ଦେଶ ବିଦେଶ

ଭାରତ ସରକାରଙ୍କ ପ୍ରଧାନ ପବକ୍ତା ତଥା ପତ୍ର ସୂଚନା କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସୀତାଂଶୁ କର

ଭୁବନେଶ୍ୱର:- ସର୍ବଭାରତୀୟ ସେବା – ଭାରତୀୟ ସୂଚନା ସେବାର ବରିଷ୍ଠ ଓଡ଼ିଆ ଅଧିକାରୀ ତଥା ଦକ୍ଷ ପ୍ରଶାସକ ଶ୍ରୀ ସୀତାଂଶୁ କର ପତ୍ର ସୂଚନା କାର୍ଯ୍ୟାଳୟ ଦିଲ୍ଲୀର ମହାନିର୍ଦ୍ଦେଶକ ତଥା ଭାରତ ସରକାରଙ୍କ ୨୭ତମ ପ୍ରଧାନ ମୁଖପାତ୍ର ରୂପେ ମଙ୍ଗଳବାର (୦୧.୦୫.୨୦୧୮) କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ଫ୍ରାଙ୍କ ନରୋନାଙ୍କ ଅବସର ଗ୍ରହଣ ପରେ ୧୯୮୩ ବ୍ୟାଚର ଅଧିକାରୀ ଶ୍ରୀ କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦୀର୍ଘ ୩୫ ବର୍ଷ ଧରି ଶ୍ରୀ କର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ବିଭାଗରେ ପ୍ରମୁଖ ପଦପଦବୀରେ ଅତି କୁଶଳତାର ସହ କାର୍ଯ୍ୟକରି ଆସିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ନୂତନ କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ସେ ଆକାଶବାଣୀ ସମାଚାର ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ।

ଶ୍ରୀ ସୀତାଂଶୁ କରଙ୍କ ବାଲ୍ୟଶିକ୍ଷା ଓ ଉଚ୍ଚଶିକ୍ଷା କଟକ ତଥା ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା। ସେ ପ୍ରଥମେ କଟକରୁ ବାଲ୍ୟଶିକ୍ଷା ସାରି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଏହାପରେ କଟକ ଖ୍ରୀଷ୍ଟ କଲେଜରେ ପଢ଼ିଥିଲେ। ତା ପରେ ବିଜେବି କଲେଜ ଭୁବନେଶ୍ୱରରୁ ରାଜନୀତି ବିଜ୍ଞାନ(ଅନର୍ସ)ରେ ଭଲ ଅଧ୍ୟୟନ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତର ଡିଗ୍ରୀ ସାରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍ ଓ ଜାପାନିଜ୍ ଭାଷାରେ ଏମ.ଫିଲ୍ ଡିଗ୍ରୀ ହାସଲ କରିଥିଲେ।

ସର୍ବଭାରତୀୟ ସେବାର ପ୍ରାରମ୍ଭରେ ଶ୍ରୀ କର ଲାଲବାହଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ, ମସୋରୀରେ ଫାଉଣ୍ଡେସନ ପାଠ୍ୟକ୍ରମ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ଅନୁଶୀଳନ ପାଠ୍ୟକ୍ରମ ଶେଷ କରି ଆକାଶବାଣୀର ସମ୍ବାଦ ପ୍ରସାରଣ ସେବା ବିଭାଗରେ ଯୋଗଦେଇଥିଲେ। ସ୍ପଳ୍ପ ସମୟର କାର୍ଯ୍ୟକାଳ ପରେ ସେ ଦୂରଦର୍ଶନର ସର୍ବଭାରତୀୟ ସମ୍ବାଦ ପ୍ରସାରଣ ସେବା ଦିଲ୍ଲୀରେ ଯୋଗଦେଇ ୧୭ ବର୍ଷ କାଳ କାର୍ଯ୍ୟ କରିଥିଲେ। ଦୂରଦର୍ଶନ ସମ୍ବାଦ ବିଭାଗକୁ ନୂଆ ରୂପ ତଥା ପୁନର୍ଗଠନ କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଶ୍ରୀ କର ୨୦୦୩ରେ ପୁଣି ଥରେ ପତ୍ର ସୂଚନା କାର୍ଯ୍ୟାଳୟରେ ଯୋଗଦେଇ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଗ୍ରାମ୍ୟ ଉନ୍ନୟନ, ମାନବ ସମ୍ବଳ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତି ସେବା, ଆଣବିକ ଶକ୍ତି ଓ ମହାକାଶ ବିଜ୍ଞାନ ମନ୍ତ୍ରଣାଳୟର ପ୍ରଚାର ଓ ପ୍ରସାର ଦାୟୀତ୍ୱରେ ରହିଥିଲେ। ୨୦୦୫ ଅଗଷ୍ଟରେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଧାନ ମୁଖପାତ୍ର ଭାବେ ଏହାର ଜନସମ୍ପର୍କ ନିର୍ଦ୍ଦେଶାଳୟରେ ଯୋଗଦେଇଥିଲେ।

ଶ୍ରୀ ସୀତାଂଶୁ କରଙ୍କ ଦୀର୍ଘ ଅଭିଜ୍ଞତା ଯୋଗୁଁ ତାଙ୍କୁ ଚତୁର୍ଥ ସିଆଇଏସଏମ ବିଶ୍ୱ ମିଲିଟାରୀ କ୍ରୀଡା ପ୍ରତିଯୋଗିତା -୨୦୦୭ର ମିଡିଆ ଏବଂ ପବ୍ଲିସିଟି କମିଟିରେ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦିଆଯାଇଥିଲା। ଏହି ପ୍ରତିଯୋଗିତା ଅଲମ୍ପିକ୍ସ କ୍ରୀଡା ପରେ ବିଶ୍ୱର ଦ୍ୱିତୀୟ ବୃହତମ କ୍ରୀଡା ମହାକୁମ୍ଭ ଭାବେ ପରିଚିତ। ଏପରିକି ୨୦୧୫ରୁ ସୋସିଆଲ ମିଡିଆରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଗଠନାତ୍ମକ ଓ ସକାରାତ୍ମକ ଭାବେ ଉପସ୍ଥାପନା କରିବା ତଥା ପରିଚିତ କରାଇବାରେ ଶ୍ରୀ କରଙ୍କର ଅନବଦ୍ୟ ଅବଦାନ ରହିଛି। ଏପରିକି ଦେଶର ସର୍ବ ପୂରାତନ ପ୍ରତିରକ୍ଷା ପତ୍ରିକା – ସୈନିକ ସମାଚାରର ଶତବାର୍ଷିକୀ ପାଳନ ଅବସରରେ ‘Soldiering On’ ନାମକ ଏକ କଫି ଟେବୁଲ ବୁକ୍ ପୁସ୍ତିକା ପ୍ରକାଶ କରି ସେ ସୂନାମ ଅର୍ଜନ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ‘Grandeur of the Indian Republic Day Celebrations’ ନାମକ ଏକ ସୁନ୍ଦର ପୁସ୍ତକର ମଧ୍ୟ ଶ୍ରୀ କର ସହ-ରଚୟିତା ଅଛନ୍ତି।

ନିଜର ପେଷାଦାର ଜୀବନ ମଧ୍ୟରେ ଶ୍ରୀ କର ଅନେକ ପୁରସ୍କାର ଓ ଫେଲୋସିପ ହାସଲ କରିଛନ୍ତି। ୧୯୮୮ ମସିହାରେ ପ୍ରଥମ ଭାରତୀୟ ରୂପେ ସେ Visnews Fellowship of London ହାସଲ କରିଥିଲେ। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ସେ ଏହି ଫେଲୋସିପ ହାସଲ କରି ୟୁରୋପ ଓ ଉତର ଆମେରିକା ଭ୍ରମଣ କରିଥିଲେ ଏବଂ ସେହି ରାଷ୍ଟ୍ରଗୁଡିକରେ ଅଗ୍ରଣୀ ଟେଲିଭିଜନ ସଂସ୍ଥାର ସମ୍ବାଦ ପ୍ରସାରଣ କାର୍ଯ୍ୟଶୈଳୀ ଓ ଆଧୁନିକ ପ୍ରଯୁକ୍ତି ଉପରେ ବିଶେଷ ଅନୁଭୂତି ହାସଲ କରିଥିଲେ। ଦୁଇ ବର୍ଷ ପରେ ଜର୍ମାନୀର Fridrich-Ebbert-Stiftung Foundation ଦ୍ୱାରା ମନୋନୀତ ହୋଇ ସେ ପୂର୍ବ ଓ ପଶ୍ଚିମ ୟୁରୋପରେ ରାଜନୀତିକ ଓ ଆର୍ଥିକ ପଟ-ପରିବର୍ତ୍ତନର ଧାରା ଅନୁଧ୍ୟାନ କରିବା ଲାଗି ଯାଇଥିଲେ। ୧୯୯୧ରେ ସେ ମାଲେସିଆର ରାଜଧାନୀ କୁଆଲା ଲୁମ୍ପୁରଠାରେ ଥିବା ଏସିଆ ପେସିଫିକ୍ ବ୍ରୋଡକାଷ୍ଟିଂ ୟୁନିଅନର ଏସିଆ ଭିଜନ ସଂଯୋଜକ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ୧୯୯୮ରେ ଶ୍ରୀ ସୀତାଂଶୁ କର ନେଦରଲାଣ୍ଡ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ହିଲଭରସମ୍ ସହରରେ ଥିବା ରେଡିଓ ନେଦରଲାଣ୍ଡ ଟ୍ରେନିଂ ସେଂଟରରେ ଯୋଗଦେଇଥିଲେ। ସେଠାରେ ସେ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ଡିଜିଟାଲ ଟେକ୍ନୋଲଜିର ପ୍ରୟୋଗ ସମ୍ପର୍କରେ ଆଧୁନିକ ପ୍ରଶିକ୍ଷଣ ପ୍ରାପ୍ତ ହୋଇଛନ୍ତି। ଆଧୁନିକ ତଥା ଡିଜିଟାଲ ଟେକ୍ନୋଲଜି ଉପରେ ବିଶେଷ ଭାବେ ବିଶ୍ୱାସ ରଖୁଥିବା ପ୍ରଶାସକ ଭାବେ ଶ୍ରୀ କର ଦୂରଦର୍ଶନର ଦିଲ୍ଲୀ ସମ୍ବାଦ ବିଭାଗକୁ ଏକ ନୂଆ ରୂପ ଦେବାରେ ସମର୍ଥ ହୋଇଥିଲେ। ଏଥିଯୋଗୁଁ ୨୦୦୦ ମସିହାରେ ଦୂରଦର୍ଶନ ସମ୍ବାଦକୁ ଶ୍ରେଷ୍ଠ Television News Organisation of Asia ଭାବେ ସମ୍ମାନିତ କରାଯାଇଥିଲା। ସଙ୍କଟ ସମୟରେ ଗଠନାତ୍ମକ ଓ ସକାରାତ୍ମକ ଯୋଗାଯୋଗ ଲାଗି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହେତୁ ଶ୍ରୀ କରଙ୍କୁ ତିନି ଥର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମର୍ଯ୍ୟାଦାଜନକ Army Chief’s Badge of Honour ମିଳିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରଧାନ ପ୍ରବକ୍ତା ଭାବେ ଶ୍ରୀ ସୀତାଂଶୁ କର ଚାରି ଜଣ ପ୍ରତିରକ୍ଷା ମନ୍ତ୍ରୀ, ଛଅ ଜଣ ପ୍ରତିରକ୍ଷା ସଚିବ ଏବଂ ୧୫ ଜଣ ପ୍ରତିରକ୍ଷା ମୁଖ୍ୟଙ୍କ ଅଧୀନରେ ସଫଳତାର ସହ ଏକ ଦଶନ୍ଧିରୁ ଅଧିକ କାଳ ଧରି କାର୍ଯ୍ୟ କରିଥିଲେ।

ପତ୍ର ସୂଚନା କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ଦାୟୀତ୍ୱ ଗ୍ରହଣ ପୂର୍ବରୁ ଶ୍ରୀ କର ଡିସେମ୍ବର ୧୫ରୁ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଆକାଶବାଣୀର ସମ୍ବାଦ ପ୍ରସାରଣ ସେବାର ମହାନିର୍ଦ୍ଦେଶକ ଭାବେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ଆକାଶବାଣୀର ସୋସିଆଲ ମିଡିଆ ପୋର୍ଟାଲକୁ ନୂଆ ରୂପ ଦେଇଥିଲେ। ତାଙ୍କ ନେତୃତ୍ୱରେ ଆକାଶବାଣୀ ସମ୍ବାଦ ବିଭାଗ ୨୦୧୫ ଓ ୨୦୧୭ରେ ଚେନ୍ନାଇର ବନ୍ୟାବିଭୀଷିକାକୁ ବ୍ୟାପକ ଭାବେ ପଚାର ପ୍ରସାର କରିଥିଲା।

ମହାନିର୍ଦ୍ଦେଶକ ଶ୍ରୀ କର’ଙ୍କର ଫଟୋଗ୍ରାଫି, ଅଧ୍ୟାପନା ଓ ସାହିତ୍ୟ ରଚନା ଉପରେ ମଧ୍ୟ ବିଶେଷ ରୁଚି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button