ଓଡିଶା

ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁର୍ଦଶାର ଚିତ୍ର: ଜୀବନ ରହିଲା, ଜୀବିକା ଗଲା – bajravana

[ad_1]

ପେଟ ପୂରାଇବା ବେଳକୁ ସରିଯିବନି ତ ଟଙ୍କା, ୨୫୫ ଭୂମିହୀନ ବିସ୍ଥାପିତ ପରିବାରଙ୍କ ବେଦନା ଶୁଣିବ କିଏ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ବନଛୋରପାଲିରେ ଆମର ଗାଁ। ସେଇ ପାଖରେ ଅଛି ବୁଢା ଡଙ୍ଗର। ସେଠୁ ବାଉଁଶ ଆଣୁଥିଲୁଁ ବୋଲି ଡାଲା, ପାଚିଆ, ଝୁଡ଼ି, ବିଞ୍ଚଣା ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଚୁଡ଼ାପାଲି, ଡୁଙ୍ଗୁରିପାଲି ବଜାରରେ ବିକୁଥିଲୁଁ। ସପ୍ତାହରେ ୧୦୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଆୟ ହେଉଥିଲା। ଭୂମିହୀନ ହୋଇ ମଧ୍ୟ କାହିଁ କେତେ ପିଢି ହେଲା ଏହି ଜୀବିକା ଆମକୁ ଜୀବନ ଦେଉଥିଲା। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଳରେ ପ୍ରଶାସନ ଆମ ଠାରୁ ଆମ ଜୀବିକା ଛଡ଼ାଇ ନେଲା। ବର୍ତ୍ତମାନ ଯେଉଁ କୁସମେଲ ଅସ୍ଥାୟୀ ଶିବିରରେ ପୁନର୍ବାସର ବ୍ୟବସ୍ଥା କରାଯାଇଛି ସେଠି ନିକଟରେ ଜଙ୍ଗଲକି ପାଖରେ ବଜାର ନାହିଁ। ସରକାର ସିନା ଘର ଏବଂ ଡିହ ପାଇଁ କ୍ଷତିପୂରଣ ଦେଲେ ରୋଜଗାର କଣ କରିବୁଁ , ପରିବାର ପୋଷଣ କେମିତି ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଭୂମିହୀନ ବିସ୍ଥାପିତ ସାଏବାନି ଜିନ୍ଦା (୪୫)।

ବଲାଙ୍ଗୀର ଜିଲ୍ଲା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ୨୫୫ ଭୂମିହୀନ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଅଧିକାଂଶଙ୍କ ଏବେ ଜୀବନ ଜୀବିକାକୁ ନେଇ ଏମିତି ସମାନ ସମସ୍ୟା ସାମ୍ନା କରୁଛନ୍ତି। ଏହି ପ୍ରକଳ୍ପର ସମ୍ପୂର୍ଣ୍ଣ ଭୂମିହୀନ ପରିବାରଙ୍କୁ ୩ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ମିଳୁଛି। କିନ୍ତୁ ରୋଜଗାର ହରାଉଥିବା କୌଳିକ ବୃତ୍ତିଧାରୀ ବେତ୍ରା, କମାର, କୁମ୍ଭାର, କେନ୍ଦୁପତ୍ର ତୋଳାଳି, ଭାଗଚାଷୀ, ଶ୍ରମିକମାନଙ୍କ ପାଇଁ ବିକଳ୍ପ ରୋଜଗାର ବ୍ୟବସ୍ଥା କରାଯାଉନଥିବାରୁ ମିଳିଥିବା କ୍ଷତିପୂରଣ ଟଙ୍କା ଘର ଚଳାଇବାରେ ସରିଯାଉଥିବା ଏମାନେ କହିଛନ୍ତି। ସାଏବାନି କହନ୍ତି, ୭ ଜଣ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାର। ବର୍ତ୍ତମାନ ପର୍ଯ୍ୟନ୍ତ ପରିବାରକୁ ମୁଣ୍ଡପିଛା ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିନଥିବାରୁ ସେ ଗାଁ ଛାଡ଼ୁନଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ଜବରଦସ୍ତ କୁସମେଲ ଅସ୍ଥାୟୀ ଶିବିରକୁ ଆଣିଲା। ସେଥିରେକୁ ୧୦୦ଟି କୁଲା, ୫୦ଟି ପାଚିଆ ସହିତ ଟାଙ୍ଗିଆ ଭାସିଗଲା। ସେ କ୍ଷତି ପାଇଁ ଭରଣା ହେବାର ନାହିଁ। ଏଣେ କୁସମେଲ ଅସ୍ଥାୟୀ କଲୋନିର ପୁନର୍ବାସ ବ୍ୟବସ୍ଥା ତାଙ୍କର ଧୈର୍ଯ୍ୟ ଭାଙ୍ଗି ଦେଲାଣି। ଏଠାରେ ଜଙ୍ଗଲ କି ବଜାର ନାହିଁ ଯେ ବାଉଁଶ ଆଣି ଭୁଗା ତିଆରି କରି ବିକ୍ରି କରିବେ। ସେଥିରେ ପୁଣି ୩ ମାସ ମଧ୍ୟରେ ଜମି କିଣି ଘର କରିନପାରିଲେ ଏଠୁ ମଧ୍ୟ ତଡ଼ା ଖାଇବେ। ସେତେବେଳକୁ ଖୋଲା ଆକାଶ ତଳକୁ ଆସି ଯାଇଥିବେ।

ଏମାନଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହେଲା, ବଂଶାନୁକ୍ରମରେ ସେମାନେ ଜାଣିଥିବା ଏକମାତ୍ର ଜୀବିକା ଆପଣାଇବେ ନା ବିକଳ୍ପ ରୋଜଗାର କରିବେ? ବିସ୍ଥାପନ ଯୋଗୁଁ ଭୂମିହୀନ ଶ୍ରମିକ ବିଧବା ହୀରା ପୁଟାଙ୍କ ସମସ୍ୟା ମଧ୍ୟ ବଢିଯାଇଛି। ଭୂମିହୀନ ଭାବରେ କ୍ଷତିପୂରଣ ଆକାରରେ ସେ ୫ ଲକ୍ଷ ଟଙ୍କା ପାଇଛନ୍ତି ସତ କିନ୍ତୁ ବର୍ତ୍ତମାନ ବଲାଙ୍ଗୀର ଏବଂ ପାରିପାର୍ଶ୍ବିକ ଗାଁରେ ଜମି ଏବଂ ଘରର ଦର ଯେଉଁଭଳି ଆକାଶ ଛୁଆଁ ହୋଇଛି କେଉଁଠି ରହି ରୋଜଗାର କରିବା ସହିତ ନିଜ ସନ୍ତାନଙ୍କ ପୋଷଣ କରିବେ ସେ ରାସ୍ତା ପାଉନାହାନ୍ତି। ଶ୍ରମିକ କାର୍ଯ୍ୟ କରୁଥିବା ପିଙ୍କି ପୋଢ(୩୫) ଏବଂ ଚୈତନ୍ୟ ପୋଢ(୪୨) ମଜୁରି କରି ଚଳନ୍ତି। ସେମାନଙ୍କୁ ଘର କ୍ଷତିପୂରଣ ମିଳିଛି କିନ୍ତୁ ମୁଣ୍ଡ ପିଛା କ୍ଷତିପୂରଣ ମିଳି ନାହିଁ। କୁସମେଲରେ ସେମାନଙ୍କୁ ରୋଜଗାର ମିଳୁ ନାହିଁ। ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି ଯଥାଶୀଘ୍ର ରୋଜଗାର ନମିଳିଲେ କେବଳ ଘର ଚଳାଇବା ବେଳକୁ ମିଳିଥିବା ୫ ଲକ୍ଷ ଟଙ୍କାର କ୍ଷତିପୂରଣ କେତେବେଳେ ସରିଯାଇଥିବ ଜଣାପଡ଼ିବ ନାହିଁ ବୋଲି କହନ୍ତି ପିଙ୍କି।

ଭାଗ ଚାଷ କରୁଥିବା ଶ୍ରୀଧର ବଗର୍ତ୍ତି ଘର ଏବଂ ମୁଣ୍ଡ ପିଛା ବାବଦରେ ଟଙ୍କା ପାଇଛନ୍ତି ସତ କିନ୍ତୁ ଯେଉଁ ଜମିରେ ଏତେ ବର୍ଷ ଖଟିଥିଲେ ସେ କ୍ଷତିପୂରଣରୁ ବଞ୍ଚିତ ହୋଇଛନ୍ତି। ଚାଷ ଛଡ଼ା ଅନ୍ୟ କୌଣସି କାର୍ଯ୍ୟ ଜଣାନଥିବାରୁ କଣ କରିବେ ଭାବି ପାରୁନଥିବା ଜଣାଇଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି, ପ୍ରତ୍ୟେକ ଭୂମିହୀନଙ୍କୁ ଯଥେଷ୍ଟ କ୍ଷତିପୂରଣ ଦିଆଯାଇଛି। ସେମାନେ ଏଥିରେ ନିଜସ୍ବ ସ୍ବତନ୍ତ୍ର ବ୍ୟବସାୟ କିମ୍ବା ରୋଜଗାର କରିପାରିବେ। ଓଏଲଏମ ପକ୍ଷରୁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି। ସୂଚନା ଅନୁଯାୟୀ, ବଲାଙ୍ଗୀର କୁସମେଲ ଅସ୍ଥାୟୀ କଲୋନି ଏବଂ ଚୁଡ଼ାପାଲି ଆଶ୍ରମ ସ୍କୁଲରେ ଭୂମିହୀନ ପରିବାରଙ୍କ ରହିବା ପାଇଁ ଅସ୍ଥାୟୀ ବ୍ୟବସ୍ଥା ହୋଇଛି। ସ୍ଥାନୀୟ ବରିଷ୍ଠ ଅଧିବାସୀଙ୍କ କହିବା ଅନୁସାରେ, ସରକାରଙ୍କ ପୁନର୍ବାସ ଥଇଥାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଘର, ଜମି ପ୍ରତ୍ୟେକ ବାବଦରେ ନିର୍ଦିଷ୍ଟ ଭାବରେ ଯୋଜନା ପ୍ରସ୍ତୁତ ନକରି କ୍ଷତିପୂରଣ ବାବଦରେ ଟଙ୍କା ଦିଆଯାଉଛି। ଫଳରେ ଅନେକ ସ୍ଥାନରେ ମୋବାଇଲ, ଗହଣା ଏବଂ ନିଶାରେ ଖର୍ଚ ବଢିଛି। ଯାହା ବଡ଼ ବିପର୍ଯ୍ୟୟ ସୃଷ୍ଟିର ଆଶଙ୍କା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button