ମେଡ଼ିକାଲ ଯନ୍ତ୍ରପାତି ହେବ ଅଧିକ ସୁରକ୍ଷିତ , ଜାଣନ୍ତୁ କିପରି
ନୂଆଦିଲ୍ଲୀ : କେନ୍ଦ୍ର ସରକାର ମେଡ଼ିକାଲ ଉପକରଣକୁ ଅଧିକ ନିରାପଦ ଓ କ୍ଷମତା ଦେବା ପାଇଁ ନୂତନ ନିୟମ ପ୍ରସ୍ତୁତ କରିଛନ୍ତି । ପ୍ରଥମତଃ ଏହି ପ୍ରକାର ଉପକରଣ ଗୁଡ଼ିକୁ ପରଖିବା ଲାଗି ଡ଼୍ରଗ କଣ୍ଟୋଲର ଜେନେରାଲ ଅଫ ଇଣ୍ଡିଆ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସଂପ୍ରତି ବଜାରରେ ବହୁ ମେଡ଼ିକାଲ ଯନ୍ତ୍ରପାତି ରହିଛି। ଏହା ଉପରେ ସାଧାରଣ ଲୋକଙ୍କର କିଛି ଧାରଣା ରହି ନାହିଁ । ଏପରିକି ରକ୍ତଚାପ ବା ମଧୁମେହ ମାପିବା ଯନ୍ତ୍ର ମଧ୍ୟ ଠିକ୍ ରହିଛି କି ନାହିଁ ତାହାକୁ ନେଇ ସନ୍ଦେହ ଏବଂ ଆଶଙ୍କାରେ ରହିଥାନ୍ତି ସାଧାରଣ ଜନତା ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଭଳି ଆଶଙ୍କା ଦୂର କରିବା ପାଇଁ ଭରସାଯୋଗ୍ୟ ପଦକ୍ଷେପ ନେଇଛନ୍ତି । ମନ୍ତ୍ରାଳୟ ମେଡ଼ିକାଲ ଯନ୍ତ୍ରପାତିପାଇଁ କଞ୍ଚାମାଲ ଚୟନଠୁ ଆରମ୍ଭ କରି ଗ୍ରାହକ ପାଖକୁ ପହଞ୍ଚାଇବା ପାଇଁ କେତେକ ନିୟମ କରିଛନ୍ତି ,ଯାହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ମେଡ଼ିକାଲ ଉପକରଣକୁ କୀଟାଣୁମୁକ୍ତ କରି ବଜାରକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଡ଼ିକାଲ ଯନ୍ତ୍ରପାତିର ପରିବହନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।