ଦେଶ ବିଦେଶ

ଘର ପାଇଁ ବିଦ୍ୟୁତ୍ ଉପକରଣ ମାଗିଥିଲେ ମହିଳା, ମୃତଦେହ ଡେଲିଭର କଲେ ଯୁବକ

ନୂଆଦିଲ୍ଲୀ: ଘର ନିର୍ମାଣ ପାଇଁ ସାହାଯ୍ୟ ମାଗିଥିଲେ ମହିଳା। ବିଦ୍ୟୁତ୍ ଉପକରଣ ଅଛି ବୋଲି କହି ଘର ବାହାରେ ଏକ ପାର୍ସଲ ଡେଲିଭର କରିଥିଲେ ଯୁବକ । ପାର୍ସଲ ଖୋଲିବା ପରେ ଭିତରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ଜଣାଯାଇଛି। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ମହିଳାଙ୍କ ନାମ ନାଗା ତୁଳସୀ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ।

ମିଳିଥିବା ସୂଚନା ମୁତାବକ, ନାଗା ତୁଳସୀ ଘର ନିର୍ମାଣ କରିବାକୁ ଆର୍ଥିକ ସହାୟତା ପାଇଁ କ୍ଷତ୍ରୀୟ ସେବା ସମିତି ନିକଟରେ ଏକ ଆବେଦନ କରିଥିଲେ। ତୁଳସୀଙ୍କ ଆବେଦନ ପରେ ସମିତି ତାଙ୍କୁ ଘର ପାଇଁ ଟାଇଲ ପଠାଇଥିଲେ। କିଛି ଦିନ ପରେ ନିର୍ମାଣରେ ଅଧିକ ସହାୟତା ପାଇଁ ସେ ପୁନର୍ବାର କ୍ଷତ୍ରୀୟ ସେବା ସମିତିଙ୍କୁ ନିବେଦନ କରିଥିଲେ। ନିବେଦନ ପରେ ସମିତି ତାଙ୍କୁ ବିଦ୍ୟୁତ ଉପକରଣ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା। କିଛି ଦିନ ପରେ ତୁଳସୀଙ୍କୁ ହ୍ବାଟସଆପରେ ଏକ ମେସେଜ ଆସିଥିଲା ଯେ, ତାଙ୍କୁ ଲାଇଟ୍, ପଙ୍ଖା ଏବଂ ସୁଇଚ୍ ଭଳି ଜିନିଷ ଯୋଗାଇ ଦିଆଯିବ।

ଗୁରୁବାର ରାତିରେ ଜଣେ ବ୍ୟକ୍ତି ମହିଳାଙ୍କୁ ତାଙ୍କ ଘର ବାହାରେ ଏକ ବାକ୍ସ ଡେଲିଭର କରିଥିଲେ ଏବଂ ଏଥିରେ ବୈଦ୍ୟୁତିକ ଉପକରଣ ଥିବା ସୂଚନା ଦେଇ ସେଠାରୁ ଚାଲିଯାଇଥିଲେ। ଖୁସି ହୋଇ ମହିଳାଜଣକ ପାର୍ସଲ ଖୋଲିବା ପରେ ଭିତରେ ଜଣେ ଯୁବକଙ୍କ ମୃତଦେହ ଥିବା ଦେଖି ହତବାକ ହୋଇଯାଇଥିଲେ। ଏହା ପରେ ସେ ତୁରନ୍ତ ପୁଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ। ମୃତଦେହ ସହ ଏକ ଚିଠି ବି ଆସିଥି‌ଲା, ଯେଉଁଥିରେ ୧.୩୦କୋଟି ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଲେଖାଯାଇଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button