ସିଲି ପଏଣ୍ଟ୍: ସାନିଆଙ୍କ ‘କିଟି ଡଲ୍’, ଅଷ୍ଟ୍ରେଲିଆ ଅଧିନାୟିକାଙ୍କ ଭାରତୀୟ ସଂଯୋଗ – bajravana
[ad_1]
ସାନିଆଙ୍କ ‘କିଟି ଡଲ୍’
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଝିଆରି ଦୁଆଙ୍କୁ ଅଗଷ୍ଟ ୧୫ ତାରିଖରେ ବର୍ଷେ ପୁରିଲା। ଦୁଆ ହେଉଛି ସାନିଆଙ୍କ ସାନ ଭଉଣୀ ଆନମ୍ ଓ ତାଙ୍କ ସ୍ବାମୀ ମହମ୍ମଦ ଅସାଦୁଦ୍ଦିନ୍ଙ୍କ ଝିଅ। ଅସାଦୁଦ୍ଦିନ୍ ହେଉଛନ୍ତି ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ୍ଙ୍କ ପୁଅ। ଦୁଆର ପ୍ରଥମ ଜନ୍ମଦିନ ପାଳନ ଅବସରରେ ସାନିଆ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ସେୟାର କରିବା ସହ ତାଙ୍କ ପୋଷ୍ଟରେ ଦୁଆ ଆସିବା ଦ୍ବାରା ସେମାନଙ୍କ ଘରେ ହସ ଖୁସିର ଆଲୋକ ଭରିଯାଇଥିବା ଉଲ୍ଲେଖ କରିଛନ୍ତି। ଦୁଆର ମଙ୍ଗଳ କାମନା ପାଇଁ ସାନିଆ ପ୍ରାର୍ଥନା କରିବା ସହ ଅପି ମାମାଙ୍କ ‘କିଟି ଡଲ୍’ ବୋଲି ସେଥିରେ ଦର୍ଶାଇଥିଲେ। ସେହିପରି ଦୁଆର ଜେଜେ ମହମ୍ମଦ ଆଝାରୁଦ୍ଦିନ୍ ମଧ୍ୟ ଫେସ୍ବୁକ୍ ପେଜ୍ରେ ନାତୁଣୀକୁ ଶୁଭେଚ୍ଛା ଜଣାଇଛନ୍ତି।
ଅଷ୍ଟ୍ରେଲିଆ ଅଧିନାୟିକାଙ୍କ ଭାରତୀୟ ସଂଯୋଗ
ଅଷ୍ଟ୍ରେଲିଆ ମହିଳା ଫୁଟବଲ୍ ଦଳର ଅଧିନାୟିକା ସାମ୍ କେର୍ ୪ଟି ବିଶ୍ବକପ୍ରେ ଖେଳିସାରିଲେଣି। ୨୦୧୧, ୨୦୧୫, ୨୦୧୯ ପରେ ଚଳିତ ସଂସ୍କରଣରେ ସେ ଅଷ୍ଟ୍ରେଲିଆର ନେତୃତ୍ବ ନେଉଛନ୍ତି। ତେବେ ଚଳିତ ବିଶ୍ବକପ୍ କେର୍ଙ୍କ ପାଇଁ ସେତେଟା ଭଲ ହୋଇନାହିଁ। ବାରମ୍ବାର ଆହତ ସମସ୍ୟା ଭିତରେ ସେ ଗତି କରୁଛନ୍ତି। ହେଲେ ଫୁଟବଲ୍ ଖେଳିବା ତାଙ୍କର ପ୍ରଥମ ପସନ୍ଦ ନଥିଲା। ସେ ଅଷ୍ଟ୍ରେଲିଆର ରୁଲ୍ସ ଫୁଟବଲ୍ (ଏଏଫ୍ଏଲ୍) ଖେଳିବାରେ ରୁଚି ରଖୁଥିଲେ। ତାଙ୍କ ଭାଇ ଡାନିଏଲ୍ କେର୍ ଜଣେ ଏଏଫ୍ଏଲ୍ ତାରକା ଖେଳାଳି ହୋଇଥିଲା ବେଳେ ବାପା ରୋଜର ଏଏଫ୍ଏଲ୍ର ଜଣେ ଖେଳାଳି ଓ ପ୍ରଶିକ୍ଷକ ରହିଆସିଛନ୍ତି। ତଥାପି କେର୍ଙ୍କ ଏକ ଭାରତୀୟ ସଂଯୋଗ ବିଷୟରେ ଜଣାପଡ଼ିଛି। ସାମ୍ କେର୍ଙ୍କ ବାପା ରୋଜରଙ୍କ ଜନ୍ମ କଲିକତାରେ ୧୯୬୦ ମସିହାରେ ହୋଇଥିଲା। ରୋଜରଙ୍କ ବାପା ଓ ମା’ ଡେନ୍ଜିଲ୍ ଓ କୋରାଲ୍ ମଧ୍ୟ କଲିକତାରେ ଜନ୍ମ ହୋଇଥିଲେ। ତେବେ ରୋଜର ତାଙ୍କ ପରିବାରକୁ ନେଇ ୧୯୬୯ରେ ଅଷ୍ଟ୍ରେଲିଆ ଚାଲିଆସିଥିଲେ।
ଦର୍ଶକଙ୍କୁ ଇଟା ଫିଙ୍ଗିଥିଲେ କ୍ଲାର୍କ
ୱେଷ୍ଟଇଣ୍ଡିଜ୍ର ପୂର୍ବତନ କ୍ରିକେଟର ଦ୍ରୁତ ବୋଲର ସିଲ୍ଭେଷ୍ଟର କ୍ଲାର୍କଙ୍କୁ ପ୍ରାୟ କେହି ଜାଣିନାହାନ୍ତି। କାରଣ ତାଙ୍କ ସମୟର ଦ୍ରୁତ ବୋଲର ସାର୍ ଆଣ୍ଡି ରବର୍ଟ୍ସ, ମାଇକେଲ୍ ହୋଲ୍ଡିଂ, ଜୋଏଲ୍ ଗାର୍ଣ୍ଣରଙ୍କ ଅପେକ୍ଷା ସେ ଖୁବ୍ କମ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ତାଙ୍କ ବୋଲିଂର ଗତି ପ୍ରଖର ଥିଲା ବେଳେ ଭୟଭୀତ କଲାଭଳି ଘାତକ ବଲ୍ ପକାଉଥିଲେ। ଯେଉଁମାନେ ଇଂଲିସ କାଉଣ୍ଟି କ୍ରିକେଟ୍ରେ ତାଙ୍କ ସହିତ ଖେଳିଛନ୍ତି, ସେମାନେ କ୍ଲାର୍କଙ୍କ ଗୁଣଗାନ କରିପାରିବେ। କାରଣ କାଉଣ୍ଟି କ୍ରିକେଟ୍ରେ କ୍ଲାର୍କ ସରେ ପାଇଁ ଖେଳୁଥିଲା ବେଳେ ତାଙ୍କୁ ସାମ୍ନା କରୁଥିବା ବ୍ୟାଟରଙ୍କ ମନରୁ କେବେ ବି ଭୟ ଦୂର ହେଉନଥିଲା। ତଥାପି ତାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରେ ଏକ କଳାଦାଗ ଲାଗିବାରୁ ସେ କ୍ରମଶଃ କ୍ରିକେଟ୍ଠୁ ଦୂରେଇ ଯାଇଥିଲେ। ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍ର ନିର୍ଣ୍ଣାୟକ ଟେଷ୍ଟରେ ଏଭଳି କିଛି ଘଟଣା ଘଟିଥିଲା। ମୁଲତାନରେ ଏହି ମ୍ୟାଚ୍ ହେଉଥିଲା ବେଳେ ଦର୍ଶକମାନଙ୍କ ଆଚରଣ ଅସହ୍ୟ ହୋଇଯାଇଥିଲା। ଏଥିପୂର୍ବରୁ କରାଚି ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ଉପରକୁ ଦର୍ଶକମାନେ ଫଳ ଫିଙ୍ଗିଥିଲେ। ମୁଲତାନ ଟେଷ୍ଟର ଦ୍ବିତୀୟ ଦିନରେ କ୍ଲାର୍କ ଫାଇନ୍ ଲେଗ୍ରେ କ୍ଷେତ୍ରରକ୍ଷଣ କରୁଥିବା ସମୟରେ ଦର୍ଶକଙ୍କ ଗ୍ୟାଲେରିରୁ ତାଙ୍କ ଉପରକୁ କିଛି ଛୋଟଛୋଟ ଜିନିଷ ଫିଙ୍ଗୁଥିଲେ। ଗୋଟିଏ କମଳା ତାଙ୍କ ମୁଣ୍ଡରେ ବାଜିବା ପରେ ସେ ରାଗିଯାଇ ବାଉଣ୍ଡରି ଦାଗ ଦେବା ପାଇଁ ରଖାଯାଇଥିବା ଇଟାକୁ ଦର୍ଶକଙ୍କ ଉପରକୁ ଫୋପାଡିଥିଲେ। ଏହି ଇଟା ଜଣେ ୨୨ ବର୍ଷିୟ ଛାତ୍ରଙ୍କ ମୁଣ୍ଡରେ ବାଜିଥିଲା ଓ ରକ୍ତସ୍ରାବ ହୋଇଥିଲା। ଏହାକୁ ଦେଖି ଦର୍ଶକମାନେ ଅନେକ ସାମଗ୍ରୀ ପଡ଼ିଆ ଭିତରକୁ ଫିଙ୍ଗିଥିଲେ। ଯେଉଁଥିପାଇଁ ଖେଳ ୨୦ ମିନିଟ୍ ବନ୍ଦ ରହିଥିଲା। ୱେଷ୍ଟଇଣ୍ଡିଜ୍ ବ୍ୟାଟର ଆଲଭିନ୍ କାଳିଚରଣ ଆଣ୍ଠେଇବା ସହ ଦୁଇ ହାତ ଯୋଡ଼ି ଦର୍ଶକଙ୍କୁ ଶାନ୍ତ ରହିବାକୁ ପ୍ରାର୍ଥନା କରିଥିଲେ। ଆହତ ଦର୍ଶକଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ବେଳେ କ୍ଲାର୍କ ଓ ୱେଷ୍ଟଇଣ୍ଡିଜ୍ ଦଳର ପ୍ରବନ୍ଧକ ଜାକି ହେଣ୍ଡ୍ରିକ୍ସ ସେଠାରେ ପହଞ୍ଚି ତାଙ୍କୁ କ୍ଷମା ମାଗିଥିଲେ। ଏହି ଆଚରଣ ପାଇଁ କ୍ଲାର୍କଙ୍କୁ ୩ ମ୍ୟାଚ୍ରୁ ବାସନ୍ଦ କରାଯାଇଥିଲା। ଯାହାଫଳରେ ଦଳର ଇଂଲଣ୍ଡ ଗସ୍ତ (୧୯୮୦)ରୁ ସେ ବାଦ୍ ପଡ଼ିଥିଲେ। ଏହାପରଠୁ ସେ କେବଳ ଗୋଟିଏ ଟେଷ୍ଟରେ ଖେଳିପାରିଥିଲେ, ତାହା ପୁଣି ଦୁଇ ବର୍ଷ ପରେ।
[ad_2]