ତସ୍ମୈ ଶ୍ରୀ ଗୁରବେ ନମଃ – bajravana
[ad_1]
ଅଜ୍ଞାନର ଅନ୍ଧକାର ଭିତରେ ଯିଏ ଆଲୋକବର୍ତ୍ତିକା ଭଳି ଜଳୁଥା’ନ୍ତି, ସେ ଗୁରୁ। ଯିଏ ହାତ ଧରି ଅସଦ୍ମାର୍ଗରୁ ଟାଣି ଆଣି ସଦ୍ମାର୍ଗରେ ଠିଆ କରାନ୍ତି, ସେ ଗୁରୁ। ଯିଏ ଅସାର ଜୀବନକୁ ସାର୍ଥକ କରାଇବା ସହ ଜୀବନରେ ସରସତା ଭରିଦିଅନ୍ତି, ସେ ଗୁରୁ। ସେ ଜ୍ଞାନଦାତା ଓ ମାର୍ଗଦର୍ଶକ। ଗୁରୁ ପ୍ରେରଣାର ଉତ୍ସ। ତେଣୁ ଯୁଗେ ଯୁଗେ ଗୁରୁଙ୍କୁ ଉଚ୍ଚ ଆସନ ମିଳିଛି। ଗୁରୁ ସବୁ ଯୁଗରେ ବନ୍ଦନୀୟ ହୋଇରହିଛନ୍ତି। ଜଣେ ବ୍ୟକ୍ତିର ସଫଳତାରେ ତା’ର ଗୁରୁଙ୍କ ହାତ ନିଶ୍ଚୟ ରହିଥାଏ। ଏମିତି କେହି ନାହିଁ ଯିଏ ଗୁରୁ ବିନା ଜୀବନରେ ସଫଳ ହୋଇଛି। ଯେଉଁ ସମାଜରେ ଗୁରୁଙ୍କୁ ଉଚ୍ଚ ଆସନ ମିଳିଛି, ସେ ସମାଜ ସେତେ ସମୃଦ୍ଧ। କାରଣ ବିକଶିତ ମାନବ ସମ୍ବଳ ତିଆରିରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତେଣୁ ପବିତ୍ର ଗୁରୁ ଦିବସରେ ଗୁରୁଙ୍କୁ ଶତ ପ୍ରଣାମ।
ଛାତ୍ରଛାତ୍ରୀଙ୍କ ସଫଳତା ଶିକ୍ଷକଙ୍କ ଅସଲ ଖୁସି
ଛାତ୍ରଛାତ୍ରୀଙ୍କ ସଫଳତା ଓ ଉନ୍ନତିରେ ହିଁ ଶିକ୍ଷକର ଅସଲ ଖୁସି ଥାଏ। ଜଣେ ଶିକ୍ଷକ ସବୁବେଳେ ତା’ର ଛାତ୍ରଛାତ୍ରୀଙ୍କ ଅଧିକରୁ ଅଧିକ ଉନ୍ନତି କାମନା କରିଥାଏ। କାରଣ ଉତ୍ତମ ଶିଷ୍ୟ ହିଁ ଗୁରୁର ପରିଚୟ। ଆମ ଅନୁଷ୍ଠାନର ପିଲାମାନେ ଯେଉଁଠି ଥିଲେ ବି ଗୁରୁଙ୍କୁ ମନେପକାଉଛନ୍ତି। ତାହା ପିଲାଙ୍କ ମହାନତାକୁ ଦର୍ଶାଉଛି। ଏହି ଦୃଷ୍ଟିରୁ ଶିକ୍ଷକମାନେ ପିଲାଙ୍କୁ ଭଲ ପାଇବା, ସେମାନଙ୍କର ଚରିତ୍ର ନିର୍ମାଣ କରିବା ସହ ବ୍ୟକ୍ତିତ୍ବ ବିକାଶ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଏହାସହ ପିତାମାତା ମଧ୍ୟ ସେମାନଙ୍କ ପିଲାଙ୍କୁ ସେଭଳି ଶିକ୍ଷା ଦେବା ଦରକାର। ସେମାନେ ପିଲାଙ୍କୁ ଅତ୍ୟଧିକ ଚାପଗ୍ରସ୍ତ କରାଇବା ଠିକ ନୁହେଁ। ଶିକ୍ଷକ ଓ ଅଭିଭାବକମାନେ ପିଲାମାନଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିବା ଉଚିତ। ଏଭଳି ହେଲେ ସେମାନେ ଜୀବନର ସର୍ବୋଚ୍ଚ ଶିଖର ଛୁଇଁବାରେ କୌଣସି ବାଧା ଉପୁଜିବ ନାହିଁ।
ସୁସିଜିତ୍ ସାହୁ, ନିର୍ଦ୍ଦେଶକ, ଆପ୍ଟି ପ୍ଲସ୍
ଗୁରୁମାନେ ଛାତ୍ରମାନଙ୍କ ସ୍ବାର୍ଥ ପାଇଁ କାମ କରନ୍ତୁ
ଗୁରୁ ହେଉଛନ୍ତି ମଣିଷ ତିଆରି କାରଖାନାର ବିନ୍ଧାଣି। ଗୁରୁଙ୍କ ନିଷ୍ଠା ବଳରେ ତାଙ୍କ ଶିଷ୍ୟମାନେ ସମାଜରେ ପ୍ରତିଷ୍ଠା ଲାଭ କରନ୍ତି। ଛାତ୍ରଙ୍କୁ ଉଚିତ ମାର୍ଗ ଦେଖାଇବା ଓ ସେମାନଙ୍କ ଚରିତ୍ର ଗଠନ କରିବା ହେଉଛି ଗୁରୁଙ୍କ ମୁଖ୍ୟ କାମ। ଆଜି ପବିତ୍ର ଗୁରୁ ଦିବସରେ ଗୁରୁମାନଙ୍କୁ ଏତିକି ପ୍ରାର୍ଥନା ଯେ ସେମାନେ ନିଜ ସ୍ବାର୍ଥ ପଛରେ ନ ପଡ଼ି ସମାଜ ଓ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ପାଇଁ କାମ କରନ୍ତୁ।
ପ୍ରଦୀପ୍ତ କୁମାର ପଢ଼ିଆରୀ, ପ୍ରତିଷ୍ଠାତା, କନ୍ସେପ୍ଟ ଟ୍ୟୁଟୋରିଆଲ୍
ଶିକ୍ଷାଦାନ କୌତୂହଳପୂର୍ଣ୍ଣ ହେବା ଦରକାର
ଶିକ୍ଷାଦାନ ସମ୍ପୂର୍ଣ୍ଣ ରୂପେ କୌତୂହଳପୂର୍ଣ୍ଣ ବା ମଜାଦାର ହେବା ଦରକାର। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରତି ଉତ୍ସାହ ବଢ଼ିବ। ବିଫଳତାକୁ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଇବା ବି ବଡ଼ ଶିକ୍ଷାଦାନ। କାରଣ ବିଫଳତା ହିଁ ସଫଳତାର ପାଦଚିହ୍ନ। ବିଫଳତାକୁ ସାମ୍ନା କରିପାରିଲେ ସେମାନଙ୍କ ଭବିଷ୍ୟତ ସଶକ୍ତ ହୋଇପାରିବ। ଛାତ୍ରଛାତ୍ରୀମାନେ କିଭଳି ଜୀବନରେ ସମୟର ସଦୁପଯୋଗ ବା ସୁପରିଚାଳନା କରିପାରିବେ, ସେଦିଗରେ ଶିକ୍ଷକମାନେ କାମ କରିବା ଜରୁରୀ।
ନୀଳକଣ୍ଠ ପାଣିଗ୍ରାହୀ, ସିନିୟର ପ୍ରିନ୍ସପାଲ୍, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁରୁମାନଙ୍କ ହାତରେ ଶିଷ୍ୟର ଭବିଷ୍ୟତ ଗଠନର ଗୁରୁ ଦାୟିତ୍ବ
ଗୁରୁମାନଙ୍କ ହାତରେ ଶିଷ୍ୟର ଭବିଷ୍ୟତ ଗଠନର ଗୁରୁ ଦାୟିତ୍ବ ରହିଛି। ଜ୍ଞାନ ଆହରଣ ପାଇଁ ଗୁରୁଙ୍କ ଆବଶ୍ୟକତା ରହିଛି। ଗୁରୁ ହେଉଛନ୍ତି ବଗିଚାର ମାଳି ସଦୃଶ, ଯିଏ ବଗିଚାକୁ ରଙ୍ଗ ବେରଙ୍ଗର ଫୁଲରେ ସୁସଜ୍ଜିତ କରିଥାନ୍ତି। ଅର୍ଥାତ ବିଦ୍ୟାଳୟ ଯଦି ବଗିଚା ହୁଏ, ସେହି ବଗିଚାର ମାଳି ହେଉଛନ୍ତି ଗୁରୁ ଏବଂ ଶିଷ୍ୟ ହେଉଛନ୍ତି ସେହି ବଗିଚାର ଫୁଲ। ଫୁଲ ରଙ୍ଗ ହେଉଛି ଶିଷ୍ୟର ଉଜ୍ଜ୍ବଳ ଭବିଷ୍ୟତ। ଗୁରୁଙ୍କ ପାଇଁ ଭାଗବତରେ ଗୋଟିଏ ପଦ ଅଛି ‘ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର’। ଗୁରୁଙ୍କ ମାର୍ଗ ଦର୍ଶନରେ ହିଁ ଶିଷ୍ୟଟି ପ୍ରତିଷ୍ଠିତ ହୋଇଥାଏ। ସେହି ମଧୁର ସମ୍ପର୍କକୁ ବଜାୟ ରଖିବା ପାଇଁ ମୁଁ ସର୍ବଦା ଚେଷ୍ଟିତ ରହିବି।
ସୟଦ୍ ଇଞ୍ଜାମାମ୍-ଉଲ୍-ହକ୍, ନିର୍ଦ୍ଦେଶକ,
ଗାଇଡାନ୍ସ ଇଣ୍ଟରନ୍ୟାସନାଲ ସ୍କୁଲ
ଶିକ୍ଷକ ହୋଇଥିବାରୁ ମୁଁ ଗର୍ବିତ
ଜଣେ ଶିକ୍ଷକ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସଦାସର୍ବାଦା ଚେଷ୍ଟା କରିଆସିଛି। ମୋର କର୍ମକ୍ଷେତ୍ର ଗଣେଶ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟ ଅବିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଆଶା ପୂରଣ କରିବାକୁ ଚେଷ୍ଟା ଜାରି ରଖିଛି। ପାଠ ପଢ଼ା ସହ ପିଲାଙ୍କୁ ଶୃଙ୍ଖଳିତ ଓ ଭଲ ମଣିଷ କରିବାକୁ ଇନ୍ଷ୍ଟିଚ୍ୟୁଟ୍ର ସମସ୍ତେ ଉଦ୍ୟମ କରୁଛନ୍ତି। ଏଠି ଛାତ୍ରଛାତ୍ରୀମାନେ ଯେମିତି ଶୃଙ୍ଖଳିତ, ଠିକ୍ ସେମିତି ଶିକ୍ଷକ/ଶିକ୍ଷୟିତ୍ରୀମାନେ ଶ୍ରଦ୍ଧାଶୀଳ।
ପ୍ରଭାତ ରଞ୍ଜନ ନାୟକ, ବରିଷ୍ଠ ଅଧ୍ୟାପକ (ଗଣିତ),
ଗଣେଶ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିଂୟରିଂ ଆଣ୍ଡ ଟେକ୍ନୋଲୋଜି
ଶିକ୍ଷକଙ୍କ ହାତରେ ଦେଶର ଭବିଷ୍ୟତ
ଆମ ଦେଶରେ ଯାହା ବି ଆଜି ବଦଳିଛି ଓ ଉନ୍ନତି ହୋଇଛି, ସବୁ ଶିକ୍ଷକମାନଙ୍କ ଦ୍ବାରା ସମ୍ଭବ ହୋଇଛି। ସାମାଜିକସ୍ତରରେ ଯେଉଁସବୁ କାର୍ଯ୍ୟକ୍ରମ ହେଉଛି, ଶିକ୍ଷକମାନେ ସେସବୁକୁ ତୃଣମୂଳସ୍ତରକୁ ନେଇଥା’ନ୍ତି। ଛାତ୍ରମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଅତଏବ ଦେଶର ଭବିଷ୍ୟତ ଶିକ୍ଷକମାନଙ୍କ ହାତରେ ରହିଛି। ତେଣୁ ଛାତ୍ରମାନଙ୍କୁ ସୁନାଗରିକ ଭାବେ ଗଢ଼ିବା ପାଇଁ ଶିକ୍ଷକମାନେ ନିଜ କର୍ତ୍ତବ୍ୟ ଠିକ ଭାବେ କରିବା ଉଚିତ।
ଡ. କେଶବ ଚନ୍ଦ୍ର ଶତପଥୀ, କ୍ଷେତ୍ରୀୟ ନିର୍ଦ୍ଦେଶକ, ଡିଏଭି ଇନ୍ଷ୍ଟିଚ୍ୟୁସନ୍ସ
ଶିକ୍ଷକମାନେ ସର୍ବଦା ସମ୍ମାନସ୍ପଦ
ଶିକ୍ଷକମାନଙ୍କ ହାତରେ ଥାଏ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ। ତେଣୁ ପରୋକ୍ଷ ଭାବରେ ଦେଶର ଭବିଷ୍ୟତ ବି ଶିକ୍ଷକମାନଙ୍କ ହାତରେ। କିନ୍ତୁ ସେମାନଙ୍କୁ ସମାଜରେ ଉଚିତ ସମ୍ମାନ ମିଳୁନାହିଁ। ସେମାନେ ସବୁବେଳେ ସମ୍ମାନସ୍ପଦ। କେବଳ ଗୁରୁ ଦିବସରେ ସେମାନଙ୍କୁ ସମ୍ମାନ ମିଳୁଛି। ଶିକ୍ଷକମାନଙ୍କୁ ସେମାନଙ୍କ ପରିଶ୍ରମ ଅନୁସାରେ ସମ୍ମାନ ମିଳିବା ଉଚିତ। ଶିକ୍ଷକମାନଙ୍କୁ ସମାଜରେ ଉଚିତ ସମ୍ମାନ ଓ ଉପଯୁକ୍ତ ସ୍ଥାନ ଦେବାକୁ ଆଜି ଗୁରୁ ଦିବସରେ ସମସ୍ତଙ୍କୁ ଅନୁରୋଧ କରୁଛି।
ପଲ୍ଲୀ ପଟ୍ଟନାୟକ, ଅଧ୍ୟକ୍ଷା, ମଦର୍ସ ପବ୍ଲିକ୍ ସ୍କୁଲ
‘ସମ୍ବାଦ ଗ୍ରୁପ୍’କୁ କୃତଜ୍ଞତା
ଗୁରୁ ଦିବସରେ ‘ସମ୍ବାଦ’ ପରିବାର ପକ୍ଷରୁ ମୋତେ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିବାରୁ ମୋ ତରଫରୁ ଏବଂ କଲେଜ ପକ୍ଷରୁ ‘ସମ୍ବାଦ ଗ୍ରୁପ୍’କୁ କୃତଜ୍ଞତା ଜଣାଉଛି। ଏହି ସମ୍ମାନ ମୋତେ ଅଧିକ ଦାୟିତ୍ବାବନ ହେବାକୁ ପ୍ରେରଣା ଦେଇଛି। ଆଗାମୀ ଦିନରେ ପିଲାଙ୍କୁ ପାଠ ପଢ଼ାଇବା ସହ କିପରି ପିଲାଙ୍କ ଭବିଷ୍ୟତ ଅଧିକ ଉଜ୍ଜ୍ବଳ ହେବ ସେଥିପାଇଁ ନିଷ୍ଠାପର ଭାବେ କାମ କରିବି।
ଇନ୍ଦ୍ରଜିତ୍ ଦାସ, ବିଭାଗୀୟ ମୁଖ୍ୟ (ବାଣିଜ୍ୟ), ନିସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ
ଗୁରୁ-ଶିଷ୍ୟ ସମ୍ପର୍କ ବନ୍ଧୁ ଭଳି ହେଉ
ଜଣେ ପିଲାର ପ୍ରଥମ ଗୁରୁ ହେଉଛନ୍ତି ପିତାମାତା। ତେଣୁ ପିଜେ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ମୋ ବାପା ସ୍ବର୍ଗତ ପଞ୍ଚାନନ ଜେନାଙ୍କ ସ୍ମୃତିରେ ତିଆରି ହୋଇଛି। ମୋ ବାପା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଝାରପଡ଼ା ଗ୍ରାମରେ ଏକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ତାଙ୍କର ଦେହାନ୍ତ ପରେ ଏକ ଟ୍ରଷ୍ଟ କରାଯାଇ ପିଜେ ଶିକ୍ଷାନୁଷ୍ଠାନ ସମୂହ ସ୍ଥାପନ କରାଯାଇଛି। ଏଠାରେ ଗୁରୁ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଶିକ୍ଷାଦାନ କରାଯାଉଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗୁରୁ ଶିଷ୍ୟ ସମ୍ପର୍କ ବନ୍ଧୁ ଭଳି ହେବା ଆବଶ୍ୟକ।
ପ୍ରମୋଦ କୁମାର ଜେନା, ଉପାଧ୍ୟକ୍ଷ, ପିଜେ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍
ଶିଷ୍ୟମାନେ ଟେକ୍ନୋଲୋଜିକୁ ବ୍ୟବହାର କରନ୍ତୁ
ଜଣେ ଗୁରୁ ଭାବେ ମୁଁ ଛାତ୍ରମାନଙ୍କୁ ଏତିକି ପରାମର୍ଶ ଦେବି ଯେ ଆଜିକାଲି ସମାଜରେ ଯେଉଁସବୁ ଟେକ୍ନୋଲୋଜି ଅଛି, ସେସବୁକୁ ସେମାନେ ଉଚିତ ମାର୍ଗରେ ବ୍ୟବହାର କରନ୍ତୁ। ସମାଜର କଲ୍ୟାଣ ଓ ନିଜ ଭବିଷ୍ୟତକୁ ଗଢ଼ିବାରେ ସେମାନେ ଟେକ୍ନୋଲୋଜିକୁ ବ୍ୟବହାର କରନ୍ତୁ। ଆଜିକାଲି ପିଲାମାନଙ୍କ ପାଇଁ ଟେକ୍ନୋଲୋଜି ମଧ୍ୟ ଏକ ଗୁରୁ। ଇଣ୍ଟରନେଟ୍ରୁ ହିଁ ପିଲାମାନେ ଅଧିକ ଶିକ୍ଷା ପାଉଛନ୍ତି। ଶିକ୍ଷକମାନେ ସେମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି।
ଅପରାଜେୟ ପଣ୍ଡା, ଜୀବବିଜ୍ଞାନ ଅଧ୍ୟାପକ
ଗୁରୁଙ୍କ ଦ୍ବାରା ହିଁ ଦେଶର ଉନ୍ନତି ସମ୍ଭବ
ଗୁରୁଙ୍କ ଶିକ୍ଷା ଓ ମାର୍ଗଦର୍ଶନ ଶିଷ୍ୟର ଜୀବନକୁ ପ୍ରଭାବିତ କରିଥାଏ। ଗୁରୁଙ୍କ ଦ୍ବାରା ହିଁ ସମାଜ ତଥା ଦେଶର ଉନ୍ନତି ସମ୍ଭବ। ଶିଷ୍ୟମାନେ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ସହ ଗୁରୁମାନେ ମଧ୍ୟ ଶିଷ୍ୟଙ୍କୁ ଭଲ ବାଟରେ ଆଗେଇ ନେବା ଉଚିତ୍। ଗୁରୁ ଓ ଶିଷ୍ୟ ମଧ୍ୟରେ ସୁସମ୍ପର୍କ ହିଁ ଆଦର୍ଶ ଗୁରୁ ଏବଂ ଆଦର୍ଶ ଶିଷ୍ୟର ଲକ୍ଷଣ। ଶିଷ୍ୟମାନେ ଜୀବନରେ ଯେତେ ଉନ୍ନତି କଲେ ମଧ୍ୟ ନମ୍ର ଓ ଶୃଙ୍ଖଳିତ ହେବା ଉଚିତ୍।
ସୟଦ୍ ସର୍ଫରାଜ ଅଲ୍ଲୀ, ପ୍ରତିଷ୍ଠାତା ସମ୍ପାଦକ, ଗାଇଡାନ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଡୁମୁଡୁମା
ଗୁରୁଙ୍କ ବିକଳ୍ପ ନାହିଁ
ପ୍ରଥମେ ସମସ୍ତ ଶିକ୍ଷକ ସମାଜକୁ ଅଭିନନ୍ଦନ ଜଣାଉଛି। ଯେ କୌଣସି ନୂତନ ଜ୍ଞାନକୌଶଳ ଆସିଲେ ମଧ୍ୟ ଗୁରୁଙ୍କର କୌଣସି ବିକଳ୍ପ ନାହିଁ। ଗୁରୁ ପିଲାମାନଙ୍କୁ ଶିକ୍ଷାଦାନ କରିବା ସହ ଅନ୍ୟର ପିଲାମାନଙ୍କୁ ନିଜ ପିଲା ଭାବି ସ୍ନେହ ଆଦର କରିଥାନ୍ତି। ବାପା-ମା’ଙ୍କ ପରି ରାତି ଅନିଦ୍ରା ହୋଇ ପିଲାଙ୍କୁ ଭଲ ବାଟ ଦେଖାନ୍ତି। ଏଭଳି ଏକ ମହତ୍ ବୃତ୍ତି ଆଉ କେଉଁଠି ନାହିଁ।
ରଞ୍ଜିତା ମଲ୍ଲ, ଅଧ୍ୟକ୍ଷା, ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍, ଖଣ୍ଡଗିରି
ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ସବୁବେଳେ ପବିତ୍ର
ଗୁରୁ ଦିବସ ଏକ ପବିତ୍ର ଅବସର। ଆଜିକାଲି ଛାତ୍ରଛାତ୍ରୀମାନଙ୍କ ନିକଟରେ ଗୁରୁମାନଙ୍କ ପ୍ରତି ପୂର୍ବ ଭଳି ସମ୍ମାନ ନଥିବା ପରିଲକ୍ଷିତ ହେଉଛି। ଅବଶ୍ୟ ଏଥିପାଇଁ ବିଭିନ୍ନ କାରଣ ରହିଛି। ବର୍ତ୍ତମାନ ସମୟରେ ‘ଗୁରୁ’ ଶବ୍ଦର ଅର୍ଥ ଛାତ୍ରଛାତ୍ରୀମାନେ ବୁଝିବାରେ ଡେରି କରିଦେଉଛନ୍ତି। ଫଳରେ ସେମାନେ ନିଜ ଭବିଷ୍ୟତ ଜୀବନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ ପୂର୍ବ ଭଳି ପବିତ୍ର ରହିବା ଉଚିତ୍।
ଚନ୍ଦ୍ରଭାନୁ ଭୂୟାଁ, ପରିଚାଳନା ନିର୍ଦ୍ଦେଶକ, କ୍ବେଷ୍ଟ୍
ଶିକ୍ଷକମାନେ ଦେଶର ମେରୁଦଣ୍ଡ
ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି। ଶିକ୍ଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ଦେଣୁ ସମାଜ ଗୁରୁଙ୍କୁ ସମ୍ମାନ ଦେବାକୁ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ।
ପ୍ରସନ୍ନ କିଶୋର ପୃଷ୍ଟି, ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା
ଗୁରୁ- ଶିଷ୍ୟ ସମ୍ପର୍କ ସବୁବେଳେ ଅତୁଟ
ଗୁରୁ ଶିଷ୍ୟ ପରମ୍ପରାରେ ଉଭୟଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୁରୁ ଶିଷ୍ୟ ସମ୍ପର୍କ ସବୁବେଳେ ଅତୁଟ। ଛାତ୍ରଛାତ୍ରୀମାନଙ୍କୁ ଏତିକି କହିବି ଯେ ସେମାନେ ପିତାମାତାଙ୍କ ସ୍ବପ୍ନ ଏବଂ ପରିଶ୍ରମକୁ ସାର୍ଥକ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ। ପାଠ ପଢ଼ାରେ ନିୟମିତତା, ଏକାଗ୍ରତା ରଖିବା ସହ କଠିନ ପରିଶ୍ରମ କରନ୍ତୁ। ତେବେ ଯାଇ ପିତା, ମାତା ଓ ଗୁରୁଜନ ସମସ୍ତଙ୍କ ଶ୍ରମ ସାର୍ଥକ ହେବ।
ସୁସ୍ମିତା ସ୍ବାଇଁ, ଶିକ୍ଷୟିତ୍ରୀ, ଆଲୋକ ଇଂରାଜୀ ମିଡିୟମ୍ ସ୍କୁଲ୍
ସରଳ ଉପାୟରେ ପାଠ ପଢ଼ାଇବା ଆବଶ୍ୟକ
ମୁଁ ଦୀର୍ଘ ୭ ବର୍ଷ ହେବ ଶିକ୍ଷାଦାନ କରୁଛି। ମୁଁ ବହୁତ ଖୁସି ଯେ ‘ସମ୍ବାଦ’ ପକ୍ଷରୁ ମୋତେ ସମ୍ବର୍ଦ୍ଧିତ କରାଗଲା। ଗଣମାଧ୍ୟମ ସଂସ୍ଥାରୁ ସମ୍ମାନ ପାଇବା ମୋ ପାଇଁ ପ୍ରଥମ। ପରବର୍ତ୍ତୀ ପିଢ଼ିର ବିକାଶ ପାଇଁ ଶିକ୍ଷକମାନେ ଗୁରୁତ୍ବପୂର୍ଣ୍ଣ ଭାର ବହନ କରୁଛନ୍ତି। ଶିକ୍ଷକଙ୍କ ହାତରେ ପରବର୍ତ୍ତୀ ପିଢ଼ି ଭବିଷ୍ୟତ ନିର୍ଭର କରୁଛି। ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ମୁଁ ମୋର ଶତ ପ୍ରତିଶତ ଦେଇ କାମ କରୁଛି। ପୂର୍ବ ଅପେକ୍ଷା ଏବେର ପାଠ ପଢ଼ାଇବା ଶୈଳୀ ସମ୍ପୂର୍ଣ୍ଣ ଅଲଗା। କ୍ୟାମ୍ପସରେ ପିଲାମାନେ କିଭଳି ସରଳ ଉପାୟରେ ଏବଂ ସୁସ୍ଥ ମାନସିକତାରେ ପାଠ ପଢ଼ିବେ ସେଥିପ୍ରତି ସଚେତନ ହେବା ଆବଶ୍ୟକ।
ଆର୍ ଅରବିନ୍ ରାଜା ସିବିନ୍, ଶିକ୍ଷକ (ଇଂରାଜୀ), ଟିଏସ୍ଜି ଗୁରୁକୁଳ
[ad_2]