ଓଡିଶା

କୋରିୟର ସଂସ୍ଥାରେ ରହିବ ମେଟାଲ ଡିଟେକ୍ଟର, ସ୍କାନର

କଟକ: ବଲାଙ୍ଗୀର ଜିଲା ପାଟଣାଗଡ଼ ଉପହାର ବୋମା ବିସ୍ଫୋରଣ ଘଟଣା ପରେ କ୍ରାଇମବ୍ରାଞ୍ଚର ଚେତା ପଶିଛି। ଏଭଳି ହାଇପ୍ରୋଫାଇଲ ବୈଷୟିକ ଅପରାଧକୁ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଙ୍ଗଳବାର ଏକ ମାର୍ଗଦର୍ଶିକା ଜାରି କରାଯାଇଛି। କୋରିୟର ସଂସ୍ଥାଗୁଡ଼ିକ ଉପରେ ଲଗାଯାଇଛି କଡ଼ା କଟକଣା। କୋରିୟର ସଂସ୍ଥାଗୁଡ଼ିକ ମେଟାଲ ଡିଟେକ୍ଟର, ସ୍କାନର ଓ ସିସିଟିଭି ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ବ୍ୟବସ୍ଥା ଗ୍ରହଣ କରାଗଲେ ବିସ୍ଫୋରକ ସାମଗ୍ରୀ ରହିଥିବା ପ୍ୟାକେଟଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ। ଏଥିସହ ପାର୍ଶଲ ଦେବା ପାଇଁ ଆସୁଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟକୁ କୋରିୟର ସଂସ୍ଥା ରଖିବା ସହିତ ପ୍ରେରକଙ୍କଠାରୁ ସାମ୍ବିଧାନିକ ପରିଚୟପତ୍ର (ଭୋଟ ପରିଚୟପତ୍ର, ଆଧାର, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି)କୁ ବାଧ୍ୟତାମୂଳକ କରାଯାଇଛି। ଅପରାଧୀମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗକରି ଉପହାର ପାର୍ଶଲରେ ବୋମା ଭଳି ବିସ୍ଫୋରକ ସାମଗ୍ରୀ ପ୍ରଦାନ କରୁଛନ୍ତି, ଯାହା ପାଟଣାଗଡ଼ ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଛି। ସାମାଜିକ କର୍ମୀ ଦୀପକ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ, କୋରିୟର ସଂସ୍ଥାଗୁଡ଼ିକ ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ। ଲଗାମହୀନ ଭାବେ କୋରିୟର କାରବାର ଚାଲିଛି। ପାଟଣାଗଡ଼ ଉପହାର ବୋମା ବିସ୍ଫୋରଣ ଘଟଣାରେ ପ୍ରେରକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଜଣେ ପ୍ରେରକ ପାର୍ଶଲ ନେଇ କୋରିୟର ସଂସ୍ଥାକୁ ଆସିବା ମାତ୍ରେ ତାହାକୁ ପ୍ରଥମେ ଯାଞ୍ଚ କରିବା କଥା। କୋରିୟର ସଂସ୍ଥାର କର୍ମଚାରୀ ପାର୍ଶଲ ଖୋଲି ସେଥିରେ କ’ଣ ରହିଛି ତାହା ଦେଖିବା କଥା। ମାତ୍ର କିଛି ଅଧିକ ଟଙ୍କା ବଦଳରେ କୋରିୟର ସଂସ୍ଥାର କର୍ମଚାରୀ ପାର୍ଶଲକୁ ତନଖି କରୁନାହାନ୍ତି। ଏଣୁ ବିସ୍ଫୋରକ ପଦାର୍ଥ ପାର୍ଶଲରେ ଯିବା ସହଜ ହେଉଛି। ଆଡଭୋକେଟ ତୁଷାରକାନ୍ତ ନାୟକଙ୍କ କହିବା ଅନୁଯାୟୀ, ପାର୍ଶଲ ବୋମା ବିସ୍ଫୋରଣ ଏକ ସମ୍ବେଦନଶୀଳ ଘଟଣା। ଇଣ୍ଡିଆନ ପୋଷ୍ଟାଲ ଆକ୍ଟ ଅନୁସାରେ ବେସରକାରୀ କୋରିୟର ଚଳାଇବା ପାଇଁ ବହୁ ନିୟମ ରହିଛି। ଏହି ନିୟମ ଅନୁପାଳନରେ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡବିଧିର ବ୍ୟବସ୍ଥା ରହିଛି। ପାର୍ଶଲରେ ନିଶାଦ୍ରବ୍ୟ, ଦହନଶୀଳ ପଦାର୍ଥ, ବିସ୍ଫୋରକ ସାମଗ୍ରୀ ଯାଇପାରିବ ନାହିଁ। ଏଭଳି ସାମଗ୍ରୀ ପଠାଇବା ଧର୍ତ୍ତବ୍ୟ ଅପରାଧ। ଏହି ବେଆଇନ କାର୍ଯ୍ୟ ପାଇଁ କୋରିୟର ସଂସ୍ଥା ଓ ପ୍ରେରକ ଦାୟୀ। ଏଭଳି ସାମଗ୍ରୀ ପାର୍ଶଲ ଦ୍ୱାରା ପଠାଇଲେ ଅଭିଯୁକ୍ତ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଉଭୟ ଅର୍ଥ ଓ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button