ଓଡିଶା

ମାହେଶ୍ଵରୀ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରା: ସବୁ ମନସ୍କାମନା ପୂରଣ କରନ୍ତି ମାଆ

ନୂଆପଡା : ନୂଆପଡା ଜିଲ୍ଲା ବୋଡେନଠାରୁ ୧୪କି.ମି ଦୂରତା ଲର୍କା ଗାଁରେ ରହିଛି ମାଆ ମାହେଶ୍ଵରୀ ଦେବୀଙ୍କ ଶକ୍ତପୀଠ । ପ୍ରତି ୪୦ବର୍ଷ ବ୍ୟବଧାନରେ ମାଘ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀରେ ମାଆ ମାହେଶ୍ଵରୀ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଆସିଛି । ଚଳିତବର୍ଷ ୪୦ବର୍ଷ ପୂରଣ ହୋଇଥିବାରୁ ଲର୍କା ଗାଁରେ ମାଆ ମାହେଶ୍ଵରୀ ଦେବୀଙ୍କ ମଣ୍ଡେଇ ଯାତ୍ରାକୁ ଜାନୁୟାରୀ ୨୬, ୨୭ ଓ ୨୮ତିନି ଦିନ ଧରି ଧୁମଧାମରେ ପାଳିତ ହୋଇଛି । ଦେବୀଙ୍କୁ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯିବା ପରେ ଗାଁର କମଳଲୋଚନା ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଶରୀରରେ ଦେବୀ ଆବିର୍ଭାବ ହୋଇଥିଲେ ।

ପରେ ଦେବୀଙ୍କ ଦୁଇ ସେବକ ହନୁମାନ ଓ ଭୈରବଙ୍କ ସହ ମାଆ ମାହେଶ୍ଵରୀ ଦେବୀ ନଗର ପରିକ୍ରମା କରି ଭକ୍ତମାନଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଲର୍କା ଗାଁ ସମେତ ଆଖ ପାଖ ଅଂଚଳର ୨୦ଟି ଗାଁର ହଜାର ହଜାର ଲୋକମାନେ ମନ୍ଦିର ପ୍ରାଙ୍ଗଣରେ ମାଆ ମାହେଶ୍ଵରୀ ଦେବୀଙ୍କୁ ଧୂପଦୀପ ଦେଇ ଶୋଡଷ ଉପଚାରରେ ପୂଜାଅର୍ଚ୍ଚନା କରିଥିଲେ । ଏହି ଅବସରରେ ମାହେଶ୍ଵରୀ ଦେବୀ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ନିଜର ଶକ୍ତି ପରୀକ୍ଷା ଦେଇଥିଲେ ।

ଭକ୍ତମାନଙ୍କ ଉପସ୍ଥିତିରେ ମାଆ ପେଣ୍ଡରାଣୀ ଦେବୀ ଛଅଫୁଟ ଉଚ୍ଚତା ବିଶିଷ୍ଟ ଏକ ମୁନିଆ ଲୁହା ଖୁଣ୍ଟରେ ଚଢି ନିଜର ଶରୀରକୁ ନାଭିରେ ରଖି ଝୁଲିଥିଲେ । ସେହିଭଳି ଦେବୀ ମାହେଶ୍ଵରୀ ନିଆଁ ଅଙ୍ଗାରରେ ଖାଲି ପାଦରେ ଚାଳିଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଦେବୀଙ୍କ ନାଭିରେ ଧାରୁଆ ଲୁହା ଖୁଣ୍ଟ ଭୁଷି ହୋଇଥିଲେ ବି ତାଙ୍କ ଶରୀରରୁ ବୁନ୍ଦାଏ ମଧ୍ୟ ରକ୍ତ ସ୍ରାବ ହୋଇନଥିବା ବେଳେ ପାଦରେ ନିଆଁ ଦ୍ଵାରା କୈାଣସି ଆଘାତ ହୋଇନଥିଲା । ମାଆ ମାହେଶ୍ଵରୀ ଦେବୀ ନିଆଁ ଅଙ୍ଗାରେ ଖାଳିପାଦରେ ଚାଳିବା ପରେ ସାଧାରଣ ଭକ୍ତମାନେ ମଧ୍ୟ ଚାଳିଥିଲେ । ମାଆ ମାହେଶ୍ଵରୀ ଦେବୀ ବହୁ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଯେକୈାଣସି ମନସ୍କାମନା କଲେ ତାହା ପୂରଣ ହୋଇଥାଏ ବୋଲି ଭକ୍ତମାନେ କହିଛନ୍ତି ।

ଲର୍କା ଗାଁରେ ପ୍ରତି ୪୦ବର୍ଷରେ ଥରେ ମାଆ ମାହେଶ୍ଵରୀ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରା ହେବାର ପରମ୍ପରା ରହିଆସିଛି । ବହୁ ବର୍ଷ ପୂର୍ବେ ଲର୍କା ଗାଁର ଲାଲସିଂ ପଟ୍ଟନାୟକ ମାଆ ମାହେଶ୍ଵରୀ ଦେବୀଙ୍କୁ ଛତିଶଗଡ ବସ୍ତର ଅଞ୍ଚଳରୁ ଆହ୍ୱାନ କରି ଆଣି ଏହି ଲର୍କା ଗାଁରେ ପ୍ରତିଷ୍ଠା କରିଥିଲେ । ସେହିଦିନଠାରୁ ଲର୍କା ଗାଁରେ ମାଆ ମାହେଶ୍ଵରୀ ଦେବୀଙ୍କ ପୂଜା ହୋଇ ଆସୁଛନ୍ତି । ଏହି ମାଘ ମଣ୍ଡେଇ ଯାତ୍ରାରେ ଆଖପାଖ ଗାଁରେ ପୂଜା ପାଉଥିବା ମାଆ ମାହେଶ୍ଵରୀ ଦେବୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ଅନୁସାରେ ଲର୍କା ଗାଁରେ ଆୟୋଜିତ ମଣ୍ଡେଇ ଯାତ୍ରାରେ ଆସି ନିଜର ଶକ୍ତି ପରୀକ୍ଷା ଦେବା ସହ ଭକ୍ତମାନଙ୍କୁ ଆଶୀର୍ବାଦ ଦେଇଥିଲେ ।

ମାଆ ମାହେଶ୍ଵରୀ ଦେବୀ ଯାହା ବଚ୍ଚନ ଦେଇଥାନ୍ତି ତାହା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ଵାସ ରହିଛି । ତେବେ ମାଆ ମାହେଶ୍ଵରୀ ଦେବୀଙ୍କ ଏହି ମଣ୍ଡେଇ ଯାତ୍ରାକୁ ନୂଆପଡା ଜିଲ୍ଲା ସମେତ ପଡୋଶୀ ଛତିଶଗଡ ଅଂଚଳର ହଜାର ହଜାର ଭକ୍ତ ଆସି ଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି ।

 

Related Articles

Leave a Reply

Your email address will not be published. Required fields are marked *

Back to top button