଥିବା କ୍ରୀଡ଼ାର ଏହି ମହାକୁମ୍ଭରେ କ୍ରୀଡ଼ାପ୍ରେମୀ ଅନ୍ୟତମ ଫେଭରାଇଟ୍‌ ଦଳ ଇଟାଲୀର ଖେଳ ଦେଖିବାରୁ ବଞ୍ଚତ୍ତ ହେବେ। ଗତ ନଭେମ୍ବରରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସ୍ବିଡେନଠାରୁ ପରାସ୍ତ ହୋଇ ଇଟାଲୀ ବିଶ୍ୱକପ୍‌ର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଇଟାଲୀ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ ମଧ୍ୟ ପ୍ରତି ୪ ବର୍ଷରେ ଥରେ ଫିଫା ବିଶ୍ୱକପ୍‌ ଟ୍ରଫି ଦେଶକୁ ଆସିଥାଏ। ଇଣ୍ଡଷ୍ଟ୍ରିଆଲ ଟାଉନ ମିଲନ ସହରସ୍ଥିତ ଏକ କମ୍ପାନୀକୁ ବିଶ୍ୱକପ୍‌ ଟ୍ରଫି ଆସିଥାଏ, ଯେଉଁଠାରେ ଟ୍ରଫିକୁ ସଫା କରାଯାଇ ଶାଇନିଂ କରାଯାଇଥାଏ। ବର୍ତ୍ତମାନର ଫିଫା ବିଶ୍ୱକପ୍‌ ଟ୍ରଫିକୁ ୧୯୭୧ ମସିହାରେ ଏହି ଛୋଟିଆ କମ୍ପାନୀରେ ତିଆରି କରାଯାଇଥିଲା। ଏହାପରେ ପଶ୍ଚିମ ଜର୍ମାନୀ ଭାଗ୍ୟଶାଳୀ ଦେଶ ଭାବେ ଏହି ନବନିର୍ମିତ ଟ୍ରଫିକୁ ଜିତିବାରେ ସଫଳ ହୋଇଥିଲା। ‘ବିଶ୍ୱକପ୍‌ ଟ୍ରଫିର ପ୍ରତିକୃତି ଆମେ ପ୍ରତିଦିନ ଦେଖୁଥିଲେ ମଧ୍ୟ ପ୍ରତି ୪ ବର୍ଷରେ ଥରେ ଓରିଜିନାଲ ଟ୍ରଫି ଆମ ନିକଟକୁ ଆସୁଥିବାରୁ ଆମକୁ ଏହା ସ୍ବତନ୍ତ୍ର ଅନୁଭୂତି ଦେଇଥାଏ’ ବୋଲି ଟ୍ରଫି ତିଆରି କରୁଥିବା ଏହି କମ୍ପାନୀର ନିର୍ଦ୍ଦେଶିକା ଭାଲେଣ୍ଟିନା ଲୋସା କହିଛନ୍ତି। ୧୯୩୮ରେ ଲୋସାଙ୍କ ଜେଜେବାପା କମ୍ପାନୀ ପ୍ରତିଷ୍ଠା କରିଥିଲେ। କମ୍ପାନୀର ଆର୍ଟିଷ୍ଟ ସ୍କୁଲପଟୋର ସିଲଭିଓ ଗଜାନିଗା ବର୍ତ୍ତମାନର ବିଶ୍ୱକପ୍‌ ଟ୍ରଫିକୁ ତିଆରି କରିଥିବାବେଳେ ଭାଲେଣ୍ଟିନାଙ୍କ ପିତା ଗିର୍ଗିଓ ତାଙ୍କୁ ସହାୟତା କରିଥିଲେ। ଟ୍ରଫିର ପୂରା ଉପରେ ଗ୍ଲୋବାଲ ଚିତ୍ରକୁ ରଖିବା ଲାଗି ଗିର୍ଗିଓ ସେତେବେଳେ ପରାମର୍ଶ ଦେଇଥିଲେ। ‘ଅରଜିନାଲ ଟ୍ରଫି ସବୁବେଳେ ଓରିଜିନାଲ। ଗୋଟିଏ ଓରିଜିନାଲ ମୋନାଲିସା ଓ କପି ମଧ୍ୟରେ ଯେତିକି ଫରକ ଥାଏ, ଏହା ଠିକ୍‌ ସେହିଭଳି ଅନୁଭୂତି ଦିଏ’ ବୋଲି ଭାଲେଣ୍ଟିନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିଶ୍ୱକପ୍‌ ଟ୍ରଫି ନିର୍ମାଣବେଳେ ସାରା ବିଶ୍ୱରୁ ୫୩ଟି ପ୍ରପୋଜାଲ ଆସିଥିଲେ ମଧ୍ୟ ଆମେ ଗୋଟିଏ ଥରରେ ଏହି ମଡେଲ ତିଆରି କରିଥିଲୁ। ପ୍ରତି ବିଶ୍ୱକପ୍‌ ପରେ ଫିଫା ୩୮ ସେଣ୍ଟିମିଟର ଲମ୍ବ ଓ ୬ କିଗ୍ରାରୁ ଊର୍ଦ୍ଧ୍ୱ ସଲିଡ୍‌ ସୁନାରେ ତିଆରି ହୋଇଥିବା ଟ୍ରଫିକୁ ଆମ ନିକଟକୁ ପଠାଇଥାଏ। ଏଥିରେ ସାମାନ୍ୟ କ୍ଷୟ ହୋଇଥିଲେ ମଧ୍ୟ ଆମେ ପୁଣିଥରେ ଏହାର ଶେପ୍‌ ଫେରାଇ ଆଣିବାରେ ସଫଳ ହୋଇଥାଉ ବୋଲି କମ୍ପାନୀରେ ଥିବା ୮ଜଣ ସ୍ପେଶିଆଲ ଓ୍ବାର୍କରଙ୍କ ମଧ୍ୟରୁ ପିଟ୍ରୋ ବ୍ରାମ୍ବିଲା ଏହା କହିଛନ୍ତି। ପ୍ରତିଥର ଚାମ୍ପିୟନ ହେଉଥିବା ଦେଶକୁ ଏହି ବିଶ୍ୱକପ୍‌ର ଟ୍ରଫି ଦିଆଯାଇଥାଏ, ଯାହାର ପ୍ରତିକୃତି ମଧ୍ୟ ଏଠାରେ ପ୍ରସ୍ତୁତ ହୋଇଥାଏ। ବିଶ୍ୱକପ୍‌ ସମେତ ଆଫ୍ରିକା, ୟୁରୋପ୍‌, ସେଣ୍ଟ୍ରାଲ ଆମେରିକା ଆଦିର ଆହୁରି ଅନେକ ଟ୍ରଫି ଏହି କମ୍ପାନୀରେ ତିଆରି ହୋଇଥାଏ ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button