ଓଡିଶା

ଚାଉଳିଆଗଞ୍ଜ ବାପି ହତ୍ୟାକାଣ୍ଡ: ୫ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ – bajravana

[ad_1]

କଟକ: ୨୦୧୬ରେ ଚାଉଳିଆଗଞ୍ଜଠାରେ ଘଟିଥିବା ବାପି ଓରଫ ହିରାମଣି ପାତ୍ର ହତ୍ୟା ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି। କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଭିଜିତ ପଲେଇ ମାମଲାର ଶୁଣାଣି କରି ‌ଚାଉଳିଆଗଞ୍ଜ ମେନ୍‌ ରୋଡ୍‌ର ବୁନୁ ଓରଫ ମଙ୍ଗଳ ଜ୍ୟୋତି ସାହୁ (୩୭), ମଠସାହିର ପପୁନା ଓରଫ ନିଶାକାର ବେହେରା (୩୨), ଅପର୍ଣ୍ଣାନଗରର ବାପୁନା ଓରଫ ସଂଜୁଆ ଦଳାଇ (୩୭), ମଠସାହିର କାହ୍ନୁ ଓରଫ କାହ୍ନା ନାୟକ(୩୨), ଚୌଦ୍ବାର ଲେବର କଲୋନି(ଓଟିଏମ)ର ଧନୁ ଓରଫ ଧନଞ୍ଜୟ ରାଉଳ(୩୧)ଙ୍କୁ ଆଇପିସିର ଦଫା ୩୦୨/୧୨୦-ଖ/୩୪ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ୫ ଜଣ ଆସାମୀଙ୍କୁ ଦଫା ୩୬୪/୩୪ରେ ୧୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଲେଖାଏ ଜରିମାନା, ଦଫା ୨୦୧/୩୪ରେ ୫ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ସମସ୍ତ ଦଣ୍ଡ ଆସାମୀମାନେ ଏକ ସଙ୍ଗେ ଭୋଗ କରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବାପିକୁ ୨୦୧୬ ମାର୍ଚ୍ଚ ୧୭ରେ ଦୁର୍ବୃତ୍ତମାନେ ଅପହରଣ ପରେ ହତ୍ୟା କରିଥିଲେ। ଘଟଣାଦିନ ରାତି ପ୍ରାୟ ୮ଟା ସମୟରେ ଚାଉଳିଆଗଞ୍ଜ ଶ୍ରୀକ୍ଷେତ୍ର ମଣ୍ଡପ ନିକଟକୁ ଚା ପିଇବାକୁ ବାପି ଯାଇଥିବା ବେଳେ ଅସାମୀମାନେ ଦୁଇଟି ବାଇକରେ ଆସି ତାଙ୍କୁ ସାଙ୍ଗରେ କୁଞ୍ଜବିହାରୀ ସ୍କୁଲ ପାଖ ଲାଞ୍ଜିକୁଳଘାଟକୁ ନେଇଥିଲେ। ସେଠାରେ ବାପିଙ୍କୁ ମାଡ଼ ମରାଯାଇଥିଲା। ଏଥି ସହିତ ଆସାମୀମାନେ ବାପିଙ୍କ ମୁଣ୍ଡକୁ ପଥରେ ଛେଚି ହତ୍ୟା କରିଥିଲେ। ତାଳଦଣ୍ଡକେନାଲ ଭିତର ଦେଇ ବାପିର ଶବକୁ ଆସାମୀମାନେ ଆରପଟ କୂଳକୁ ନେଇଥିଲେ। ସେଠାରୁ ଏକ ଫୋର୍ଡ ଆଇକନ କାର ଡିକିରେ ବାପିର ଶବକୁ ଚୌଦ୍ବାର ନେଇଥିଲେ। ଓଟିଏମ କଲୋନି ପାଖ ବୋଧି ପଡ଼ିଆରେ କୋଇଲା ଛାଇ ଓ କ୍ରୋମଗୁଣ୍ଡରେ ବାପିର ଶବ ପୋତି ଦେଇ ଆସାମୀମାନେ ଫେରାର ହୋଇ ଯାଇଥିଲେ। ବାପିଙ୍କ ପରିବାର ସଦସ୍ୟ ବହୁତ ଖୋଜିବା ପରେ ମଧ୍ୟ ତାଙ୍କୁ ନ ପାଇ ପରଦିନ ମାର୍ଚ୍ଚ ୧୮ରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଲାଞ୍ଜିକୂଳଘାଟରେ ମୃତକଙ୍କ ରକ୍ତ ଲାଗିଥିବା ଘଣ୍ଟା, ଚପଲ ମିଳିଥିଲା। ସେଠାରେ ରକ୍ତର ଛିଟା ସହିତ ଘୋସରା ଦାଗ ରହିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅପରାଧରେ ବ୍ୟବହୃତ ଗାଡି ଜବତ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ତରଫରୁ ୨୧ ଜଣ ଓ ଡିଫେନ୍ସ ପକ୍ଷରୁ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଦାଲତ ସମସ୍ତ ୫ ଅଭିଯୁକ୍ତଙ୍କୁ ଦୋ‌ଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଦାଲତରେ ମାମଲାର ବିଚାର ଚାଲିଥିବା ବେଳେ ସମସ୍ତ ଅଭିଯୁକ୍ତ ଜେଲ ହାଜତରେ ରହିଥିଲେ। ଅନ୍ୟପକ୍ଷରେ ନାବାଳକ ଅଭିଯୁକ୍ତଙ୍କ ମାମଲା ଅଦାଲତରେ ବିଚାରାଧୀନ ରହିଛି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଜୟ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button