ପ୍ରାଣାନ୍ତକ ଆକ୍ରମଣ ଓ ଲୁଟ୍: ୬ ଡକାୟତ ଗିରଫ – bajravana
[ad_1]
କାର୍କୁ କାର୍ରେ ଧକ୍କାମାରି ଅଟକେଇଥିଲେ, ଆଉ ଏକ ଲୁଟ୍ ଯୋଜନାବେଳେ ଧରା ପଡ଼ିଲେ
ଭୁବନେଶ୍ବର: ତଳଖେତାଛକ ଗଣପତି ଇଟା ଫ୍ୟାକ୍ଟ୍ରି ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ତାଙ୍କ ନିକଟରୁ ଟଙ୍କା ଓ ସୁନା ଲୁଟି ନେବା ମାମଲାରେ ଇନଫୋଭ୍ୟାଲି ଥାନା ପୁଲିସ ଆଜି ୬ ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଯାଁଳା ଉତ୍ତରମୁଣ୍ଡମୁହାଣ ଅଞ୍ଚଳର ଅମ୍ବିକା ପ୍ରସାଦ ଜଗଦେବ ମହାପାତ୍ର (୪୯), ଅଜୟ କୁମାର ଶତପଥୀ (୫୨), ଓଗଲାପଡ଼ା ଅଞ୍ଚଳର ସୁଶାନ୍ତ କୁମାର ସେଠୀ (୪୫), ସନ୍ତୋଷ ପରିଡ଼ା (୪୨), ଅନ୍ଧାରୁଆ ଅଞ୍ଚଳର ନୀଳମଣି ପରିଡ଼ା (୬୦) ଓ ପୂର୍ଣ୍ଣଚନ୍ଦ୍ର ମାଟି (୨୩)। ସୂଚନାନୁସାରେ, ଗତକାଲି ଅପରାହ୍ନରେ ପ୍ରଦୀପ୍ତ କୁମାର ଭୁଜବଳ ନିଜ କାରରେ ଛତାବର ପାର୍ଶ୍ୱରୁ ଏନଏଚ-୧୬ ଆଡକୁ ଇନ୍ଫୋଭ୍ୟାଲି ତଳଖେତା ରାସ୍ତା ଦେଇ ଆସୁଥିବା ସମୟରେ ଇନ୍ଫୋସିସ କୋଠା ନିକଟରେ ଅଭିଯୁକ୍ତମାନେ ତାଙ୍କୁ ଏକ କାର୍ରେ ଅନୁସରଣ କରୁଥିବାର ଦେଖିଥିଲେ। ଦେଖିବା ପରେ ସେ ଆଗକୁ ବଢିଥିଲେ ଏବଂ ତଳଖେତା ରାସ୍ତାରେ ଥିବା ଗଣପତି ଇଟା ଫ୍ଯାକ୍ଟରି ନିକଟରେ ଅଭିଯୁକ୍ତମାନେ ଜାଣି ଶୁଣି ତାଙ୍କର କାର୍ର ପଛ ପାର୍ଶ୍ୱରୁ ନିଜ କାରରେ ଧକ୍କା ମାରିଥିଲେ।
ପ୍ରଦୀପ୍ତ ତାଙ୍କର କାର୍ଟିକୁ ଧୀର କରିବାରୁ ଅଭିଯୁକ୍ତମାନେ ସେମାନଙ୍କ କାର୍ଟିକୁ ଆଣି ତାଙ୍କ କାର୍ ଆଗରେ ରଖି ରାସ୍ତା ବନ୍ଦ କରି ଦେଇଥିଲେ। ଏହାପରେ ଅଭିଯୁକ୍ତମାନେ କାର୍ରୁ ବାହାରି ପ୍ରଦୀପ୍ତଙ୍କ କାର୍ ନିକଟକୁ ଆସିଥିଲେ ଏବଂ ତାଙ୍କୁ କାର୍ ଭିତରୁ ବଳପୂର୍ବକ ଟାଣି ବାହାର କରିବାପରେ ଲୁହା ରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ପ୍ରଦୀପ୍ତ ଗୁରୁତର ଆହତ ହେବା ପରେ ଅଭିଯୁକ୍ତମାନେ ବଳପୂର୍ବକ ତାଙ୍କର ବେକରେ ଭୁଜାଲି ଲଗାଇ ତାଙ୍କର ୨ରି ସୁନା ମୁଦି, ଗୋଟିଏ ସୁନା ବ୍ରେସଲେଟ ଓ ୧୫,୦୦୦ ଟଙ୍କା ଲୁଟ କରି ଘଟଣା ସ୍ଥଳରୁ ଚାଲି ଯାଇଥିଲେ। ପ୍ରଦୀପ୍ତ ଏନେଇ ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନଙ୍କୁ ଗୋହିରିଆ ଛକ ନିକଟରେ ଗୋଟିଏ କାର୍ ଭିତରେ ଅନ୍ୟତ୍ର ଅପରାଧ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲା।
ଅଭିଯୁକ୍ତମାନଙ୍କର ତଲାସି ବେଳେ ସେମାନଙ୍କ ନିକଟରୁ ଗୋଟିଏ ବ୍ରେସଲେଟ, ୨ଟି ସୁନା ମୁଦି, ଗୋଟିଏ ମୋବାଇଲ ଫୋନ ଓ ୧୪,୫୦୦ ଟଙ୍କା ଜବତ କରା ଯାଇଥିଲା। ପୁଲିସ ସେମାନଙ୍କର ହେପାଜତରୁ ଅପରାଧରେ ବ୍ୟବହୃତ ଗୋଟିଏ ଭୁଜାଲି, ୪ଟି ଲୁହ ରଡ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରିଛି। ଅଭିଯୁକ୍ତମାନଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେମାନେ ପେସାଗତ ଅପରାଧୀ ଏବଂ ଅଭିଯୁକ୍ତ ଅମ୍ବିକା, ସନ୍ତୋଷ, ଅଜୟ ଏବଂ ସୁଶାନ୍ତଙ୍କ ନାମରେ କେନ୍ଦ୍ରାପଡ଼ା, ଜଟଣୀ ଓ ଇନ୍ଫୋଭ୍ୟାଲି ଥାନାରେ ୨୦୦୯ ମସିହାରୁ ୨୦୨୩ ମସିହା ମଧ୍ୟରେ ୧୧ଟି ଲୁଟ୍ ଓ ଅନ୍ୟ ଅପରାଧିକ ମାମଲା ରୁଜୁ ହେବା କଥା ଜଣା ପଡ଼ିଛି।
[ad_2]